ନୂଆଦିଲ୍ଲୀ : ‘ସିଟି ଅଫ୍ ଜୟ’ ଭାବରେ ଜଣାଶୁଣା କୋଲକାତା ଏବେ ପ୍ରବଳ ବର୍ଷା ପାଇଁ ଚାରିଆଡେ ଜଳମଗ୍ନ ହୋଇ ରହିଛି । ମୁସଳଧାରାରେ ବର୍ଷା ସହରରେ ଜଳପ୍ରଳୟ ପରିସ୍ଥିତି ଆଣିଦେଇଛି। ଅନେକ ଅଞ୍ଚଳ ଆଣ୍ଠୁଏ ପାଣିରେ ବୁଡ଼ି ରହିଛି । ରାସ୍ତା ଗୁଡ଼ିକ ବନ୍ୟାଗ୍ରସ୍ତ ହୋଇରହିଛି। ପ୍ରବଳ ବର୍ଷା ଯୋଗୁଁ ମେଟ୍ରୋ ଏବଂ ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇଛି। ଏପର୍ଯ୍ୟନ୍ତ ନଅ ଜଣଙ୍କ ପ୍ରାଣହାନୀ ଘଟିଲାଣି ।
ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ, ଉତ୍ତର-ପୂର୍ବ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା କରିଛି। ଗତ ୨୪ ଘଣ୍ଟାରେ କୋଲକାତାରେ ୨୪୭.୪ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ସେପ୍ଟେମ୍ବର ୧ ରୁ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ମୋଟ ବର୍ଷା (୧୭୬ ମିମି) ଠାରୁ ଅଧିକ। କୋଲକାତାର ଆଲିପୁରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଜଣେ ଅଧିକାରୀ କହିଛନ୍ତି,"ଲଘୁ ଚାପ କ୍ଷେତ୍ର ଯୋଗୁଁ କୋଲକାତାରେ ବିଳମ୍ବିତ ରାତିରେ ପ୍ରବଳ ବର୍ଷା ହୋଇଛି। ଏହି ବର୍ଷା ମଙ୍ଗଳବାର ଏବଂ ବୁଧବାର ପର୍ଯ୍ୟନ୍ତ ଜାରି ରହିବ।
ଗାରିଆ କାମଦାହାରୀ ଭଳି କିଛି ଅଞ୍ଚଳରେ ମାତ୍ର ଛଅ ଘଣ୍ଟା ମଧ୍ୟରେ ୩୩୨ ମିମି ବର୍ଷା,ଯୋଧପୁର ପାର୍କରେ ୨୮୫ ମିମି ଏବଂ କାଲିଘାଟରେ ୨୮୦ ମିମି ବର୍ଷା ହୋଇଛି। ମୌସୁମୀ ଋତୁ ପରେ ଏହି ଅସାଧାରଣ ବର୍ଷା ଦକ୍ଷିଣ ବଙ୍ଗର ପୂର୍ବ ଏବଂ ପଶ୍ଚିମ ମେଦିନୀପୁର, ଦକ୍ଷିଣ ୨୪ ପ୍ରଗଣା, ଝାରଗ୍ରାମ ଏବଂ ବାଙ୍କୁରା ଜିଲ୍ଲାକୁ ବ୍ୟାପିଛି। ଏହି ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି।