କୋଣାର୍କ, ୨୭/୧୧:  କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ନିମନ୍ତେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ସ୍ୱତନ୍ତ୍ର ପ୍ୟାକେଜ୍ ଟୁର୍ ବ୍ୟବସ୍ଥା ହୋଇଛି । ଏହି ସମୟରେ ଦୈନିକ ଭୁବନେଶ୍ୱର ଓ ପୁରୀରୁ ସ୍ୱତନ୍ତ୍ର ଏସି ବସ୍ ଚାଲିବ । ଏହା ଅପରାହ୍ଣ ସାଢ଼େ ୨ଟାରୁ ବାହାରି ରାତି ୧୧ଟାରେ ଫେରିବ । ଦିନିକିଆ ଟୁର୍‌ରେ ଭୁବନେଶ୍ୱରରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ସୂର୍ଯ୍ୟମନ୍ଦିର, ଚନ୍ଦ୍ରଭାଗା ବେଳାଭୂମି, ବାଲୁକା କଳା ଉତ୍ସବ, କୋଣାର୍କ ଉତ୍ସବ ନିମନ୍ତେ ଜଣଙ୍କ ପ୍ରତି ୧୮୪୦ ଟଙ୍କା ରହିଛି । ପୁରୀରୁ କୋଣାର୍କ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଜଣଙ୍କ ପ୍ରତି ୧୭୦୦ ଓ କଟକରୁ ଆସୁଥିବା ପର୍ଯ୍ୟଟକଙ୍କ ଲାଗି ୨୩୬୦ ଟଙ୍କା ରହିଥିବା ସହ ପର୍ଯ୍ୟଟନ ନିର୍ଦ୍ଦେଶକ ସରୋଜକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି । କୋଣାର୍କ ଉତ୍ସବ ଉପଲକ୍ଷେ ପର୍ଯ୍ୟଟକଙ୍କ ପାଇଁ ୫ ଦିନ ସୂର୍ଯ୍ୟମନ୍ଦିର ଲାଇଟ୍ ଆଣ୍ଡ ଶୋ’ ବନ୍ଦ ରହିବ ।

ଡିସେମ୍ବର ୧ରୁ କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ନିମନ୍ତେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପକ୍ଷରୁ ସ୍ବତନ୍ତ୍ର ପ୍ୟାକେଜ ଟୁର ବ୍ୟବସ୍ଥା ହୋଇଛି। ସୂର୍ଯ୍ୟମନ୍ଦିର ପାଦ ଦେଶ ମୁକ୍ତାକାଶ ରଙ୍ଗମଞ୍ଚରେ ୩୬ତମ କୋଣାର୍କ ଉତ୍ସବ, ଚନ୍ଦ୍ରଭାଗା ବେଳାଭୂମିରେ ୧୫ତମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେବ। ମୁକ୍ତାକାଶ ରଙ୍ଗମଞ୍ଚରେ ଦେଶବିଦେଶର ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କଳାକାରମାନଙ୍କ ଦ୍ବାରା ପ୍ରତ୍ୟହ ସନ୍ଧ୍ୟା ୬ଟାରୁ ୮ଟା ୩୦ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଓଡିଶୀ, କଥକଳି,କୁଚିପୁଡି,ଭାରତନାଟ୍ୟମ ଓ କଥକ ଆଦି ଶାସ୍ତ୍ରୀୟ ନୃତ୍ୟ ଅନୁଷ୍ଠିତ ହେବ। ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ବାଲୁକା କଳା ଉତ୍ସବରେ ଦେଶ ବିଦେଶର ଶତାଧିକ ବାଲୁକାଶିଳ୍ପୀ ଅଂଶଗ୍ରହଣ କରୁଛନ୍ତି। ଉତ୍ସବ ଉପଲକ୍ଷେ ପର୍ଯ୍ୟଟକଙ୍କ ପାଇଁ ପାଞ୍ଚ ଦିନ ସୂର୍ଯ୍ୟମନ୍ଦିର ଲାଇଟ ଆଣ୍ଡ ସୋ ବନ୍ଦ ରହିବ।