ଭୁବନେଶ୍ୱର,୦୪/୦୩:  ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ସ୍କୁଲରେ  ନାମଲେଖା ହେବ । ଏଥିପାଇଁ  ବିଦ୍ୟାଳୟସ୍ତରରେ ପ୍ରବେଶ ଉତ୍ସବ ପାଳନ କରାଯିବ । ଏପ୍ରିଲ୍‌ ମାସରେ ଖଡି ଛୁଇଁବେ ପିଲା । ଏନେଇ  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ  ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । 

ମିଳିଥିବା ସୂଚନା ଅନୁଯାୟୀ, ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ  ବିଦ୍ୟାଳୟ ପ୍ରବେଶ ଉତ୍ସବ ପାଳନ  କରାଯିବ । ନୂଆ କରି ନାମ ଲେଖାଉଥିବା ପିଲାଙ୍କୁ ସ୍କୁଲରେ ସ୍ୱାଗତ  କରାଯିବ । ବିଦ୍ୟାଳୟ ବାହାରେ ଥିବା  ବୟସ ଉପଯୋଗୀ ସମସ୍ତ ପିଲାଙ୍କୁ  ସ୍କୁଲକୁ ଅଣାଯିବ । ଏପରି ଯେଉଁଠି ପିଲାମାନେ ସ୍କୁଲକୁ ଆସୁନଥିବେ  ସେଠି ପିଲାଙ୍କୁ ଚିହ୍ନଟ କରାଯାଇ  ନାମଲେଖା ପାଇଁ ଉତ୍ସାହିତ କରାଯିବ । ଅଙ୍ଗନବାଡ଼ି କର୍ମୀଙ୍କ ସହାୟତାରେ  ସ୍କୁଲ କର୍ତ୍ତୃପକ୍ଷ ୫ ବର୍ଷରୁ ଅଧିକ ଓ  ୬ ବର୍ଷରୁ ଅଧିକ ପିଲାଙ୍କର ଏକ  ତାଲିକା ପ୍ରସ୍ତୁତ କରାଯିବ ।

 ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ପୁରାତନ ଛାତ୍ରଛାତ୍ରୀଙ୍କ ସହାୟତାରେ ବୈଠକ ଆୟୋଜନ କରି ପ୍ରବେଶ ଉତ୍ସବ ପାଳନ ପାଳନ ହେବ । ଅନ୍ୟପଟେ ବିଭିନ୍ନ ହ୍ୱାଟସ୍‌ଆପ ଗ୍ରୁପ୍‌ରେ  ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ନେଇ ଏକ ସାଧା ପେପରରେ ଏକ ଲେଖା ଘୂରି ବୁଲୁଛି । ଏଥିରେ  ପ୍ରଧାନଶିକ୍ଷକଙ୍କ ପାଇଁ ଥିବା ଦାୟିତ୍ୱକୁ ସୂଚନା  ଦିଆଯାଇଛି । ଏଥିରେ ଏହା ମଧ୍ୟ ଉଲ୍ଲେଖ ରହିଛି  ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ବଣ୍ଟନ କରି ଆଗାମୀ  ଶିକ୍ଷା ବର୍ଷର କାର୍ଯ୍ୟକ୍ରମ ଆରମ୍ଭ କରିବେ । ଏହାକୁ  ସ୍କୁଲସ୍ତରୀୟ କାର୍ଯ୍ୟକ୍ରମ କରାଯିବ । ଏହାକୁ ନେଇ  ବିଦ୍ୟାଳୟ ପରିଚାଳନା କମିଟି ଓ ପୁରାତନ  ଛାତ୍ରଛାତ୍ରୀ ବୈଠକ କରି ପ୍ରସ୍ତୁତ ହେବେ । ତେବେ  ଏହି ଚିଠିରେ କେତେ ସତ୍ୟତା ଅଛି ତା ଜଣା  ନାହିଁ । ଏ ବାବଦରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି,  ମୁଖ୍ୟମନ୍ତ୍ରୀ ପିଲାଙ୍କୁ ନିମନ୍ତ୍ରଣ ପତ୍ର ବାଣ୍ଟିବେ ଏ  ବାବଦରେ ମୁଁ ଅବଗତ ନାହିଁ । 

ଉଲ୍ଲେଖଯୋଗ୍ୟ, ଆସନ୍ତା ଶିକ୍ଷା ବର୍ଷ (୨୦୨୫- ୨୬)ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ  ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରାଯିବ । ସମସ୍ତ  ପ୍ରାଥମିକ ସ୍କୁଲରେ ଶିଶୁବାଟିକା ଶ୍ରେଣୀ ଖୋଲାଯିବ । ଏଥିରେ ପିଲାଙ୍କୁ ପ୍ରାକ୍‌ ପ୍ରାଥମିକ ଶ୍ରେଣୀ ପାଠ  ପଢ଼ାଯିବ । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି