ଉନ୍ନାଓ ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଜାମିନ...

ପୂର୍ବତନ ବିଜେପି ନେତା କୁଲଦୀପ ସିଂହ ସେଙ୍ଗାରଙ୍କୁ ଜାମିନ...

୧୫ ଲକ୍ଷ ଟଙ୍କାର ଜାମିନ ବଣ୍ଡରେ ମିଳିଲା ଆଶ୍ବସ୍ତି...​​​​​​​

ନୂଆଦିଲ୍ଲୀ : ଉନ୍ନାଓ ବଳାତ୍କାର ମାମଲାରେ ପୂର୍ବତନ ବିଜେପି ନେତା କୁଲଦୀପ ସିଂହ ସେଙ୍ଗାରଙ୍କୁ ମିଳିଲା ଜାମିନ । ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି। ଏହି ଆଶ୍ୱସ୍ତି ୧୫ ଲକ୍ଷ ଟଙ୍କାର ଜାମିନ ବଣ୍ଡରେ ତାଙ୍କୁ ପ୍ରଦାନ କରାଯାଇଛି। ଏହି ଜାମିନ ପରେ ମଧ୍ୟ କୁଲଦୀପ ସେଙ୍ଗାର ଜେଲରୁ ବାହାରକୁ ଆସିପାରିବେ ନାହିଁ, କାରଣ ସେ ପୀଡିତାଙ୍କ ପିତାଙ୍କ ହତ୍ୟା ପାଇଁ ୧୦ ବର୍ଷର ସଜା କାଟୁଛନ୍ତି।

ଦିଲ୍ଲୀରେ ରହିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି...

ଦିଲ୍ଲୀ ହାଇକୋର୍ଟ ସେଙ୍ଗାରଙ୍କ ଆବେଦନର ଶୁଣାଣି ପର୍ଯ୍ୟନ୍ତ ତାଙ୍କ ଦଣ୍ଡକୁ ସ୍ଥଗିତ ରଖିଛନ୍ତି। ସେଙ୍ଗାରଙ୍କୁ ପୀଡିତାଙ୍କ ଠାରୁ ୫ କିଲୋମିଟର ଦୂରରେ ନ ଆସିବା ଏବଂ ଜାମିନ ଅବଧି ମଧ୍ୟରେ ଦିଲ୍ଲୀରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଇକୋର୍ଟ କୁଲଦୀପ ସିଂହ ସେଙ୍ଗାରଙ୍କୁ ପ୍ରତି ସୋମବାର ପୋଲିସରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନିମ୍ନ ଅଦାଲତରେ ପାସପୋର୍ଟ ଦାଖଲ କରିବାକୁ ପଡିବ...

ସେଙ୍ଗାର ପୀଡିତାଙ୍କୁ ଧମକ ଦେବେ ନାହିଁ ଏବଂ ନିମ୍ନ ଅଦାଲତରେ ତାଙ୍କ ପାସପୋର୍ଟ ଦାଖଲ କରିବାକୁ ପଡିବ। ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯେକୌଣସି ସର୍ତ୍ତ ଉଲ୍ଲଂଘନ କଲେ ତାଙ୍କ ଜାମିନ ବାତିଲ କରାଯିବ। କୁଲଦୀପ ସିଂହ ସେଙ୍ଗାରଙ୍କୁ ନିମ୍ନ ଅଦାଲତ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

୨୦୧୭ର ଉନ୍ନାଓ ବଳାତ୍କାର ମାମଲା...

ସୂଚନାଥାଉକି ଯେ, ୨୦୧୭ରେ ଉନ୍ନାଓ ବଳାତ୍କାର ମାମଲା ଘଟିଥିଲା, ଯେଉଁଥିରେ ସେଙ୍ଗାର ମୁଖ୍ୟ ଅଭିଯୁକ୍ତ ଥିଲେ। ସେଙ୍ଗାରଙ୍କ ଭାଇ ପୋଲିସ ହେପାଜତରେ ପୀଡିତାଙ୍କ ବାପାଙ୍କୁ ପିଟି ପିଟି ହତ୍ୟା କରିବା ଅଭିଯୋଗରେ ମାମଲା ଗମ୍ଭୀର ମୋଡ଼ ନେଇଥିଲା। ସେଙ୍ଗାରଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ସେ ବର୍ତ୍ତମାନ ଦିଲ୍ଲୀ ଜେଲରେ ବନ୍ଦୀ ଅଛନ୍ତି।

ଏପ୍ରିଲ ୨୦୧୮ରେ କୁଲଦୀପ ସିଂହ ସେଙ୍ଗାରଙ୍କୁ ସିବିଆଇ ଗିରଫ କରିଥିଲା। ଜୁଲାଇ ୨୦୧୮ରେ ଏହି ମାମଲାରେ ଏକ ଚାର୍ଜସିଟ୍ ଦାଖଲ କରାଯାଇଥିଲା, ଯେଉଁଥିରେ ସେଙ୍ଗାରଙ୍କ ନାମ ଥିଲା। ଡିସେମ୍ବର ୨୦୧୯ରେ, ସେଙ୍ଗାରଙ୍କୁ ଏହି ମାମଲାରେ ଆଜୀବନ କାରାଦଣ୍ଡ ଦିଆଯାଇଥିଲା। ଦଣ୍ଡ ଘୋଷଣା ପରେ ସେଙ୍ଗାର ତାଙ୍କର ବିଧାୟକ ପଦବୀ ହରାଇଥିଲେ ଏବଂ ବିଜେପିରୁ ନିଲମ୍ବିତ ହୋଇଥିଲେ। 

ଏହା ସହ ପଢନ୍ତୁ : ହୋଟେଲ କୋଠରୀରୁ ମିଳିଲା ୫ ମୃତଦେହ, କୋଇଲା ଚୁଲି ପାଇଁ ଚାଲିଗଲା ଜୀବନ...