ମନମୁଣ୍ଡା, ୧୬।୧୨ : ବୌଦ୍ଧ ଜିଲ୍ଲାରେ ଖରିଫ ଧାନ କ୍ରୟର ଶୁଭାରମ୍ଭ ହୋଇଛି। ବୌଦ୍ଧ ନିୟନ୍ତ୍ରିତ ବଜାର କମିଟି ଆନୁକୂଲ୍ୟରେ ମନମୁଣ୍ଡା ବଜାର ପ୍ରାଙ୍ଗଣ ମଣ୍ଡିରେ କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ। ଜିଲ୍ଲାପାଳ ବିଭୂତି ଭୂଷଣ ନାଏକ, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ସି ଏସଓ ଶ୍ରୀନାଥ ହାଁସଦା , କଣ୍ଟାମାଳ ତହସିଲଦାର ଶ୍ୱେତପଦ୍ମା ଯୋଶୀ, ଡିଆରସିଏସ ଫକିର ବାଘ , ମନମୁଣ୍ଡା ସେବା ସମବାୟ ସମିତି ସଭାପତି ଦାନି , କୃଷକ ନେତା ସୂର୍ଯ୍ୟ କୁମାର ମହାପାତ୍ର , ମିଲ ମାଲିକ ସଭାପତି ଅଶୋକ କୁମାର ଅଗ୍ରୱାଲ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ।
ଟୋକନ ପ୍ରଦାନରେ ଅବ୍ୟବସ୍ଥା ଦେଖାଦେଇଥିବା , ଅନେକ ଚାଷୀ ଧାନ ବିକ୍ରି ପାଇଁ ଦେଇଥିବା ମାସ ଅନୁଯାୟୀ ଟୋକନ ପାଇ ନ ଥିବା ଅଭିଯୋଗ ଉପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା। ଧାର୍ଯ୍ୟ ସମୟ ମଧ୍ୟରେ ସମସ୍ତ ଚାଷୀ ଙ୍କ ଧାନ ଯେପରି କ୍ରୟ କରାଯିବ ସେ ଉପରେ ପ୍ରଶାସନ ତତ୍ପର, ଚାଷୀଙ୍କ ଧାନ ବର୍ଷା, କାକର ରେ ଯେପରି ଖରାପ ନ ହେବ ସେ ଉପରେ ଦୃଷ୍ଟି ଦିଆଯିବ, ମଣ୍ଡିରେ ଆଲୋକିକରଣ, ପିଇବା ପାଣି, ଚାଷୀଙ୍କ ଆଶ୍ରୟସ୍ଥଳୀ ବ୍ୟବସ୍ଥା, ମଣ୍ଡିରୁ ଚୋରି ଯେପରି ନ ହେବ ସେ ଉପରେ ଧ୍ୟାନ ଦିଆଯିବ ବୋଲି ପ୍ରଶାସନ ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲା।
ଡାଙ୍ଗମୁଣ୍ଡା , ଖଲିଆମୁଣ୍ଡା , କୁର୍ତିପାଲି ଏବଂ ଉଚ୍ଚବାହାଲି ଗ୍ରାମକୁ ଚଳିତ ଖରିଫର ଧାନ ମନମୁଣ୍ଡା ମଣ୍ଡି ବଦଳରେ ଗୁଡ଼ଭେଲିପଦର ମଣ୍ଡିରେ ପଞ୍ଜିକରଣ କରାଯାଇଥିବା ନେଇ ସେଠାରେ ଭିତ୍ତିଭୂମି ଅବ୍ୟବସ୍ଥା ଓ ଚୋରିର ଭୟ ନେଇ ଉକ୍ତ ଗ୍ରାମର ଚାଷୀ ଅଭିଯୋଗ କରିଥିଲେ। ଉକ୍ତ ସମସ୍ତ ଗ୍ରାମ କୁ ପୂର୍ବ ପରି ମନମୁଣ୍ଡା ମଣ୍ଡି ଅଧୀନରେ ରଖିବା ପାଇଁ ବିଧାୟକ ଶ୍ରୀ ଡାଙ୍ଗ ଜିଲ୍ଲାପାଳ ଏବଂ ଅନ୍ୟ ଅଧିକାରୀଙ୍କୁ କହିଥିଲେ। ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଭାସ୍କର ପାଣିଗ୍ରାହୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ମନମୁଣ୍ଡା ଏସ ସି ଏସ ସଭାପତି ଶ୍ରୀ ଦାନି ଧନ୍ୟବାଦ ଅର୍ପଣ କରିଥିଲେ । ଆରଏମସି କର୍ମଚାରୀ ସୁକୁମାର ପ୍ରଧାନ, ରମେଶ ବାଘ, ରଶ୍ମିରଞ୍ଜନ କୁଦେଇ ଏବଂ ମନମୁଣ୍ଡା ଏସସିଏସ ସମ୍ପାଦକ ମୃତ୍ୟୁଞ୍ଜୟ ହୋତା ସମସ୍ତ ସହଯୋଗ କରିଥିଲେ।