ଅନୁଗୋଳ, ୧୦।୪: ସାଧାରଣତଃ ସାପ ଦେଖିଲେ ଲୋକେ ଭୟରେ ଦୂରେଇ ଯାଆନ୍ତି, କିନ୍ତୁ ଅନୁଗୋଳରେ ଦେଖିବାକୁ ମିଳିଛି ଏକ ଭିନ୍ନ ଚିତ୍ର । ଭାଇକୁ କାମୁଡ଼ିଥିବା ସାପକୁ ବୋତଲରେ ବନ୍ଦ କରି ହସ୍ପିଟାଲରେ ପହଞ୍ଚିଛି ବଡ଼ ଭାଇ । ଏଭଳି ଏକ ଅଭାବନୀୟ ତଥା ଚାଞ୍ଚଲ୍ୟକର ଘଟଣା ଅନୁଗୋଳ ସହରର ହେମସୁରପଡ଼ା ଅଞ୍ଚଳରେ ଘଟିଯାଇଛି । ସୂଚନା ଅନୁଯାୟୀ, କୋଲକାତା ଅଞ୍ଚଳର ଦୁଇ ଭାଇ ଅନୁଗୋଳର ହେମସୁରପଡ଼ାରେ ଏକ ଘର ଭଡ଼ା ନେଇ ରହୁଥିଲେ ଏବଂ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଗୁରୁବାର ସନ୍ଧ୍ୟାରେ ଉଭୟ ଭାଇ ଚା’ ପିଉଥିବା ସମୟରେ ହଠାତ୍ ଏକ ଚିତି ସାପ ସାନ ଭାଇଙ୍କୁ କାମୁଡ଼ି ଦେଇଥିଲା ।
ଏହା ବି ପଢ଼ନ୍ତୁ... ଶ୍ରୀଲିଙ୍ଗରାଜଙ୍କ ଘୋଡ଼ ଉଠା ବିବାଦ ପ୍ରସଙ୍ଗ: ଆଜି ଜବାବ ରଖିବେ ସେବାୟତ ପ୍ରତିନିଧି
ସାନ ଭାଇକୁ ସାପ କାମୁଡ଼ିବା ଦେଖି ବଡ଼ ଭାଇ ବିଚଳିତ ନହୋଇ ବରଂ ସାହସିକତା ଦେଖାଇଥିଲେ । ଡାକ୍ତର ଯେପରି ସଠିକ୍ ଭାବେ ସାପ ଚିହ୍ନଟ କରି ଚିକିତ୍ସା କରିପାରିବେ, ସେଥିପାଇଁ ସେ ସାପଟିକୁ କୌଶଳ କ୍ରମେ ଏକ କାଚ ବୋତଲ ଭିତରେ ଭର୍ତ୍ତି କରିଦେଇଥିଲେ । ଏହାପରେ ସାନ ଭାଇଙ୍କ ସହ ସେହି ବୋତଲବନ୍ଦୀ ସାପକୁ ଧରି ସେ ସିଧା ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ । ଯେତେବେଳେ ବଡ଼ ଭାଇ ବୋତଲ ଭିତରେ ଜୀବନ୍ତ ସାପକୁ ଧରି ମେଡିକାଲ ପରିସରରେ ପ୍ରବେଶ କଲେ, ସେଠାରେ ଉପସ୍ଥିତ ଥିବା ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା । ସାପଟିକୁ ଦେଖିବା ପରେ ଡାକ୍ତରମାନେ ସାଙ୍ଗେ ସାଙ୍ଗେ ଆଣ୍ଟି ସ୍ନେକ୍ ଭେନମ୍ ବ୍ୟବହାର କରି ଚିକିତ୍ସା ଆରମ୍ଭ କରିଥିଲେ । ବଡ଼ ଭାଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି "ଭାଇକୁ କେଉଁ ସାପ କାମୁଡ଼ିଲା ତାହା ନିଶ୍ଚିତ କରିବା ପାଇଁ ମୁଁ ସାପକୁ ଧରି ଆଣିଥିଲି, ଯେପରି ଡାକ୍ତରଙ୍କୁ ଚିକିତ୍ସାରେ ସୁବିଧା ହେବ," । କହିରଖୁଛୁ ଯେ, ବର୍ତ୍ତମାନ ସାନ ଭାଇଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଛନ୍ତି । ସାପ କାମୁଡ଼ିବା ପରେ ଓଝା କିମ୍ବା ଗୁଣିଆ ପାଖକୁ ନଯାଇ ତୁରନ୍ତ ମେଡିକାଲକୁ ଆସିଥିବାରୁ ଡାକ୍ତରୀ ଦଳ ସେମାନଙ୍କ ସଚେତନତାକୁ ପ୍ରଶଂସା କରିଛନ୍ତି ।