ନୂଆଦିଲ୍ଲୀ,୧୯/୦୫: ଗୁଜରାଟ ଟାଇଟନ୍ସ ବିପକ୍ଷ ଲିଗ୍‌ ମ୍ୟାଚ୍‌ରେ ଦିଲ୍ଲୀ  କ୍ୟାପିଟାଲ୍ସ ବ୍ୟାଟର କେଏଲ୍‌ ରାହୁଲ  (ଅପରାଜିତ ୧୧୨) ଶତକୀୟ ଇନିଂସ୍‌  ଖେଳିବା ସହ ଏକ ରେକର୍ଡ଼ ନିଜ ନାମରେ  ଲେଖାଇଛନ୍ତି । ସେ ଟି-ଟ୍ୱେଣ୍ଟି ଫର୍ମାଟ  କ୍ରିକେଟରେ ଭାରତୀୟ ବ୍ୟାଟର ଭାବେ  ଦ୍ରୁତତମ ୮,୦୦୦ ରନ୍‌ ପୂରଣ କରିବା  ସହ ବିରାଟ କୋହଲିଙ୍କ ନାମରେ ଥିବା  ପୂର୍ବ ରେକର୍ଡ଼ ଭଙ୍ଗ କରିଛନ୍ତି ।

ରାହୁଲ  ୨୨୪ଟି ଇନିଂସ୍‌ ଖେଳି ଏହି କାରନାମା କରିଛନ୍ତି । କୋହଲିଙ୍କୁ ୮,୦୦୦ରନ୍‌  ପୂରଣ ପାଇଁ ୨୪୩ଟି ଇନିଂସ୍‌ ଲାଗିଥିଲା । ୱେଷ୍ଟଇଣ୍ଡିଜର ପ୍ରସିଦ୍ଧ ଓପନର କ୍ରିସ୍‌  ଗେଲ୍‌ଙ୍କ ନାମରେ ଦ୍ରୁତତମ ୮,୦୦୦ ରନ୍‌  ରେକର୍ଡ଼ ରହିଛି । ସେ ୨୧୩ଟି ଇନିଂସ୍‌  ଖେଳି ଏହି ସଫଳତା ହାସଲ କରିଥିଲେ । ଏହି ତାଲିକାରେ ପାକିସ୍ତାନର ବାବର  ଆଜମ (୨୧୮ ଇନିଂସ୍‌) ଦ୍ୱିତୀୟ ଓ  ରାହୁଲ (୨୨୪ ଇନିଂସ୍‌) ତୃତୀୟ ସ୍ଥାନରେ ରହିଛନ୍ତି । ଟି-ଟ୍ୱେଣ୍ଟି ଫର୍ମାଟରେ ରାହୁଲ ୬ଟି ଶତକ ଏବଂ ୬୯ଟି ଅର୍ଦ୍ଧଶତକ  ଅର୍ଜନ କରି ସାରିଛନ୍ତି ।