ନୂଆଦିଲ୍ଲୀ ୦୯/୦୯:  ରୁଷ୍‌-ୟୁକ୍ରେନ ଯୁଦ୍ଧ ଦୁଇ ଦେଶର ପିଲାଙ୍କ ଅଧ୍ୟୟନ ଉପରେ ଗଭୀର ପ୍ରଭାବ ପକାଇଛି । ଫେବ୍ରୁଆରୀ ୨୦୨୨ରେ  ଯୁଦ୍ଧ ଆରମ୍ଭ ହେବା ପରେ ୟୁକ୍ରେନର ଗୋଟିଏ ସ୍କୁଲ ବନ୍ଦ କରିବାକୁ ପଡ଼ିଥିଲା । ଏଥିଯୋଗୁ ପିଲାଙ୍କ ଅଧ୍ୟୟନ ଅନ୍‌ଲାଇନ୍‌ରେ ସୀମିତ ହୋଇଗଲା । ଏବେ ୩ ବର୍ଷ ପରେ ମାଇକୋଲେଭ୍‌ ସହରରେ ସ୍ଥିତ ଏହି ସ୍କୁଲ ପୁଣି ଖୋଲିଛି ।  କିନ୍ତୁ ଏବେ ସ୍କୁଲକୁ ଭୂମିଠୁ ହାରାହାରି ୭ ଫୁଟ ତଳେ ଆଶ୍ରୟସ୍ଥଳୀ ରୂପେ ନିର୍ମାଣ କରାଯାଇଛି, ଯାହା ଫଳରେ  ପିଲାମାନେ ସୁରକ୍ଷିତ ମାହୋଲରେ ଅଧ୍ୟୟନ କରିପାରିବେ ।  ୟୁକ୍ରେନର ମାଇକୋଲେଭ୍‌ ସହରରେ ୨୦୨୨ ମସିହା ପରଠୁ  ପିଲା ସ୍କୁଲ ଦେଖିନଥିଲେ । ସେବେଠୁ ବନ୍ଦ ଥିବା ଏହି  ସ୍କୁଲ ଚଳିତ ସପ୍ତାହ ଆଶ୍ରୟସ୍ଥଳୀ ଭାବେ ଖୋଲିଛି । ରୁଷ୍‌  ଆକ୍ରମଣ ପରଠୁ ପ୍ରଥମ ଥର ୟୁକ୍ରେନର ଏହି ସହରରେ  ୫୩ ବିଦ୍ୟାର୍ଥୀ ଅଧ୍ୟୟନ ପାଇଁ ସ୍କୁଲକୁ ଫେରିଛନ୍ତି । ଏଠାରେ ୟୁନିସେଫ୍‌ର ପାଣ୍ଠି ସାହାଯ୍ୟରେ ଆଶ୍ରୟସ୍ଥଳୀ ସ୍କୁଲ ନିର୍ମିତ  ହୋଇଛି ।

୧୬ ବର୍ଷୀୟା ଡାରିୟା ନାମ୍ନୀ ଛାତ୍ରୀ କହନ୍ତି, ଯୁଦ୍ଧ ପୂର୍ବରୁ ତାଙ୍କ  ସ୍କୁଲ କେମିତି ଦିଶୁଥିଲା, ତାଙ୍କର ଠିକ୍‌ରେ ମନେନାହିଁ ।  ଯୁଦ୍ଧ ଯୋଗୁ ତାଙ୍କ ପାଖରେ ଏବେ ସ୍କୁଲର କୌଣସି ଖାସ୍‌  ସ୍ମୃତି ନାହିଁ । ୨୦୨୦ରେ କରୋନା ମହାମାରୀ ଯୋଗୁ ଏହି  ସ୍କୁଲ ବନ୍ଦ ହୋଇଥିଲା । ୨୦୨୧ରେ ହାଇବ୍ରିଡ୍‌ ମଡେଲ  ଦ୍ୱାରା ଅଧ୍ୟୟନ ଆରମ୍ଭ ହେଲା । କିନ୍ତୁ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ  ଯୋଗୁ ସ୍କୁଲ ପୁନଃ ବନ୍ଦ ହେଲା । ପିଲା  କହନ୍ତି, ଅନ୍‌ଲାଇନ୍‌ କ୍ଲାସ୍‌ କରି ସେମାନେ ଥକିପଡ଼ିଲେଣି । ଏବେ ସ୍କୁଲ ଯାଇ ନୂଆ ସାଙ୍ଗ କରିବାକୁ ଚାହୁଁଛନ୍ତି ।

ୟୁନିସେଫ୍‌ ମାଇକୋଲେଭ୍‌ କ୍ଷେତ୍ରରେ  ସ୍ଥାନୀୟ ପ୍ରଶାସନ ସହ ମିଶି ଆଶ୍ରୟସ୍ଥଳୀ  ସ୍କୁଲ ନିର୍ମାଣରେ ପାଣ୍ଠି ଯୋଗାଇଛି । ସ୍କୁଲରେ  ଅଧ୍ୟୟନ କରିବା ଯୋଗୁ ପିଲାଙ୍କ ମାନସିକ  ସ୍ୱାସ୍ଥ୍ୟରେ ଧୀରେ ଧୀରେ ଉନ୍ନତି ହେଉଛି ।