ଭୁବନେଶ୍ୱର,୦୭/୦୬: କିନ୍ନରଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇ ପଡ଼ିଛନ୍ତି । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ସେ କୋମାରେ ଥିବା ଜଣାପଡ଼ିଛି । ପୁଲିସ ଆକ୍ରମଣକାରୀ ୨ କିନ୍ନରଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।

ନୂଆପଲ୍ଲୀ ଥାନା ପୁଲିସ ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୨ଟା ବେଳେ ଦୁଇଜଣ ଯୁବକ ଏକ ବାଇକ୍ରେ ସିଆରପି ଛକ ଦେଇ ଯାଉଥିଲେ । ଏହି ସମୟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା କିଛି କିନ୍ନର ସେମାନଙ୍କୁ ଠାରି ଡାକିଥିଲେ । ଦୁଇ ଯୁବକ ସେଠାରେ ଅଟକିବା ପରେ କିନ୍ନରମାନେ ପଛରେ ବସିଥିବା ଯୁବକକୁ ଘୋଷାଡ଼ି ନେଇଥିଲେ । ତାଙ୍କଠାରୁ ଟଙ୍କା ଓ ମୋବାଇଲ ଛଡ଼ାଇ ନେଇଥିଲେ । ଯୁବକ ଜଣଙ୍କ ପ୍ରତିବାଦ କରିବାରୁ କିନ୍ନରମାନେ ତାଙ୍କୁ ମାଡ଼ମାରି ତଳେ ପକାଇ ଦେଇଥିଲେ । ତଳେ ପଡ଼ିଯିବା ପରେ ତାଙ୍କୁ ବିଧା ଗୋଇଠା ମାରି ଚାଲିଥିଲେ । ଶେଷରେ ଯୁବକଙ୍କ ମୁଣ୍ଡକୁ ହେଲ୍ମେଟ୍ରେ ପିଟି ଦେଇଥିଲେ ।

 

ଏହି ସମୟରେ ଯୁବକଙ୍କ ସାଙ୍ଗ ଭୟରେ ସେଠାରୁ ଖସି ପଳାଇଥିଲେ । ସେହିବାଟ ଦେଇ ଯାଉଥିବା ବାଇକ୍ ଆରୋହୀ ଏବଂ ସ୍ଥାନୀୟ ଲୋକେ ପହଞ୍ଚିଯିବାରୁ ସେମାନଙ୍କୁ କିନ୍ନରମାନେ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ବିଭିନ୍ନପ୍ରକାର ଧମକଚମକ ଦେଇଥିଲେ । ଲୋକେ ପୁଲିସକୁ ଖବର ଦେଇଥିଲେ। ପିସିଆର ପୁଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇ ଯାଇଥିଲା । ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ବେଳେ ଏବେ ସେ କୋମାରେ ଥିବା ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ :-  ସୌମ୍ୟ ମୃତ୍ୟୁ ମାମଲା : ବଢିଲା ବରିଷ୍ଠ IPSଙ୍କ ଅଡୁଆ, ADG ଦୟାଲଙ୍କ ବିରୋଧରେ ହେବ ତଦନ୍ତ