ନୂଆଦିଲ୍ଲୀ ୧୬/୦୩: ଗତ ମାସରେ ତେହରାନ୍ରେ ଆମେରିକା-ଇସ୍ରାଏଲର ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଥିଲେ ଇରାନର ପୂର୍ବତନ ସୁପ୍ରିମଲିଡର ଆୟାତୋଲ୍ଲା ଅଲ୍ଲୀ ଖାମେନେଇ । ତେବେ ଖାମେନେଇଙ୍କୁ କେବଳ ଇରାନରେ ନୁହେଁ, ଭାରତରେ ମଧ୍ୟ ମନେ ପକାଯାଏ । କର୍ଣ୍ଣାଟକ ଚିକ୍କବଲ୍ଲାପୁର ଜିଲ୍ଲାର ଅଲୀପୁରା ଗାଁରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟଣା ତାଙ୍କୁ ଏପରି ଆନ୍ଦୋଳିତ କରିଥିଲା ଯେ ପରେ ସେ ସେଠାରେ ଏକ ହସ୍ପିଟାଲ ନିର୍ମାଣ କରାଇଥିଲେ । ଇରାନର ସୁପ୍ରିମଲିଡରଙ୍କ ପ୍ରତିନିଧି ଅବଦୁଲ ମାଜିଦ୍ ହାକିମ୍ ଇଲାହୀ ଏକ କାର୍ଯ୍ୟକ୍ରମରେ ଏହା ପ୍ରକାଶ କରିଛନ୍ତି ।
ଉପରୋକ୍ତ ଘଟଣାର ସ୍ମୃତି ଚାରଣ କରି ଇଲାହୀ କହିଛନ୍ତି ଯେ, ୧୯୮୦ ଦଶକରେ ଇସଲାମିକ କ୍ରାନ୍ତି ପରେ ରୁହୋଲ୍ଲା ଖୋମିନିଙ୍କ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ରାଜନୈତିକ ପ୍ରୟାସକ୍ରମେ ଖାମେନେଇ ଭାରତ ଆସିଥିଲେ । ଗସ୍ତ ସମୟରେ କର୍ଣ୍ଣାଟକର ଅଲୀପୁରା ଗାଁରେ ଘଟିଥିବା ଏକ ଦୁଃଖଦ ଘଟଣା ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା । ଆଖପାଖରେ କୌଣସି ହସ୍ପିଟାଲ ନଥିବାରୁ ବେଙ୍ଗାଲୁରୁ ଯିବା ରାସ୍ତାରେ ଜଣେ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ସେ ଜାଣିବାକୁ ପାଇଥିଲେ । ଏହାପରେ ସେ ତୁରନ୍ତ ଗାଁରେ ହସ୍ପିଟାଲ ବନାଇବାକୁ ଆର୍ଥିକ ସହାୟତା ପ୍ରଦାନ ଲାଗି ଘୋଷଣା କରିଥିଲେ । ପରେ ସେଠାରେ ହସ୍ପିଟାଲ ମଧ୍ୟ ନିର୍ମିତ ହୋଇଥିଲା । ସେଥିଯୋଗୁ ସ୍ଥାନୀୟ ଲୋକଙ୍କୁ ଚିକିତ୍ସା ଲାଗି ଦୂରକୁ ଯିବାକୁ ପଡୁନାହିଁ । ଇଲାହୀ ଆହୁରି କହିଛନ୍ତି ଯେ, ଖାମେନେଇଙ୍କର ଭାରତର ସଭ୍ୟତା ଏବଂ ବିବିଧତା ପ୍ରତି ସ୍ୱତନ୍ତ୍ର ସମ୍ମାନ ଥିଲା । ବହୁତ କମ୍ ବୟସରେ ସେ ଭାରତ ଉପରେ ଏକ ପୁସ୍ତକ ରଚନା କରିଥିଲେ ।
ଆହୁରି ପଢ଼ନ୍ତୁ...ହର୍ମୁଜ୍ ଜଳପଥ ପାଇଁ ବିଶ୍ୱରେ ହାହାକାର ! ଇରାନକୁ ଟ୍ରମ୍ପଙ୍କ ଧମକ, ସହଯୋଗୀ ଦେଶଙ୍କୁ କଡ଼ା ଚେତାବନୀ