କଟକ,୦୮/୦୪: କିଟ୍‌  ଛାତ୍ରୀନିବାସରେ ଜଣେ ନେପାଳୀ  ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଜାତୀୟ ମାନବାଧିକାର କମିସନ୍‌ (ଏନ୍‌ଏଚ୍‌ଆର୍‌ସି) ଙ୍କ ପକ୍ଷରୁ କରାଯାଇଥିବା ପ୍ରୋସିଡିଂ ଉପରେ ହାଇକୋର୍ଟ ସୋମବାର ରହିତାଦେଶ ଜାରି  କରିଛନ୍ତି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏନ୍‌ଏଚ୍‌ଆର୍‌ସିଙ୍କ ଆଦେଶ ଆଧାରରେ  କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି କିଟ୍‌ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌  ଏସ୍‌.କେ. ପାଣିଗ୍ରାହୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ରାଜ୍ୟ ସରକାର, ଏନ୍‌ଏଚ୍‌ଆର୍‌ସି  ଏବଂ ଅନ୍ୟାନ୍ୟ ପକ୍ଷଙ୍କୁ ଜବାବ ଦାଖଲ  ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  

ମାମଲାରୁ ଜଣାଯାଇଛି ଯେ, କିଟ୍‌ରେ ପଢୁଥିବା ନେପାଳର ଜଣେ  ଛାତ୍ରୀ ଆତ୍ମହତ୍ୟା କରିଥିଲେ । ଏହି  ଘଟଣାକୁ ନେଇ ଖୋର୍ଦ୍ଧା ଜିଲ୍ଲା ଶିଶୁ ମଙ୍ଗଳ  କମିଟି ପକ୍ଷରୁ ତଦନ୍ତ କରାଯାଇ କିଟ୍‌ ବିରୋଧରେ କେତେକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଏହି ଆଦେଶ ବିରୋଧରେ କିଟ୍‌ ପକ୍ଷରୁ ହାଇକୋର୍ଟରେ ଏକ ମାମଲା  ରୁଜୁ ହୋଇଥିଲା । ଅପରପକ୍ଷରେ  ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ  ଜାତୀୟ ମାନବାଧିକାର କମିସନ ଗତ  ମାର୍ଚ୍ଚ ୩ ତାରିଖରେ କଗ୍‌ନିଜାନ୍ସ ଗ୍ରହଣ  କରିଥିଲେ । ଏଥିସହ ତଦନ୍ତ ପାଇଁ  କମିସନ୍‌ଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଏନ୍‌ଏଚ୍‌ଆର୍‌ସି ପକ୍ଷରୁ ଏକ୍‌ ଫ୍ୟାକ୍ଟ  ଫାଇଣ୍ଡିଂ ଟିମ୍‌ ମଧ୍ୟ ଗଠନ କରାଯାଇଥିଲା ।  ଏହାପରେ ଏନ୍‌ଏଚ୍‌ଆର୍‌ସି ଟିମ୍‌ କିଟ୍‌  ଆସି ଘଟଣାର ତଦନ୍ତ କରିବା ସହ ଗତ  ମାର୍ଚ୍ଚ ୨୭ରେ ଆଦେଶ ମଧ୍ୟ ଦେଇଥିଲେ । ଏନ୍‌ଏଚ୍‌ଆର୍‌ସିଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ  ବିରୋଧ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।