ଭୁବନେଶ୍ୱର ୨୭/୦୩ (ଅମନ ଆୟୁଷ୍ମାନ ଦାସ) : ଓଡ଼ିଶାରେ ନାଟକ ପରମ୍ପରା ବହୁ ପ୍ରାଚୀନ । ରଙ୍ଗମଞ୍ଚରେ ନାଟକ ପରିବେଷଣ ଓଡ଼ିଶାର ଏକ ପରମ୍ପରା । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ, ପ୍ରାଚୀନ କଳିଙ୍ଗର ଅଧିପତି ମହାମେଘବାହନ ଐର ଖାରବେଳଙ୍କ ଦ୍ୱାରା ପ୍ରତିଷ୍ଠିତ ରାଣୀଗୁମ୍ଫା ହେଉଛି ରାଜ୍ୟର ପ୍ରଥମ ରଙ୍ଗମଞ୍ଚ । ଏହି ରଙ୍ଗମଞ୍ଚରେ ନିଜେ ରାଜା ଖାରବେଳ ନାଟକର ନିର୍ଦ୍ଦେଶନା ଦେଉଥିଲେ । ସେ କେବଳ ରାଜା ନଥିଲେ, ସେ ଜଣେ ଧୂରୀଣ ନାଟ୍ୟକାର ଓ ନାଟ୍ୟ ନିର୍ଦ୍ଦେଶକ ବି ଥିଲେ ବୋଲି ଗବେଷଣାରୁ ଜଣାପଡ଼ିଛି ।

ଉଦୟଗିରି ପାହାଡ଼ରେ ରହିଛି ରାଣୀ ଗୁମ୍ଫା । ଏହି ଗୁମ୍ଫାର ଶୈଳୀ ଏକ ମିନି ରାଜପ୍ରାସାଦ ଭଳି । ଗୁମ୍ଫା ବାହାରେ ସ୍ତମ୍ଭ (ପିଲାର) ରହିଛି, ତା ଉପରେ ପଥର ରଖାଯାଇଛି । ଏହାର ଡିଜାଇନ୍ ଦେଖିଲେ, ଆଖି ଖୋସିହୋଇଯିବ । ଗୁମ୍ଫା ଭିତରେ ପଥର ଖୋଦେଇ ହୋଇ ବିଭିନ୍ନ କାରୁକାର୍ଯ୍ୟ ହୋଇଛି । ସେଥିରେ ହାତୀ, ମଣିଷ, ସଙ୍ଗୀତ ପରିବେଷଣ ଓ ରାଜକୀୟ ଶୋଭାଯାତ୍ରାର ଚିତ୍ର ଅଛି । ଯାହା ଆକର୍ଷଣୀୟ ଦିଶେ । ଏହି ସମଗ୍ର ପରିସରକୁ ରାଣୀ ହଂସପୁର କୁହାଯାଏ । ଖଣ୍ଡଗିରି ମେଳା ସମୟରେ ପ୍ରଭୁ ଅନନ୍ତ କେଶରୀ ଏହି ସ୍ଥାନକୁ ଆସିଥାନ୍ତି । ରାଜା ଖାରବେଳ ପ୍ରଥମ ଶତାବ୍ଦୀ ସମୟରେ ଏହାକୁ ନିର୍ମାଣ କରାଯାଉଥିବା ଗବେଷକମାନେ କହିଛନ୍ତି ।

