କୋଣାର୍କ,୧୯।୨ : ସ୍ବର୍ଗତ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ପ୍ରତିଷ୍ଠିତ କୋଣାର୍କ ନାଟ୍ୟ ମଣ୍ଡପ ପରିସରରେ ଗୁରୁବାର ୪୦ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ଉଦଘାଟିତ ହୋଇଛି। ଅତିଥିଭାବେ ଗୁରୁ ନିମାକାନ୍ତ ରାଉତରାୟ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ବିଜୟ ଜେନା,ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର,ଗୁରୁ ରମଣୀ ରଞ୍ଜନ ଜେନା, ନିମାପଡା ପ୍ରେସ କ୍ଲବ ସଭାପତି ଅକ୍ଷୟ ବେହେରା,ନାଟ୍ୟମଣ୍ଡପ ସମ୍ପାଦକ ଶିବାଶିଷ ପ୍ରଧାନ, ସୁଲୋଚନା ପ୍ରଧାନ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ।
ଉତ୍ସବ ପ୍ରାରମ୍ଭରେ ଘଣ୍ଟ ମର୍ଦ୍ଦଳ ଓ ଶଙ୍ଖ ଧ୍ବନି ତାଳେତାଳେ ବାବା ବାଲୁଙ୍କେଶ୍ୱର ମହାଦେବଙ୍କ ଆଜ୍ଞାମାଳ ମଞ୍ଚରେ ବିଜେ ହେବା ପରେ ନାଟ୍ୟ ମଣ୍ଡପ ଓ ନୃତ୍ୟାଳୟା ଡାନ୍ସ ଏକାଡେମୀର କଳାକାରମାନେ ଅପୂର୍ବ ନୃତ୍ୟ ଶୈଳୀରେ ପରିବେଷଣ କରିଥିଲେ ପଞ୍ଜଦେବସ୍ତୁତି। ଦ୍ବିତୀୟ ପର୍ଯ୍ୟାୟରେ ମୁମ୍ବାଇର କୈଳାସ ପାତ୍ରଙ୍କ ସୀତାର ବାଦନ,ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ କଳାକାରଙ୍କ ପକ୍ଷରୁ ଓଡିଶୀ ନୃତ୍ୟ ପରିବେଷଣ ହୋଇଥିଲା। ଶେଷରେ ବାଙ୍ଗାଲୋରର ଶ୍ବେତା ପ୍ରସନ୍ନ ଓ ଶିବରାଜନ ହରିଶ ପରିବେଷଣ କରିଥିଲେ କୁଚିପୁଡ଼ି ଓ ଭାରତନାଟ୍ୟମ୍ ନୃତ୍ୟ। ଏହି ଅବସରରେ ୩୦ତମ କୋଣାର୍କ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ହୃଷୀକେଶ ପାଣିଗ୍ରାହୀ, ସୁଦିପ୍ତା ପାଣିଗ୍ରାହୀ ସଞ୍ଚାଳନ କରିଥିବାବେଳେ ନାଟ୍ୟମଣ୍ଡପର ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ।