ମୁମ୍ବାଇ,୨୧/୧୦: ମହାରାଷ୍ଟ୍ରର  ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଏନ୍‌ସିପି  ନେତା ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ  ରବିବାର ଆଉ ଜଣେ ଅଭିଯୁକ୍ତଙ୍କୁ  ଗିରଫ କରାଯାଇଛି । ନଭି ମୁମ୍ବାଇ  ଅଞ୍ଚଳରୁ ଅଭିଯୁକ୍ତ ଭଗୱନ୍ତ ସିଂହକୁ  ଉଠାଇ ନେଇଛି ପୁଲିସ । ପୁଲିସ  ମୁତାବକ, ଭଗୱନ୍ତ ସିଂହ ଜଣେ  ଅଭିଯୁକ୍ତ ସହ ବନ୍ଧୁକ ଆଣି ଉଦୟପୁରରୁ  ମୁମ୍ବାଇ ଆସିଥିଲା । ସେ ଆରମ୍ଭରୁ  ହିଁ ଷଡ଼ଯନ୍ତ୍ରକାରୀ ଏବଂ ଶୁଟରଙ୍କ  ଯୋଗାଯୋଗରେ ରହିଥିଲା । ମୁମ୍ବାଇ  ପୁଲିସ କ୍ରାଇମ୍‌ ବ୍ରାଞ୍ଚ୍‌ର ୧୫ଟି ଟିମ୍‌  ପୃଥକ୍‌ ପୃଥକ୍‌ ଦିଗରୁ ମାମଲାର ତଦନ୍ତ  କରୁଛନ୍ତି । ଶନିବାର ୫ ଜଣ ଅଭିଯୁକ୍ତଙ୍କୁ  ଗିରଫ କରାଯାଇଥିଲା । ଅକ୍ଟୋବର ୧୨  ରାତିରେ ବାବା ସିଦ୍ଦିକିଙ୍କୁ ତାଙ୍କ ପୁଅ  ଜିଶାନଙ୍କ କାର୍ଯ୍ୟାଳୟ ବାହାରେ ଗୁଳି  କରି ହତ୍ୟା କରାଯାଇଥିଲା । ଗ୍ୟାଙ୍ଗ୍‌ଷ୍ଟର୍‌  ଲରେନ୍ସି ବିଷ୍ଣୋଇର ଗ୍ୟାଙ୍ଗ୍‌ ଏହି ହତ୍ୟା  ଘଟଣା ପାଇଁ ନିଜକୁ ଦାୟୀ କରିଥିଲା ।  ଅନ୍ୟପକ୍ଷରେ ବାବା ସିଦ୍ଦିକିଙ୍କ ପୁଅ  ତଥା ବିଧାୟକ ଜିଶାନ ରବିବାର  ହତ୍ୟାକାରୀଙ୍କୁ ଚେତାବନୀ ଦେଇଛନ୍ତି । 

 ‘ଏକ୍ସ’ରେ ସେ ଲେଖିଛନ୍ତି, ଲଢ଼େଇ  ଏବେ ଶେଷ ହୋଇନାହିଁ । ସେମାନେ  ମୋ ପିତାଙ୍କୁ ଚୁପ୍‌ କରାଇଛନ୍ତି । କିନ୍ତୁ  ସେମାନେ ଭୁଲିଯାଇଛନ୍ତି ଯେ ସେ  ଜଣେ ସିଂହ ଥିଲେ । ମୁଁ ତାଙ୍କ ଗର୍ଜନ  ନିଜ ଭିତରେ ରଖିଛି । ତାଙ୍କ ସଂଘର୍ଷ  ମୋ ରକ୍ତରେ ପ୍ରବାହିତ ହେଉଛି । ମୋ  ପିତା ନ୍ୟାୟ ପାଇଁ ଛିଡ଼ା ହେଉଥିଲେ ।  ପରିବର୍ତ୍ତନ ପାଇଁ ଲଢ଼ୁଥିଲେ । ଅଦମ୍ୟ  ସାହସର ସହ ଝଡ଼ର ସାମ୍ନା କରୁଥିଲେ ।  ତାଙ୍କୁ ଚୁପ୍‌ କରାଇ ସେମାନେ ଭାବୁଛନ୍ତି  ଯେ ସେମାନେ ଜିତିଯାଇଛନ୍ତି । କିନ୍ତୁ  ମୁଁ ସେମାନଙ୍କୁ କହୁଛି ଯେ ମୋ  ପ୍ରଶିରାରେ ସିଂହର ରକ୍ତ ପ୍ରବାହିତ  ହେଉଛି । ମହାରାଷ୍ଟ୍ରର ସର୍ବକନିଷ୍ଠ  ବିଧାୟକ ଜିଶାନ ଆହୁରି ଲେଖିଛନ୍ତି,  ମୁଁ ଏବେ ବି ନିର୍ଭୟ ଓ ଅବିଚଳିତ ।  ଏହି ଲଢ଼େଇ ଶେଷ ହୋଇନାହିଁ ।  ଆଜି ମୁଁ ସେଇଠି ଛିଡ଼ା ହୋଇଛି,  ଯେଉଁଠି ମୋ ପିତା ଛିଡ଼ା ହୋଇଥିଲେ ।  ଜୀବିତ, ଅବିଚଳିତ ଏବଂ ପ୍ରସ୍ତୁତ।