୧୮୯୫ରେ ବ୍ରିଟିଶ୍ ଫଟୋଗ୍ରାଫର୍ ଆଲେକଜାଣ୍ଡର ଇ.କ୍ୟାଡି ରାଣୀ ଗୁମ୍ଫା ବୁଲିଥିଲେ । ଏଥିସହ ସେ ଏହି ଗୁମ୍ଫାର ଫଟୋ ଉତ୍ତୋଳନ କରିଥିଲେ । ଏହାର ବହୁ ପୂର୍ବରୁ ୧୮୮୦ରେ ସ୍କଟଲ୍ୟାଣ୍ଡର ଦୁଇଜଣ ଗବେଷକ ଜେମ୍ସ ଫର୍ଗୁସନ ଓ ଜେମସ୍ ବର୍ଗେସ୍ ଗୁମ୍ଫା ଉପରେ ଗବେଷଣା କରି ‘ଦି କେଭ୍ ଟେମ୍ପୁଲ୍ସ ଅଫ୍ ଇଣ୍ଡିଆ’ ନାମକ ଏକ ପୁସ୍ତକ ଲେଖିଥିଲେ । ସେହି ପୁସ୍ତକରେ ରାଣୀଗୁମ୍ଫା ବିଷୟରେ ଅନେକ ଅନାଲୋଚିତ ତଥ୍ୟ ରହିଛି । ଗୁମ୍ଫାରେ ଥିବା ମହିଳାଙ୍କ ପ୍ରତିମୂର୍ତ୍ତି ସହ ଜଣେ ବ୍ୟକ୍ତି ଏକ ପଶୁ ଉପରେ ଚଢ଼ିଛନ୍ତି ଯେତେବେଳେ ତାଙ୍କ ପରିଚାରକମାନେ ତାଙ୍କୁ ଅନୁସରଣ କରୁଛନ୍ତି, ରାଜକୀୟ ଶୋଭାଯାତ୍ରାରେ ଜଣେ ବ୍ୟକ୍ତିଙ୍କୁ ଦୁଇଜଣ ପରିଚାରକଙ୍କ ଦ୍ୱାରା ଅନୁସରଣ କରାଯାଉଛି, ଜଣେ ରାଜକୀୟ ବ୍ୟକ୍ତିଙ୍କ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କ ଆତ୍ମସମର୍ପଣ, ପ୍ରଜାଙ୍କ ଗହଣରେ ରାଜାଙ୍କୁ ସ୍ୱାଗତ ଭଳି । ଏହି ସମସ୍ତ ଦୃଶ୍ୟକୁ ନଅଟି ଭାଗରେ ବିଭକ୍ତି କରାଯାଇଛି । ଗବେଷକମାନେ ଏଥିରେ ଯେଉଁ ରାଜାଙ୍କ ଉଲ୍ଲେଖ କରିଛନ୍ତି, ସେ ରାଜା ଖାରବେଳ ବୋଲି ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ :-  ରାସ୍ତା କଡ଼ରେ ହାସ୍ୟ ଅଭିନେତା ରାଜକିଶୋର, ପରିବାର ଚଳାଇବାକୁ ବିକିଲେ ପରିବା

ରାଣୀଗୁମ୍ଫା ଉପରେ ଏମିତି ଅନେକ ପୁସ୍ତକ ଲେଖାଯାଇଛି । ଯେଉଁଥିରେ ରାଜା ଖାରବେଳଙ୍କ ସାମ୍ରାଜ୍ୟ, ରହସ୍ୟମୟ ଗୁମ୍ଫା ଓ ରଙ୍ଗମଞ୍ଚ ବିଷୟରେ ଉଲ୍ଲେଖ କରାଯାଇଛି । ଓଡ଼ିଶାର ଜଣାଶୁଣା ଗବେଷକ ଡା. ଇନ୍ଦ୍ରମଣି ଜେନା ‘ଖଣ୍ଡଗିରି-ଉଦୟଗିରି ଗୁମ୍ଫା ପରିଚୟ’ ନାମକ ଏକ ପୁସ୍ତକ ଲେଖିଛନ୍ତି । ଯେଉଁଥିରେ ସେ ଦୁଇ ପାହାଡ଼ରେ ଥିବା ଗୁମ୍ଫା ଉପରେ ଅନେକ ତଥ୍ୟ ରଖିଛନ୍ତି । ଏଥିରେ ସେ ରାଣୀଗୁମ୍ଫା ପରିସରରେ ହିଁ ଖାରବେଳଙ୍କ ରଙ୍ଗମଞ୍ଚ ଥିବା ଉଲ୍ଲେଖ କରିଛନ୍ତି । ଡା. ଜେନା କହିଛନ୍ତି, ଭରତମୁନିଙ୍କ ନାଟ୍ୟଶାସ୍ତ୍ରର ରଚନା ହେବାର ବହୁ ପୂର୍ବରୁ ଖାରବେଳଙ୍କ ରଙ୍ଗମଞ୍ଚ ଥିଲା । ସେଠାରେ ନାଟକ ବି ପରିବେଷଣ ହେଉଥିଲା । ଏହାର ୩୦୦ବର୍ଷ ପରେ ଭରତମୁନିଙ୍କ ଶିଷ୍ୟମାନେ ଆସି ଏହି ରଙ୍ଗମଞ୍ଚକୁ ଦେଖିଥିଲେ । ହେଲେ ସମୟର ସ୍ରୋତରେ ଏହି ରଙ୍ଗମଞ୍ଚ ଏବେ ହଜିଯାଇଛି । ଯାହା ଅଛି, ତାହା କେବଳ ଅଂଶ ।