ନୂଆଦିଲ୍ଲୀ,୦୩/୦୧; ଅର୍ଡର ପରେ ତୁରନ୍ତ କାର୍ଯ୍ୟକାରୀ । ଆଇପିଏଲ ୨୦୨୬ ଖେଳିବେ ନାହିଁ ବାଂଲା କ୍ରିକେଟର । କୋଲକାତାରୁ ବିଦା ହେଲେ ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର । ବିସିସିଆଇର ନିର୍ଦ୍ଦେଶ ପରେ ତୁରନ୍ତ ରେହମାନଙ୍କୁ ରିଲିଜ୍ କରିଛି ବଲିଉଡ଼ ଷ୍ଟାର ଶାହରୁଖ ଖାନଙ୍କ କୋଲକାତା ନାଇଟ୍ ରାଇଡର୍ସ । ଭାରତ ଓ ବାଂଲାଦେଶ ମଧ୍ୟରେ ବିଗୁଡୁଥିବା ସମ୍ପର୍କ ମଧ୍ୟରେ ଏହି ନିଷ୍ପତ୍ତି ନେଇଛି ଫ୍ରାଞ୍ଚାଇଛି । କିଛି ଘଣ୍ଟା ପୂର୍ବରୁ ରେହମାନଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିବା ନେଇ ସୂଚନା ଦେଇଥିଲେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ସଚିବ ଦେବଜିତ୍ ସାଇକିଆ । ମୁସ୍ତାଫିଜୁରଙ୍କୁ ୯.୨୦ କୋଟି ଟଙ୍କାରେ କିଣିଥିଲା କୋଲକାତା ।
ରେହମାନଙ୍କୁ ଦଳରୁ ହଟାଇଥିବା ନେଇ ଏକ୍ସରେ ସୂଚନା ଦେଇଛି କୋଲକାତା ନାଇଟ୍ ରାଇଡର୍ସ । ୩ ଥର ଆଇପିଏଲ ଚାମ୍ପିଆନ ପୋଷ୍ଟରେ ଲେଖିଛି, '' ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୬ ପାଇଁ ମୁସ୍ତାଫିଜୁରଙ୍କୁ ଦଳରୁ ବାହାର କରିବାକୁ ବିସିସିଆଇ ଏବଂ ଆଇପିଏଲର ନିର୍ଦ୍ଦେଶ ଥିଲା । ବିସିସିଆଇ ଏବଂ ଆଇପିଏଲ ନିୟାମକ ଭାବରେ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍ ସିଜିନ୍ ପୂର୍ବରୁ ମୁସ୍ତାଫିଜୁର ରେହମାନଙ୍କୁ ଦଳକୁ ମୁକ୍ତ କରିବାକୁ ନିର୍ଦ୍ଦେଶ ହୋଇଛି । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶ ଅନୁଯାୟୀ, ଉପଯୁକ୍ତ ପ୍ରକ୍ରିୟା ଏବଂ ପରାମର୍ଶ ପରେ ରେହମାନଙ୍କୁ ରିଲିଜ କରାଯାଇଛି । ଆଇପିଏଲ୍ ନିୟମ ଅନୁଯାୟୀ ବିସିସିଆଇ କୋଲକାତା ନାଇଟ୍ ରାଇଡର୍ସକୁ ଜଣେ ବଦଳ ଖେଳାଳିଙ୍କୁ ଅନୁମତି ଦେବ ଏବଂ ଉପଯୁକ୍ତ ସମୟରେ ଅଧିକ ବିବରଣୀ ପ୍ରଦାନ କରାଯିବ ।''
ବିବାଦ କଣ ? ଗତ କିଛି ଦିନ ଧରି, କେକେଆର ଏବଂ ଏହାର ସହ-ମାଲିକ ଶାହରୁଖ ଖାନ୍ଙ୍କୁ ଅନେକ ରାଜନେତା ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀ ଟାର୍ଗେଟ କରିଥିଲେ । ଏହା ପରେ ବିବାଦରେ ଫସିଥିଲେ କେକେଆର । ଜାତୀୟ ଭାବନା ସତ୍ତ୍ୱେ ଫ୍ରାଞ୍ଚାଇଜ୍ ଜଣେ ବାଂଲାଦେଶୀ ଖେଳାଳିଙ୍କୁ କିଣିବାକୁ ନେଇ ଭାରତର ଅନେକ ଲୋକ ସମର୍ଥନ କରୁନାହାନ୍ତି ବୋଲି କୁହାଯାଇଥିଲା । ବିଜେପି ନେତା ସଂଙ୍ଗୀତ ସୋମ୍ ଶାହରୁଖଙ୍କ ଉପରେ ଦେଶଦ୍ରୋହୀ ଟିପ୍ପଣୀ ଦେଇଥିଲେ ।
KKR Media Advisory. 🔽 pic.twitter.com/ZUZB620Uv7
— KolkataKnightRiders (@KKRiders) January 3, 2026
କହି ରଖୁଛୁ କି, ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଜାରି ରହିଛି । ବାଂଲାରେ ହିନ୍ଦୁଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଉଛି । ୪ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ଏହାର ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ବାଂଲାଦେଶରେ ହିନ୍ଦୁ ସୁରକ୍ଷିତ ନଥିବା ବେଳେ ଉକ୍ତ ଦେଶର ଖେଳାଳଙ୍କୁ କାହିଁକି ଆଇପିଏଲରେ ଖେଳାଯିବାକୁ ନେଇ ବିବାଦ ଦେଇଖିବାକୁ ମିଳିଥିଲା । ଏହାକୁ ନେଇ ବିସିସିଆଇ କେକେଆର ଫ୍ରାଞ୍ଚାଇଜକୁ ମୁସ୍ତାଫିଜୁର ରେହମାନଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲା । ଏହାର ମାତ୍ର ୨ ଘଣ୍ଟା ଭିତରେ ରେହମାନଙ୍କୁ ରିଲିଜ କରିଛି କୋଲକାତା । ତେବେ ଭାରତ-ବାଂଲାଦେଶ ମଧ୍ୟରେ ବିଗୁଡୁଥିବା ସମ୍ପର୍କ ମଧ୍ୟରେ କ୍ରିକେଟର ବଳି ପଡିଛନ୍ତି