ନୂଆଦିଲ୍ଲୀ : ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା କୋଲକାତା ନାଇଟ ରାଇଡର୍ସ । ବୋଲିଂ କରିବ ଗଜୁରାଟ ଜାଏଣ୍ଟ୍ସ । ଆଜି କୋଲକାତା ଆଲେନ ଫିନଙ୍କ ବଦଳରେ ଟିମ୍ ସେଫର୍ଟଙ୍କୁ ଦଳରେ ସୁଯୋଗ ଦେଇଛି । ଚଳିତ ବର୍ଷର ପ୍ରଥମ ବିଜୟ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ କୋଲକାତା । ସେପଟେ ପଏଣ୍ଟ ଟେବୁଲରେ ଉପରକୁ ଉଠିବା ପାଇଁ ମ୍ୟାଚ ବିଜୟ ଲକ୍ଷ୍ୟ ରଖିବ ଗିଲ୍ ବାହିନୀ ।
କୋଲକାତା ଇତି ମଧ୍ୟରେ ୫ଟି ମ୍ୟାଚ ଖେଳି ୧ ପଏଣ୍ଟ ଅର୍ଜନ କରିଛି । ବିଜୟ ଖାତା ଖୋଲି ନଥିବା କୋଲକାତା କେବଳ ପଞ୍ଜାବ ବିପକ୍ଷ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହେବାରୁ ପଏଣ୍ଟ ପାଇଥିଲା । ଦଳର ବୋଲିଂ ବିଭାଗ ଦୁର୍ବଳ ରହିଥିବା ବେଳେ ବ୍ୟାଟିଂ ବିଭାଗ ଲୟ ଫେରି ପାଇବାକୁ ସଂଘର୍ଷ କରୁଛି । କେବଳ କାର୍ତ୍ତିକ ତ୍ୟାଗୀଙ୍କୁ ଛାଡ଼ିଦେଲେ ଦଳର ବାକି ସବୁ ବୋଲର ନିରାଶ କରିଛନ୍ତି । ଇତି ମଧ୍ୟରେ ମଥିଶା ପତିରଣା ଦଳରେ ଯୋଗ ଦେଇଥିଲେ ହେଁ ଆଜି ଖେଳିବେ ନାହିଁ । ତେଣୁ ତ୍ୟାଗୀଙ୍କ ବୋଲିଂ ଉପରେ ଦଳ ନିର୍ଭର କରିବାକୁ ବାଧ୍ୟ । ଓପନିଂ ବିଭାଗର ବିଫଳତା ଯୋଗୁଁ କୋଲକାତା ବଡ଼ ସ୍କୋର କରିବାରେ ବିଫଳ ହେଉଛି ।
ଗୁଜରାଟ ଦଳ ୪ଟି ମ୍ୟାଚ ଖେଳି ୨ ବିଜୟ ସହ ୪ ପଏଣ୍ଟ ଅର୍ଜନ କରିଛି ଓ ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନରେ ରହିଛି । ୫ଦିନ ପରେ ଗ୍ରାଉଣ୍ଡକୁ ଓହ୍ଲାଇବାକୁ ଯାଉଥିବା ଗୁଜରାଟ ଦଳ ବୋଲିଂ ବିଭାଗ ସୁଧାରି ସାରିଥିଲେ ହେଁ ବ୍ୟାଟିଂ ବିଭାଗରେ ତ୍ରୁଟି ଦୂର ହୋଇ ନାହିଁ । ସାଇ ସୁଦର୍ଶନ ଓ ଶୁଭମନ ଗିଲଙ୍କ ପରେ ମଧ୍ୟ କ୍ରମର ପ୍ରଦର୍ଶନ ଅସ୍ଥିର ରହିଛି । ଅବଶ୍ୟ ଜୋସ ବଟଲର ଫର୍ମକୁ ଫେରିଥିବାରୁ ଦଳ ସାମାନ୍ୟ ଆଶ୍ୱସ୍ତ ରହିଛି ।