ଭୁବନେଶ୍ୱର ୧୩/୦୨: ନଅ ଦିନ ଧରି ଚାଲୁଥିବା ଐତିହାସିକ ଖଣ୍ଡଗିରି ମାଘମେଳା ବୁଧବାର ସନ୍ଧ୍ୟାରେ ସମାପ୍ତ ହୋଇଛି । ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦ ଆବାହକତ୍ୱରେ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଭୁବନେଶ୍ୱର ମହାନଗର  ନିଗମର ଆନୁକୂଲ୍ୟରେ ମାଘମେଳାର ପୂର୍ଣ୍ଣାହୁତି ଓ  ସାଧୁସନ୍ଥ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏ  ଅବସରରେ ଗୃହ ଓ ନଗର ଉନ୍ନୟନମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର  ମହାପାତ୍ର, ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ,  ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ ପ୍ରମୁଖ ସାଧୁସନ୍ଥ  ପୂଜନରେ ଯୋଗ ଦେଇଥିଲେ । ଏହି ଅବସରରେ  ସାଧୁସନ୍ଥମାନେ ବିଧାୟକଙ୍କୁ ଧନ୍ୟବାଦ ଜଣାଇଥିଲେ ।  

ସେହିପରି କାର୍ଯ୍ୟକ୍ରମ ପରିଷଦର ଉପଦେଷ୍ଟା ପଦ୍ମନାଭ  ଦାସ ବିଏମସି ଓ ପୁଲିସ ଅଧିକାରୀଙ୍କୁ କୃତଜ୍ଞତା ପ୍ରଦାନ  କରିଥିଲେ । ସାଧୁସନ୍ଥ ପୂଜନ କାର୍ଯ୍ୟକ୍ରମକୁ ମୁଖ୍ୟ ସଂଚାଳକ  ବ୍ରହ୍ମଚାରୀ ବିଶେଷ ଚୈତନ୍ୟ, ବାବା ଚନ୍ଦନ ଦାସ, ବାବା  ଆଲୋକ ଦାସ, ବାବା କୃଷ୍ଣ ଦାସ, ବାବା କଲ୍ୟାଣ ଦାସ,  ବାବା ନବ ଦାସ, ବାବା ଆନନ୍ଦ ଦାସ, ହରିଓମ୍‌ ବାବା,  ସାଧାରଣ ସମ୍ପାଦକ ବାବା ଅଖଣ୍ଡାନନ୍ଦ ଏବଂ ପରିଷଦର  ଅଧ୍ୟକ୍ଷ ବାବା ପଞ୍ଚଦେବ ପରିଚାଳନା କରିଥିଲେ । ଶେଷ  ଦିନରେ ସାଧୁସନ୍ଥ ସମ୍ମିଳନୀ ହୋଇଥିଲା । ପରିଷଦର  ଅଧ୍ୟକ୍ଷ ବାବା ପଞ୍ଚଦେବ ଖଣ୍ଡଗିରି ମେଳାକୁ ସରକାରୀ  ମାନ୍ୟତା ପାଇଁ ଦାବି କରିଥିଲେ । ପୂର୍ଣ୍ଣାହୁତି ପୂର୍ବରୁ ମାଆ  କାଳୀ ଗୁମ୍ଫାରେ ବୈଦିକ ରୀତି ନୀତିରେ ପୂଜାର୍ଚ୍ଚନା କରିଥିଲେ ନାଗାସାଧୁ । ଘଞ୍ଚ ଜଙ୍ଗଲ ଓ କଣ୍ଟକ ଯୁକ୍ତ ବୃକ୍ଷଲତାକୁ  ଏଡ଼ାଇ ମାଆ କାଳୀଙ୍କ ଗୁମ୍ଫା ପାଦଦେଶରେ କିଛି ସାଧୁଙ୍କ  ସହିତ ପହଞ୍ଚି ପୂଜାର୍ଚ୍ଚନା କରଥିଲେ  ।