ଭୁବନେଶ୍ୱର,୦୮/୧୧: ଖୋର୍ଦ୍ଧା ଜିଲ୍ଲାରେ  ଗତବର୍ଷ(ଜାନୁଆରୀରୁ ସେପ୍ଟେମ୍ବର) ତୁଳନାରେ  ଚଳିତବର୍ଷ ୧୧.୦୧ ପ୍ରତିଶତ ଅଧିକ ଦୁର୍ଘଟଣା ଘଟିଛି ।  ୬ଜଣଙ୍କ ଜୀବନ ଗଲାଣି । ଜାତୀୟ ରାଜପଥରେ ହିଁ  ସର୍ବାଧିକ ମୁଣ୍ଡ ଗଡି଼ଛି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ  ଆୟୋଜିତ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ବୈଠକରେ  ଏହି ତଥ୍ୟ ଉପସ୍ଥାପନ କରାଯାଇଛି । ଶୀତଋତୁ ଆରମ୍ଭ  ହୋଇଗଲାଣି । ନଭେମ୍ବରରୁ ଫେବ୍ରୁଆରୀ ଭିତରେ ପିକ୍‌ନିକ୍‌  ଓ କୁହୁଡ଼ି ଯୋଗୁ ଦୁର୍ଘଟଣା ବଢ଼ିବା ଆଶଙ୍କା ରହିଛି । ବର୍ଷକ  ଭିତରେ ଦୁର୍ଘଟଣାର ଏହି ବର୍ଦ୍ଧିତ ତଥ୍ୟ ଜିଲ୍ଲା ପ୍ରଶାସନ  ସହ ପରିବହନ ବିଭାଗର ଚିନ୍ତା ବଢାଇ ଦେଇଛି । 

ଗତବର୍ଷ ଜାନୁଆରୀରୁ ସେପ୍ଟେମ୍ବର ଭିତରେ ମୋଟ  ୮୪୯ଟି ଦୁର୍ଘଟଣା ଘଟିଥିଲା । ଚଳିତବର୍ଷ ଏହି ସଂଖ୍ୟା  ବଢ଼ିକି ୯୫୪ରେ ପହଞ୍ଚିଛି । ଦୁର୍ଘଟଣା ଯୋଗୁ ଗତବର୍ଷ  ୨୭୦ଜଣଙ୍କ ମୃତ୍ୟୁ ଘଟିଥିଲା । ଚଳିତଥର ୨୭୬ଜଣଙ୍କ  ଜୀବନ ଗଲାଣି । ଯାହାକି, ଗତବର୍ଷ ତୁଳନାରେ ୨.୧୭  ପ୍ରତିଶତ ଅଧିକ । ଅବଶ୍ୟ, ଦୁର୍ଘଟଣାରେ ଗୁରୁତର  ଆହତଙ୍କ ଗ୍ରାଫ୍‌ ସାମାନ୍ୟ ଖସିଛି । ଗତବର୍ଷ ୯ ମାସରେ  ୫୪୭ଜଣ ଗୁରୁତର ହୋଇଥିବା ବେଳେ ଚଳିତ ଥର  ମୋଟ ୫୩୪ଜଣ ଗୁରୁତର ଆହତ ହୋଇଛନ୍ତି । ପୂର୍ବରୁ ଜାତୀୟ ରାଜପଥ ନଂ-୧୬ରେ ଓଭରବ୍ରିଜ୍‌  ନଥିବାରୁ ଅଧିକାଂଶ ଦୁର୍ଘଟଣା ଘଟୁଥିଲା। କେଉଁଠି  ପଥଚାରୀ କିମ୍ବା ଗାଡି଼ଚାଳକଙ୍କୁ ଭାରୀଯାନ ଧକ୍କା ଦେଇ  ଖସି ପଳାଉଥିଲା । କେଉଁଠି ଚାଲିକରି ଏନ୍‌ଏଚ୍‌ ପାର୍‌  ବେଳେ ଗାଡି଼ ଚକା ତଳେ ଲୋକଙ୍କ ଜୀବନ ଯାଉଥିଲା ।  କିନ୍ତୁ ବର୍ତ୍ତମାନ ଭୁବନେଶ୍ୱର ପାହାଳଠାରୁ ଖୋର୍ଦ୍ଧା ସୀମା  ଶେଷ ଯାଏ ଓଭରବ୍ରିଜ୍‌ ନିର୍ମାଣ ସରିଛି । ଏଥିଯୋଗୁ ଏନ୍‌ଏଚ୍‌ରେ ବ୍ଲାକ୍‌ ସ୍ପଟ୍‌ର ସଂଖ୍ୟାରେ ବି ହ୍ରାସ ପାଇଛି । ଏନ୍‌ଏଚ୍‌ରେ ଓଭରବ୍ରିଜ୍‌ ନିର୍ମାଣ ସତ୍ତେ୍ୱ ସଡ଼କ ସୁରକ୍ଷା  ବଢ଼ିବାକୁ ନେଇ ସଡ଼କ ସୁରକ୍ଷା ବିଶେଷଜ୍ଞ ସୁବ୍ରତ ନନ୍ଦ  ଚିନ୍ତାପ୍ରକଟ କରିଛନ୍ତି ।

ସେ କହିଛନ୍ତି, ସହରାଞ୍ଚଳରେ  ମଧ୍ୟ ଦୁର୍ଘଟଣା ଥମିବାର ନାଁ ନେଉନି । ଟ୍ରାଫିକ୍‌  ଚେକିଂରେ ଢିଲା ଯୋଗୁ ଅମାନିଆଙ୍କ ବିପଥଗାମୀ  ଗାଡି଼ ଚାଳନା ଦୁର୍ଘଟଣାର ମୁଖ୍ୟ କାରଣ ପାଲଟିଛି ।