ନୂଆଦିଲ୍ଲୀ ୨୩/୦୬:  ମଧ୍ୟପ୍ରାଚ୍ୟରେ ଯୁଦ୍ଧ  ଦିନକୁ ଦିନ ତୀବ୍ରତର ହେଉଥିବା ବେଳେ ଇରାନ୍‌ର ଶୀର୍ଷ ନେତା (ସୁପ୍ରିମ୍‌ ଲିଡର) ଆୟାତୋଲ୍ଲା  ଅଲୀ ଖାମେନିଙ୍କୁ ହତ୍ୟା କରାଯିବା ନେଇ ରିପୋର୍ଟ  ଆସୁଛି । ଉଭୟ ଇସ୍ରାଏଲ୍‌ ଓ ଆମେରିକା ହତ୍ୟା ଧମକ  ଦେଇସାରିଲେଣି । ଏଭଳି ସ୍ଥିତିରେ ରବିବାର ଆମେରିକା ଯୁଦ୍ଧକୁ  ଡେଇଁବା ପରେ ଇରାନ୍‌ର ପରାଜୟ ନିଶ୍ଚିତ ବୋଲି ଅନୁମାନ  କରାଯାଉଛି । ଏହି  ଆଶଙ୍କା ମଧ୍ୟରେ  ଖାମେନି ବଙ୍କର  ମଧ୍ୟରେ ଥିବା ସୁରକ୍ଷିତ  ସ୍ଥାନକୁ ଚାଲିଯାଇଛନ୍ତି ।  ସେଠାରେ ତାଙ୍କ ସହ  ସମସ୍ତ ବୈଦ୍ୟୁତିକ  ଯୋଗାଯୋଗ ବ୍ୟବସ୍ଥା କାଟ୍‌ କରାଯାଇଛି । ପୂର୍ବରୁ ବୈଦ୍ୟୁତିକ ଯୋଗାଯୋଗ  ବ୍ୟବସ୍ଥାକୁ ମାଧ୍ୟମ କରି ଇସ୍ରାଏଲ୍‌ ଇରାନ୍‌ର ଅନେକ  ବୈଜ୍ଞାନିକ ଓ ସେନା କମାଣ୍ଡରଙ୍କୁ ହତ୍ୟା କରିଥିଲା । ଏବେ  ଏହାର ନଜର ସିଧା ଖାମେନିଙ୍କ ଉପରେ ରହିଛି ।  

ବିଶ୍ଳେଷକଙ୍କ ମୁତାବକ, ଇରାନ୍‌ର ରିଭଲ୍ୟୁସନାରି ଗାର୍ଡସ  (ଆଇଆରଜିସି) ଓ ସାମରିକ ବଳ ଲାଗି ଖାମେନି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେ ବଞ୍ଚିଥିବା ପର୍ଯ୍ୟନ୍ତ ଉଭୟଙ୍କୁ ବଳ ମିଳିବ, ଅନ୍ୟଥା ସେମାନଙ୍କ ମନୋବଳ ପ୍ରଭାବିତ  ହେବ । ତେବେ ଖାମେନି ସମ୍ଭାବ୍ୟ ଅଘଟଣ ପୂର୍ବରୁ ନିଜ ଉତ୍ତରାଧିକାରୀ ବାଛିଛନ୍ତି । ସେ ତିନିଜଣଙ୍କ ନାମ ଚୟନ  କରିଥିବା ବେଳେ ତାଙ୍କର ମୃତ୍ୟୁ ପରେ ଏମାନଙ୍କ ମଧ୍ୟରୁ  ଜଣକୁ ସୁପ୍ରିମ ଲିଡର ବା ଶୀର୍ଷ ନେତା ନିଯୁକ୍ତ କରାଯିବ ।