କୋଣାର୍କ,୩୦।୧୧, ଆମ ଐତିହ୍ୟ ଆମ ଗୌରବ ବାର୍ତ୍ତା ନେଇ ସୂର୍ଯ୍ୟ ମନ୍ଦିରରୁ ଗଡିଲା ସାଇକେଲ। କୋଣାର୍କ ପ୍ରେସ କ୍ଲବ ପକ୍ଷରୁ ଆୟୋଜିତ କୋଣାର୍କରୁ ରାମଚଣ୍ଡୀ ସାଇକ୍ଲୋଥନରେ ଛାତ୍ରଛାତ୍ରୀ, ସ୍ବେଚ୍ଛାସେବୀ, ଯୁବଗୋଷ୍ଠୀ ସମାଜସେବୀ ପ୍ରମୁଖ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୂସୁଦନ ସିଂହାରୀ, କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ଗୋପ ବ୍ଲକ ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକ, କୋଣାର୍କ ସାହିତ୍ୟ ସଂସଦ ସମ୍ପାଦକ ରବିନ୍ଦ୍ରନାଥ ବାହିନୀପତି ପ୍ରମୁଖ ଯୋଗଦେଇଥିଲେ।
ସାଇକେଲ ଶୋଭାଯାତ୍ରା କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖରୁ ବାହାରି ବଜାର ପରିକ୍ରମା କରିବା ପରେ କୋଣାର୍କ-ପୁରୀ ବେଳାମାର୍ଗ ଚନ୍ଦ୍ରଭାଗା ଦେଇ ରାମଚଣ୍ଡୀ ପୀଠରେ ପହଞ୍ଚିଥିଲା। ଏହି ଅବସରରେ ମହୋଦଧି ଏକାଡେମୀ ଅଧ୍ୟକ୍ଷ ସୁବ୍ରଜିତ ମହାପାତ୍ରଙ୍କୁ ବିଶିଷ୍ଟ ଶିକ୍ଷାବିତ ସମ୍ମାନ,ଦିବଂଗତ ସାମ୍ବାଦିକ ବାଦଲ ଦାଶ, ସଂଗ୍ରାମ କେଶରୀ ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦିପ୍ତୀରଞ୍ଜନ ପାତ୍ର,ଭାଗିରଥି ସ୍ବାଇଁଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପ୍ରେସ୍ କ୍ଲବ୍ ଉପଦେଷ୍ଟା ରାମକୃଷ୍ଣ ମହାନ୍ତି, ସଞ୍ଜୟ ପତି ସଞ୍ଚାଳନ କରିଥିବାବେଳେ ସଭାପତି ଧନଞ୍ଜୟ ବେହେରା, ସମ୍ପାଦକ ବିଚିତ୍ର ଓଝା ଓ ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ।