ନୂଆଦିଲ୍ଲୀ ୧୯/୧୨: ବଲିଉଡ୍‌ର ପ୍ରସିଦ୍ଧ ପ୍ରଚ୍ଛଦପଟ୍ଟ ଗାୟକ କୁମାର ସାନୁ ପୂର୍ବ ପତ୍ନୀ ରିତା ଭଟ୍ଟାଚାର୍ଯ୍ୟଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ମାନହାନି ମକଦ୍ଦମା କରିଛନ୍ତି । ଏ ମାମଲାରେ ସେ ପତ୍ନୀଙ୍କଠୁ ୫୦ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ଏଥିସହିତ ତାଙ୍କର ସାକ୍ଷାତକାରକୁ ହଟାଇବାକୁ ଦାବି କରିଛନ୍ତି, ଯେଉଁଥିରେ ରିତା ସାନୁଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ କରିଛନ୍ତି । ଉଭୟଙ୍କ ଛାଡ଼ପତ୍ରର ପ୍ରାୟ ୨୪ ବର୍ଷ ପରେ ମାମଲା ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ, ୨୦୦୧ରେ କୁମାର ସାନୁ ଓ ରିତା ଭଟ୍ଟାଚାର୍ଯ୍ୟଙ୍କ ଛାଡ଼ପତ୍ର ହୋଇଥିଲା । ବାନ୍ଦ୍ରା ପରିବାର ଅଦାଲତରେ ଛାଡ଼ପତ୍ର ପ୍ରକ୍ରିୟା ପୂରଣ ହୋଇଥିଲା ।

ସାନୁଙ୍କ ତରଫରୁ ଓକିଲ ସନା ରଇସ ଖାନ୍ କୋର୍ଟରେ ମକଦ୍ଦମା କରିଛନ୍ତି । ମକଦ୍ଦମା ଅନୁସାରେ, ରିତା ଭଟ୍ଟାଚାର୍ଯ୍ୟ ନିକଟରେ କିଛି ମନୋରଞ୍ଜନଧର୍ମୀ ପ୍ଲାଟ୍‌ଫର୍ମକୁ ସାକ୍ଷାତକାର ଦେଇଥିଲେ । ଏଥିରେ ସେ ସାନୁଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଥିଲେ । ୩ୟ ପୁଅ ଗର୍ଭରେ ଥିବା ସମୟର କଥା ମନେପକାଇ ସେ ସାନୁଙ୍କ ବିରୋଧରେ ଅଭିଯୋଗ କରିଥିଲେ, ଛାଡ଼ପତ୍ର ତାଙ୍କୁ ସମ୍ପୂର୍ଣ୍ଣ ରୂପେ ସ୍ତବ୍ଧ କରିଦେଇଥିଲା । ସାନୁ ସେତେବେଳେ ତାଙ୍କୁ ପ୍ରତାଡ଼ିତ କରିଥିଲେ । ଖାଦ୍ୟ, ଔଷଧ ଦେଇନଥିଲେ । ଗର୍ଭାବସ୍ଥାରେ ତାଙ୍କୁ କୋର୍ଟରେ ହାଜର ହେବାକୁ ବାଧ୍ୟ କରାଯାଇଥିଲା । ସାନୁ ନିଜ ପିଲାଙ୍କୁ ଛାଡ଼ି ଦେଇଥିବା ଅଭିଯୋଗ ମଧ୍ୟ ରିତା କରିଥିଲେ । ସାନୁ ଘରୁ ଯିବା ପରେ ପ୍ରତିଦିନ ତାଙ୍କୁ ୧୦୦ ଟଙ୍କା ପଠାଉଥିଲେ । ସାଙ୍ଗରେ ମାଇକ୍ରୋୱେଭ୍ ଓ ପଙ୍ଖା ବି ନେଇଯାଇଥିଲେ । ଘରକୁ କ୍ଷୀର ଓ ଔଷଧ ପଠାଇବା ବି ବନ୍ଦ କରିଦେଇଥିଲେ । ସାନୁଙ୍କର ଅନେକ ଆଫେୟର୍ସ ଥିଲା ଏବଂ ପରିବାର ଏହାକୁ ଅଣଦେଖା କରିବାର ଅଭିଯୋଗ ରିତା କରିଥିଲେ । ଗତ ସେପ୍ଟେମ୍ବରରେ ରିତାଙ୍କର ଏହି ସାକ୍ଷାତକାର ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା ।

ସାନୁଙ୍କ ତରଫରୁ ଦାଖଲ ହୋଇଥିବା ଆବେଦନରେ ଉଲ୍ଲେଖ ହୋଇଛି, ରିତାଙ୍କ ବୟାନ ଛାଡ଼ପତ୍ର ସମୟରେ ସ୍ଥିର ହୋଇଥିବା ସହମତି ସର୍ତ୍ତର ଉଲ୍ଲଂଘନ । ସାନୁଙ୍କ ଅନୁସାରେ, ୯ ଫେବ୍ରୁଆରୀ ୨୦୦୧ରେ ପରିବାର ଅଦାଲତରେ ସ୍ଥିର ହୋଇଥିଲା ଯେ ଉଭୟ ପକ୍ଷ ଭବିଷ୍ୟତରେ ପରସ୍ପର ବିରୋଧରେ କୌଣସି ଅଭିଯୋଗ କରିବେ ନାହିଁ । ରିତାଙ୍କର ଏଭଳି ବୟାନ ଯୋଗୁ ତାଙ୍କ ଛବି ପ୍ରଭାବିତ ହୋଇଛି । ସେ ମାନସିକ ଆଘାତ ପାଇଛନ୍ତି । ଏ ନେଇ ଗତ ସେପ୍ଟେମ୍ବର ୨୭ରେ ସମ୍ବନ୍ଧିତ ମିଡିଆ ପ୍ଲାଟ୍‌ଫର୍ମକୁ କୋର୍ଟ ନୋଟିସ୍ ପଠାଯାଇଥିଲା । ଏଥିରେ କୁହାଯାଇଥିଲା ଯେ ସାକ୍ଷାତକାର ହଟାନଗଲେ, ଅପରାଧିକ କାର୍ଯ୍ୟାନୁଷ୍ଠାନ ନିଆଯିବ ।