ଭୁବନେଶ୍ୱର,୨୬/୦୧: ଖଣ୍ଡଗିରି ମେଳା ଆରମ୍ଭ।  ମଙ୍ଗଳବାର ଠାରୁ ଆରମ୍ଭ ହେଉଛି ଖଣ୍ଡଗିରି ଯାତ୍ରା ମହାକୁମ୍ଭ । ନାମୀଦାମୀ ଅପେରା ପାର୍ଟି ଖଣ୍ଡଗିରି  ଯାତ୍ରା ମହାକୁମ୍ଭରେ ଦେଖାଇବେ ଜଲ୍‌ୱା । ଖାଲି  ନାଟକ ପ୍ରେମୀ ନୁହନ୍ତି ସେମାନଙ୍କୁ ମନୋରଞ୍ଜନର ଖୋରାକ୍‌ ଯୋଗାଇବାକୁ ଅପେକ୍ଷାରତ  କଳାକାରଙ୍କର ବି ହେଉଛି ବିଶେଷ ମୁହୂର୍ତ୍ତର ଦିନ । ଏଇଠୁ ସେମାନଙ୍କ କଳାନୈପୁଣ୍ୟର ପରାକାଷ୍ଠା ସମଗ୍ର ଓଡ଼ିଶା ଦେଖିବ । ସନ୍ଧ୍ୟାରୁ ଗହଳଚହଳ ଜମି ଆସିବା ପରେ ମେଳା ବୁଲା  ସାଙ୍ଗକୁ ମଞ୍ଚମନସ୍କ ହେବେ ଦର୍ଶକ । ଅପେରା ପାର୍ଟିମାନଙ୍କ ଚିରାଚରିତ ଡାକ ହେଇ  ହେଇ ଲୋ... । ଇଆଡ଼େ ଇଆଡ଼େ... । ଆଇଲା...  ଆଇଲା...କାନରେ ସକାଳୁ ସକାଳୁ ଗୁଞ୍ଜରିତ  ହେବ । ଦୁଲୁକିବ ଖଣ୍ଡଗିରି । ସଂଳାପ ଭାଙ୍ଗିବ  ରାତିର ନିରବତା । ପ୍ରଥମ ପର୍ଯ୍ୟାୟ ଯାତ୍ରା ମଞ୍ଚସ୍ଥ  ପାଇଁ ସବୁ ପ୍ରସ୍ତୁତି ଶେଷ । କେବଳ ପରଦା ଉଠିବ,  ନାଚ ଜମିବ । ୨୭ରୁ ୭ ତାରିଖ ଯାଏ ଚାଲିବ  ଖଣ୍ଡଗିରି ଯାତ୍ରା ମହାକୁମ୍ଭ । ୭ଟି ପେଣ୍ଡାଲ୍‌ରେ  ଦୁଇଟି ପର୍ଯ୍ୟାୟରେ ୧୫ଟି ନାମକରା ଅପେରା ପାର୍ଟି  ନାଟକ ପରିବେଷଣ କରିବେ ।

ପ୍ରଥମ ପର୍ଯ୍ୟାୟରେ  ୭ଟି ଯାତ୍ରାପାର୍ଟି ମଇଦାନକୁ ଓହ୍ଲାଇବେ । ଏବର୍ଷ  ଡ଼ଃ ହରେକୃଷ୍ଣ ମହତାବ ସାସ୍କୃତିକ ପରିଷଦ,  ଆଇଗିଣିଆ ମଞ୍ଚରେ ଅପେରା ‘ଅଶାକ ସମ୍ରାଟ’  ପ୍ରଥମେ ମଇଦାନକୁ ଓହ୍ଲାଉଛି । ପାର୍ଟି ତା’ର ବହୁ  ଚର୍ଚ୍ଚିତ ନାଟକ ‘ଅଧା ରହିଗଲା ଆମ କାହାଣୀ’  ମଂଚସ୍ଥ କରିବ । ଏଥିରେ ଅଭିନେତା ମିଲନ,  ସିନେ ଅଭିନେତା ଅଙ୍କିତ, ଖଳନାୟକ ମନୋଜ,  କମେଡିଆନ ଗଣେଶ, ଅଭିନେତ୍ରୀ ସାରା ଓ  ଖଳନାୟିକା ସରୋଜିନୀ ଭଳି