ଭୁବନେଶ୍ୱର,୧୭/୦୧: ‘ଦେବସଭା’ । ଦେବତାଙ୍କ ସଭାସ୍ଥଳ । ଖଣ୍ଡଗିରି ପାହାଡ଼ର ସର୍ବୋଚ୍ଚ ଶିଖରରେ ରହିଛି ଏହି ରହସ୍ୟମୟ ସ୍ଥାନ । ବିଶ୍ୱାସ ରହିଛି, ପ୍ରସିଦ୍ଧ ମାଘମେଳା ସମୟରେ ଦେବତାଙ୍କ ଆବାହନ କରାଯାଏ, ଯଜ୍ଞ ହୁଏ । ଯଜ୍ଞରେ ପ୍ରସନ୍ନ ହୋଇ ଦେବଗଣ ଏହି ସ୍ଥାନକୁ ଆସନ୍ତି, ମା’ ବାରଭୂଜାଙ୍କ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥାନ୍ତି । ସେଥିପାଇଁ ସାଧୁସନ୍ଥମାନେ ଏହି ସ୍ଥାନର ନାମକରଣ ଦେବସଭା ବୋଲି କରିଛନ୍ତି ।
ଖଣ୍ଡଗିରିର ସଂସ୍କୃତି ଓ ପରମ୍ପରା ବହନ କରିଥିବା ଏହି ଦେବସଭା ସ୍ଥାନଟି ଏବେ ଅସୁରକ୍ଷିତ ହୋଇପଡ଼ିଛି । ଏଠାରେ ନିଶାଡ଼ିମାନେ ନିଶା ସେବନ କରୁଥିବା ବେଳେ ଅଣ୍ଡା ଖାଇ ଖୋଳ ଫିଙ୍ଗୁଛନ୍ତି । ଚାରିଆଡେ ମାଳମାଳ ପଲିଥିନ୍ ଓ ବୋତଲ ପଡ଼ିଛି । ବେଳେବେଳେ ଏଠାରେ ନିଆଁ ବି ଲଗାଉଛନ୍ତି । ଚାରିଆଡେ ପାଉଁଶ ଉଡୁଛି । ଦେହହାତ କଳା ପଡ଼ିଯାଉଛି । ପରିବେଶ ବି ଅଳିଆ ହୋଇପଡ଼ିଛି, କେବଳ ଖଣ୍ଡଗିରି ମେଳା ଆସିଲେ, ଏଠାରେ ଝାଡ଼ୁ, କୋଦାଳ ଟିକେ ବାଜେ । ଅନ୍ୟଦିନରେ ପରିବେଶରେ ଆବର୍ଜନାମୟ ହୋଇପଡ଼ିଥାଏ । ତେଣୁ ଦେବସଭାରେ ଏଭଳି କାରନାମା ଚାଲୁଥିବାରୁ ଦେବାସଭା ଗରିମା ହରାଉଛି । ଏଥିସହ ଦେବତାମାନେ ଆଉ ଏଠାକୁ ଆସୁନାହାନ୍ତି ବୋଲି ସାଧୁସନ୍ଥମାନେ କହିଲେଣି ।
ଆଉ ୮ଦିନ ପରେ ପ୍ରସିଦ୍ଧ ଖଣ୍ଡଗିରି ମାଘ ମେଳା ଆୟୋଜନ ହେବ । ମେଳା ବେଳେ ଶତାଧିକ ସାଧୁସନ୍ଥ ଖଣ୍ଡଗିରିକୁ ଆସିବେ । ଯଜ୍ଞ ଓ ନାମସଂକୀର୍ତ୍ତନରେ କମ୍ପିବ ଖଣ୍ଡଗିରି ପାହାଡ଼ । ମେଳା ବେଳେ ଜୈନ ମନ୍ଦିର ପଛପଟେ ଥିବା ଦେବସଭାର ଗୁରୁତ୍ୱ ବଢ଼ିଥାଏ । ସାଧୁସନ୍ଥ ସେଠାରେ ରହିବା ସହ ଯଜ୍ଞ କରିଥାନ୍ତି । ଏଥିପାଇଁ ଏଠାରେ ଯଜ୍ଞକୁଣ୍ଡ ବି ରହିଛି । ଏହି ଦେବସଭା ଦେଇ ପଞ୍ଚତୀର୍ଥ କୁଣ୍ଡ(ପୁଷ୍କରିଣୀ) ରୁ ରାସ୍ତା ବ୍ୟାପିଛି । ହେଲେ ନିଶାଡ଼ିଙ୍କ ପାଇଁ ସାଧୁମାନେ ଦେବସଭାକୁ ଆସିବାକୁ ଅସୁରକ୍ଷିତ ମଣୁଛନ୍ତି । ବଡ଼କଥା ହେଉଛି, ଆଜି ପର୍ଯ୍ୟନ୍ତ ଦେବସଭାରେ ନା ଆଲୋକ ବ୍ୟବସ୍ଥା ହୋଇପାରିଛି, ନା ପିଇବା ପାଣି ଆସୁଛି । ସାଧୁମାନେ ତଳୁ ପାଣି ବୁହାଇ ଉପରକୁ ନିଅନ୍ତି ଓ ରୋଷେଇ କରନ୍ତି ।
ଗତବର୍ଷ ଦେବସଭାରେ ପାଣି ଟାଙ୍କି ନିର୍ମାଣ ହୋଇଥିଲା । ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ) ପକ୍ଷରୁ ଏହି ଟାଙ୍କି କାମ ସରିଥିବା ବେଳେ ପାଣି ସଂଯୋଗ ହୋଇପାରିନି ବୋଲି ସାଧୁମାନେ କହିଛନ୍ତି । ଦେବସଭା ସ୍ଥାନକୁ ସଫାସୁତରା କରୁଥିବା ସୁଦର୍ଶନ ଭୋଇଙ୍କ କହିବା କଥା, ଏହି ସ୍ଥାନଟି ଏକ ପବିତ୍ର ଜାଗା । ହେଲେ ରକ୍ଷଣାବେକ୍ଷଣ ଅଭାବ ରହିଛି । ପ୍ରତିଦିନ ନିଶାଡ଼ି ଏଠାକୁ ଆସୁଛନ୍ତି । ଡଷ୍ଟବିନ୍ ରଖିଲେ ବି ତାକୁ ଫୋପାଡ଼ି ଦେଉଛନ୍ତି । ନିଆଁ ଲାଗୁଥିଲେ ବି ଲିଭାଇବାକୁ ପାଣି ମିଳୁନି । ମା’ ବାରଭୂଜା ମନ୍ଦିର ପରିଚାଳନା କମିଟିର କୋଷାଧ୍ୟକ୍ଷ ଦିନବନ୍ଧୁ ଜେନା କହିଛନ୍ତି, ମେଳା ପୂର୍ବରୁ ଏଏସ୍ଆଇ ଦେବସଭାକୁ ପାଣି ସଂଯୋଗ କରିବାକୁ କହିଛି ।
ଶ୍ୟାମକୁଣ୍ଡରେ କଣା, ନଷ୍ଟ ହେଉଛି ଜଳ
ଐତିହ୍ୟ ସମ୍ପନ୍ନ ପଞ୍ଚତୀର୍ଥ କୁଣ୍ଡ(ପୁଷ୍କରିଣୀ) ମଧ୍ୟରୁ ଅନ୍ୟତମ କୁଣ୍ଡ ହେଉଛି ଶ୍ୟାମକୁଣ୍ଡ । ମାଘ ମେଳା ସମୟରେ ଏଠାରୁ ପାଣି ଯାଇ ପୂଜାରେ ଲାଗିହୁଏ । ହେଲେ ଏବେ ଶ୍ୟାମକୁଣ୍ଡ ଉପର ଭାଗରେ ଏକ କଣା ସୃଷ୍ଟି ହୋଇଛି । ସେହି କଣା ବାଟରେ ଧୂଳି, ପତ୍ର ଓ ପଥର ଖଣ୍ଡ ଆଦି କୁଣ୍ଡ ଭିତରେ ପଡ଼ୁଛି । ଫଳରେ କୁଣ୍ଡର ଜଳ ନଷ୍ଟ ହୋଇଯାଉଛି । ସାଧୁସନ୍ଥମାନେ ଆସି କୁଣ୍ଡରେ ପଶି ଅଳିଆ ସଫା କରୁଛନ୍ତି । ତେଣୁ ତୁରନ୍ତ ଏହାର ମରାମତି ପାଇଁ ଦାବି ହୋଇଛି ।
୫୦ବର୍ଷରେ ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦ ,୨୫ରୁ ସ୍ୱର୍ଣ୍ଣ ଜୟନ୍ତୀ ସମାରୋହ
ବିଶ୍ୱପ୍ରସିଦ୍ଧ ଖଣ୍ଡଗିରି ମାଘମେଳା ଆସନ୍ତା ୨୫ରୁ ଆରମ୍ଭ ହେବ । ଏହି ଅବସରରେ ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦ ଚଳିତବର୍ଷ ୫୦ବର୍ଷରେ ପଦାର୍ପଣ କରିଛି । ୧୯୭୫ ମସିହା ଫେବ୍ରୁଆରୀ ୨୬ ତାରିଖ ମାଘ ପୂର୍ଣ୍ଣମାଦିନ ଖଣ୍ଡଗିରିରେ ପରିଷଦ ପ୍ରତିଷ୍ଠା ହୋଇଥିଲା । ମେଳା ସହ ପରିଷଦ ପକ୍ଷରୁ ସ୍ୱର୍ଣ୍ଣ ଜୟନ୍ତୀ ସମାରୋହ ୨୫ରୁ ଚାଲିବ । ସମାରୋହ ଅବସରରେ ସାରା ଦେଶରୁ ସାଧୁସନ୍ଥ ଯୋଗଦେଇ ସନାତନ ଧର୍ମର ବାର୍ତ୍ତା ପ୍ରଚାର କରିବେ । ସାଧୁସନ୍ଥଙ୍କୁ ସମ୍ବର୍ଦ୍ଧନା ସହ ସ୍ମରଣିକା ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ଥିବା ପରିଷଦର ପ୍ରତିଷ୍ଠାତା ବାବା ପଞ୍ଚଦେବ ସୂଚନା ଦେଇଛନ୍ତି।