କୋଣାର୍କ, ୨୮/୧ : କୋଣାର୍କ ଯାଉଥିଲେ ଜାଣି ରଖନ୍ତୁ । ପ୍ୟାକେଟ୍ରେ ଲେଖା ହୋଇଛି କାଜୁ। କିନ୍ତୁ ପ୍ୟାକେଟ୍ ଖୋଲିଲା ବେଳକୁ ଭିତରୁ ବାହାରୁଛି ନକୁଳ ଦାନା । ଦୀର୍ଘ ବର୍ଷ ଧରି ପର୍ଯ୍ୟଟନସ୍ଥଳୀ କୋଣାର୍କରେ ଏଭଳି ଠକାମୀର ଶୀକାର ହେଉଛନ୍ତି ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ । ତେବେ ପୁଲିସ, ଖାଦ୍ୟ ନିରୀକ୍ଷକ ଚୁପ୍ ହୋଇ କାହିଁକି ବସିଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ପର୍ଯ୍ୟଟକ । କାଜୁ ପ୍ୟାକେଟରେ ନକୁଳ ଦାନା ଓ ନିମ୍ନମାନର କାଜୁ ବିକ୍ରି ହେଉଥିବା ଅଭିଯୋଗ ହୋଇଆସୁଛି । ଚଢା ଦରରେ ବିକ୍ରୀ କରି ମାଲାମାଲ ହେଉଛନ୍ତି ଅସାଧୁ ବ୍ୟବସାୟୀମାନେ । ବୁଧବାର ମହାରାଷ୍ଟ୍ରର ପର୍ଯ୍ୟଟକମାନେ ଠକାମିର ଶୀକର ହୋଇଥିବା ଅଭିଯୋଗ କରିଛନ୍ତି ।

​​​​​​​

 ଅସାଧୁ ବ୍ୟବସାୟୀମାନେ ସାଇକେଲ ଓ ବାଇକରେ ଏହାକୁ ବିକ୍ରୀ କରି ପଳାଉଛନ୍ତି । କୋଣାର୍କ ରିଙ୍ଗ ରୋଡ ନିକଟରେ ବୁଲା ବେପାରୀମାନେ ଲୋଭନୀୟ ଜରି ପ୍ୟାକେଟ ଭିତରେ ନକୁଳ ଦାନା, ପୋକରା କାଜୁ ରଖି କିଲୋ ପ୍ରତି ୬ଶହ ଟଙ୍କାରେ ବିକ୍ରି କରିଛନ୍ତି । ଗୋଟିଏ ବସରେ ମହାରାଷ୍ଟ୍ରରୁ ଆସିଥିବା ପ୍ରାୟ ୧୫ ଜଣ ପର୍ଯ୍ୟଟକ ଏଭଳି ଠକାମିର ଶିକାର ହୋଇଛନ୍ତି । ଚକଚକ ଦେଖାଯାଉଥିବା ପ୍ୟାକେଟ ଖୋଲିବାରୁ ଭିତରେ ନକୁଳ ଦାନା ରହିଥିବା ଦେଖିବାକୁ ମିଳିଥିଲା । ଫଳରେ ଅସନ୍ତୋଷ ପ୍ରକାଶ କରିଥିଲେ ପର୍ଯ୍ୟଟକ । ଖାଦ୍ୟ ନିରୀକ୍ଷକ ଓ ପୁଲିସ ପକ୍ଷରୁ ନାମକୁ ମାତ୍ର ବର୍ଷକରେ ଥରେ ଦୁଇଥର ଯାଞ୍ଚ କରାଯାଉଛି । ହେଲେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ତେବେ ଦାବି କରାଯାଇଛି କି, ଏହା ଉପରେ ଧ୍ୟାନ ଦେବା ଉଚିତ୍ । ନଚେତ ବାହାର ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ପାଖରେ ନିନ୍ଦିତ ହେବ ରାଜ୍ୟ ।