କଳାକାର ଅଭିନୟ  କରୁଛନ୍ତି । ସନାତନ ସେବା ସମିତି, ଘାଟିକିଆ  ମଂଚରେ ପ୍ରଥମେ ମଇଦାନକୁ ଓହ୍ଲାଉଛି ‘କୋଣାର୍କ  ଗଣନାଟ୍ୟ’  । ପାର୍ଟି ତା’ର ଚର୍ଚ୍ଚିତ ନାଟକ ‘ତୁ  ବୋଧେ ମୋ ଭାଗ୍ୟରେ ନାହୁଁ’ ମଞ୍ଚସ୍ଥ କରିବ ।  ଏଥିରେ ଭେଟେରାନ ଦୈତାରୀ ପଣ୍ଡା, ମିଟୁନା, ନଳିନୀ ପ୍ରମୁଖ ଅଭିନୟ କରିଛନ୍ତି । ଇନ୍ଦିରା  ସାଂସ୍କୃତିକ ଯୁବ ପରିଷଦ, ଜାଗମରା ମଞ୍ଚରେ  ଯାତ୍ରା ସିଂହବାହିନୀ ବହୁ ଚର୍ଚ୍ଚିତ ନାଟକ ‘ତୁ  ମୋ ବଜରଙ୍ଗୀ’ ପରିବେଷଣ କରିବ ।

ଏଥିରେ  ଅଭିନେତା ପୀୟୁଷ, କ୍ଷୀତିଶ, ସ୍ୱିଟି, ବବଲୁ ପ୍ରମୁଖ  ଅଭିନୟ କରିଛନ୍ତି । ଶେଷରେ ଅନନ୍ତ କେଶରୀ  ଦେବ ସାଂସ୍କୃତିକ ଯୁବ ପରିଷଦ, ଖଣ୍ଡଗିରି ମଞ୍ଚରେ  ଧଉଳି ପକ୍ଷରୁ ନାଟକ ‘ଚଣ୍ଡାଶୋକ’ ପରିବେଷଣ  କରାଯିବ । ଏଥିରେ ଅଭିନେତା ରୁଦ୍ର, ସ୍ମରଣିକା,  ଲକ୍ଷ୍ମୀଧର, ଆକାଶ ପ୍ରମୁଖ ଅଭିନୟ କରିବେ ।  ମା ମଙ୍ଗଳା ସାଂସ୍କୃତିକ ଯୁବ ପରିଷଦ, ଜାଗମରା  ମଞ୍ଚରେ ୨୯ ତାରିଖରୁ ଯାତ୍ରା ‘ସ୍ୱର୍ଣ୍ଣ ମହଲ’  ପକ୍ଷରୁ ନାଟକ ପରିବେଷଣ ହେବ । ଯାହାର ନାଁ  ଓ ଟାଇଟଲ ଏପର୍ଯ୍ୟନ୍ତ ରିଲିଜ ହୋଇନି । ସ୍ୱର୍ଣ୍ଣ  ମହଲରେ ବରିଷ୍ଠ ଅଭିନେତା ସୁବାଷ ବେହେରା  ରହିଛନ୍ତି । ତେଣୁ ତାଙ୍କ ଅଭିନୟ ଦେଖିବାକୁ  ଦର୍ଶକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।  ଜୟ ଦୁର୍ଗା ସାଂସ୍କୃତିକ ପରିଷଦ, ଜାଗମରା  ମଞ୍ଚରେ ୨୯ ତାରିଖରୁ ଅପେରା ଶ୍ରୀମନ୍ଦିର  ମଞ୍ଚସ୍ଥ କରିବ ‘ଜାନୱର’, ଏଥିରେ ଅଭିନେତା  କାହ୍ନା ସ୍ୱାଇଁ, ଟିକି ରହିଛନ୍ତି । କଳିଙ୍ଗ ସାଂସ୍କୃତିକ  ପରିଷଦ, ଜାଗମରା,ମଞ୍ଚରେ ୩୦ ତାରିଖରୁ ଯାତ୍ରା  ‘ଇନ୍ଦ୍ରଭୁବନ’ ନାଟକ ପରିବେଷଣ କରିବେ ।