କଟକ,୨୭/୦୩(ସୁବ୍ରତ ଦାଶ): ଦିନ ଥିଲା ସେ ଦର୍ଶକଙ୍କୁ ହସେଇ ହସେଇ ବେଦମ୍ କରୁଥିଲେ । ନାଟକ ହେଉ କି ଧାରାବାହିକ ଅବା ଚଳଚ୍ଚିତ୍ର । ସବୁଥିରେ ସେ ହାସ୍ୟରସାତ୍ମକ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କଠୁ ପ୍ରଶଂସା ସାଉଁଟୁଥିଲେ । ଜୋର୍ ଯାର ମୂଲକ ତାର, ଦଇବ ଦଉଡ଼ି, କୁରୁକ୍ଷେତ୍ର, ହସ ଲୁହ ଭରା ଏହି ଦୁନିଆ, ପଞ୍ଜୁରୀ ଭିତରେ ଶାରୀ ଓ ରଣଭୂମି ପରି ସୁପର୍ହିଟ୍ ଫିଲ୍ମରେ ତାଙ୍କ ଅଭିନୟ ଦର୍ଶକଙ୍କ ମନ କିଣିଥିଲା । କିନ୍ତୁ ଭାଗ୍ୟର ବିଡ଼ମ୍ୱନା, କିଛି ବର୍ଷର ଅଭିନୟ ଯାତ୍ରା ପରେ ଏବେ ତାଙ୍କ ଜୀବନର ଗତିପଥ ବଦଳିଛି । ଦର୍ଶକଙ୍କୁ ହସ ବାଣ୍ଟୁଥିବା ରାଜକିଶୋର ସାହୁ(୫୪) ଏବେ ପରିବାର ଚଳାଇବାକୁ ଅଭିନୟ ଛାଡ଼ି ରାସ୍ତା ପାଶ୍ୱର୍ରେ ପରିବା ବ୍ୟବସାୟ କରୁଛନ୍ତି ।
କଟକ ତୁଳସୀପୁର ମଠସାହିରେ ଜନ୍ମିତ ରାଜକିଶୋରଙ୍କ ଅଭିନୟ ଯାତ୍ରା ୧୯୭୯ ମସିହାରୁ ଆରମ୍ଭ ହୋଇଥିଲା । ପ୍ରଥମେ ମଞ୍ଚ ନାଟକ ‘ଭେଳା ବୁଡ଼ିଲା’ରେ ସେ ମଞ୍ଚ ଚଢ଼ିଥିଲେ । ଏହି ନାଟକର ନିର୍ଦ୍ଦେଶନା ଦେଇଥିଲେ ପ୍ରଖ୍ୟାତ ହାସ୍ୟ ଅଭିନେତା ଜୟୀରାମ ସାମଲ । ୧୪ ବର୍ଷ ବୟସରେ ପ୍ରଥମେ ନାଟକ ଓ ୧୯ ବର୍ଷ ବୟସରେ ପ୍ରଥମେ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ୧୯୯୬ ମସିହାରେ ଦୂରଦର୍ଶନର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ଭାବେ ତାଙ୍କୁ ମାନ୍ୟତା ମିଳିଥିଲା । ନାଟକରେ ଅଭିନୟ କରିବା ବେଳେ ଅନ୍ନପୂର୍ଣ୍ଣା ଥିଏଟର୍(ବି) ଗ୍ରୁପ୍, କଳା ବିକାଶ କେନ୍ଦ୍ର, ଜନତା ରଙ୍ଗମଞ୍ଚ ପରି ଓଡ଼ିଶା ତଥା ରାଜ୍ୟ ବାହାରେ ଗୁଜରାଟ, ଆହ୍ଲାବାଦ, ଆସାମ ଓ ବନାରସ ଆଦି ବିଭିନ୍ନ ସ୍ଥାନରେ ନାଟକ ପରିବେଷଣ କରିବାର ସେ ସୁଯୋଗ ପାଇଥିଲେ । ଅଭିନୟ ଯାତ୍ରାରେ ତାଙ୍କର ଗୁରୁ ଥିଲେ ହାସ୍ୟ ଅଭିନେତା ଜୟୀରାମ ସାମଲ । ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ର ରାଜକିଶୋରଙ୍କୁ ‘ଜୋର୍ ଯାର ମୂଲକ ତାର’ ଚଳଚ୍ଚିତ୍ରରେ ପ୍ରଥମେ ସୁଯୋଗ ଦେଇଥିଲେ । ଦୂରଦର୍ଶନରେ ଏକାଧିକ ଧାରାବାହିକରେ ସେ ଅଭିନୟ କରିଛନ୍ତି । ଚମତ୍କାର ଅଭିନୟ ପାଇଁ ସେ ରାଷ୍ଟ୍ରପତିଙ୍କଠୁ ପୁରସ୍କୃତ ହୋଇଥିଲେ । କଟକ କଳାବିକଶ କେନ୍ଦ୍ର ପକ୍ଷରୁ ୧୯୯୫ ମସିହାରେ ରାଷ୍ଟ୍ରପତି ଭବନରେ ‘ଗୌତମ ବୁଦ୍ଧ’ଙ୍କ ଉପରେ ଏକ ନାଟକ ପରିବେଷଣ ହୋଇଥିଲା । ଏଥିରେ ସେ ବେଶ୍ ଦମଦାର ଅଭିନୟ କରି ତତ୍କାଳୀନ ରାଷ୍ଟ୍ରପତି ଡ. ଶଙ୍କର ଦୟାଲ ଶର୍ମାଙ୍କ ଠାରୁ ଉଚ୍ଚ ପ୍ରଶଂସିତ ହେବା ସହ ପୁରସ୍କୃତ ହୋଇଥିଲେ ।
ଅଧିକ ପଢ଼ନ୍ତୁ :- ବିଶ୍ୱ ନାଟ୍ୟ ଦିବସ: ନାଟକ ପାଇଁ ଅର୍ଥ ନାହିଁ କି ଭିତ୍ତିଭୂମି ନାହିଁ, ନାଟୁଆଙ୍କ ପେଟ ଅପୋଷା
ହେଲେ ଏବେ ରାଜକିଶୋରଙ୍କ ଜୀବନରେ ସବୁ କିଛି ବଦଳି ଯାଇଛି । ବୟସ ବଢ଼ିବା ସହ ତାଙ୍କ ହାତରେ କୌଣସି ସିନେମାର ଅଫର୍ ନାହିଁ । ବାଧ୍ୟ ହୋଇ ପରିବାର ପ୍ରତିପୋଷଣ ପାଇଁ ପରିବା ବ୍ୟବସାୟକୁ ଆପଣାଇଛନ୍ତି । ସିଡିଏ-୮ ନମ୍ୱର ପରିବା ମାର୍କେଟ୍ରେ ୬ ବର୍ଷ ହେବ ପରିବା ବ୍ୟବସାୟ କରୁଛନ୍ତି । ରାତି ୩ଟାରୁ ପରିବା ମଣ୍ଡି ଛତ୍ରବଜାରରୁ ପରିବା ଆଣି ସକାଳ ୧୦ ଯାଏ ବେପାର କରୁଛନ୍ତି । ରାଜକିଶୋର କ୍ଷୋଭର ସହ କହନ୍ତି, କଳାକାର ଭତ୍ତା ପାଇଁ ଦୁଇ ବର୍ଷ ତଳୁ ଆବେଦନ କରିଥିଲି । କିନ୍ତୁ ଆଜି ଯାଏ ଭତ୍ତା ମିଳିପାରି ନାହିଁ । ଏନେଇ ଅନେକ ଅଧିକାରୀଙ୍କୁ ଦେଖା କରିଥିଲେ ବି କିଛି ସୁଫଳ ମିଳିନାହିଁ । ପରିବାର ଚଳାଇବାକୁ ପରିବା ବ୍ୟବସାୟ ଛଡ଼ା ଅନ୍ୟ କୌଣସି ରୋଜଗାରପନ୍ଥା ନାହିଁ ।