ଭଦ୍ରକ, ୦୩/୧୦: ମାନସିକ ବିକୃତ ମହିଳାଙ୍କୁ ଅପହରଣ । ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ରିଜର୍ଭ ପୁଲିସ ଗ୍ରାଉଣ୍ଡ ନିକଟ ଦୋକାନ ବରଣ୍ଡାରୁ ମହିଳାଙ୍କୁ ଟ୍ରକ୍ ଡ୍ରାଇଭର ଟେକି ନେଉଥିବା ସିସିଟିଭି ଭିଜୁଆଲରେ ଦେଖିବାକୁ ମିଳିଛି । ଶୁକ୍ରବାର ଏହି ଭିଡିଓ ଭାଇରଲ ହେବା ପରେ ଭଦ୍ରକ ଟାଉନ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ, ରିଜର୍ଭ ପୁଲିସ ଗ୍ରାଉଣ୍ଡକୁ ଲାଗି ପୁରୁଣା ଫାଣ୍ଡି ନିକଟରେ ଦୋକାନ ରହିଛି । ସେହି ଦୋକାନ ବାରଣ୍ଡାରେ ମହିଳା ଜଣକ ରୁହନ୍ତି । ଦିନରେ ଏଣେତେଣେ ବୁଲନ୍ତି ଆଉ ରାତି ହେଲେ ସେଠାରେ ବିଶ୍ରାମ ନିଅନ୍ତି । ମାଗିଯାଚି ଯାହା ଆଣନ୍ତି ଖାଇ ଶୋଇପଡ଼ନ୍ତି । ସ୍ଥାନୀୟ ବ୍ୟବସାୟୀ ବି ମହିଳାଙ୍କ ଖାଦ୍ୟପେୟ କଥା ବୁଝନ୍ତି । ହେଲେ ୨ ତାରିଖ ସନ୍ଧ୍ୟା ବେଳେ ମହିଳା ଜଣକ ଫେରିନ ଥିଲେ । ସ୍ଥାନୀୟ ଲୋକଙ୍କ ସନ୍ଦେହ ବଢିଥିଲା । ନିକଟ ସିସିଟିଭି ଯାଞ୍ଚ ହୋଇଥିଲା । ସିସିଟିଭିରେ ଦେଖିବାକୁ ମିଳିଲା ଯେ, ମଧ୍ୟ ରାତ୍ରି ୧୨ଟା ୫୫ ରେ ଏକ ଟ୍ରକ୍ ଆସି ଅଟକି ଥିଲା । ଗାଡ଼ିରୁ ଜଣେ ଯୁବକ ଓହ୍ଲାଇ ଆସି ମହିଳାଙ୍କୁ ଧରିବାକୁ ଉଦ୍ୟମ କରିଥିଲେ । ମହିଳା ଜଣକ ଚିତ୍କାର କରୁଥିବା ସିସିଟିଭିରେ ଶୁଣିବାକୁ ମିଳିଛି । ଯୁବକ ଜଣକ ମହିଳାଙ୍କୁ ଅପହରଣ କରି ନେଇଥିଲେ । ବୁଧବାର ରାତିରେ ଅପହରଣ ସମୟର ସିସିଟିଭି ଫୁଟେଜ୍ ଶୁକ୍ରବାର ପ୍ରଘଟ ହେବା ପରେ ପୁଲିସ ତତ୍ପରତା ଦେଖାଇଛି । ଭଦ୍ରକ ଏସପି ମନୋଜ ରାଉତ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ କେଉଁ କାରଣରୁ ମହିଳାଙ୍କୁ ଅପହରଣ କରିଛନ୍ତି ତାହା ସ୍ପଷ୍ଟ ହୋଇନଥିବା ବେଳେ ଅପହରଣ ପଛରେ କାରଣକୁ ନେଇ ସନ୍ଦେହ ବଢିଛି।
କହିରଖୁ କି, ଗତ ବର୍ଷ ବନ୍ତ ଛକ ଅଞ୍ଚଳରୁ ଜଣେ ମାନସିକ ବିକୃତ ମହିଳା ଗର୍ଭବତୀ ହୋଇ ପିଲା ଜନ୍ମ ଦେଇଥିଲେ । ଏବେ ଅପହରଣ ନେଇ ନାନା ଚର୍ଚ୍ଚା ହେଉଛି । ତୁରନ୍ତ ଅପହୃତାଙ୍କ କବଳରୁ ମହିଳାଙ୍କୁ ଉଦ୍ଧାର ଲାଗି ଦାବି ହେଉଛି।