ସ୍ପିଲବର୍ଗ,୩୦/୦୬ : ମ୍ୟାକ୍‌ଲରେନ ଡ୍ରାଇଭର ଲାଣ୍ଡୋ ନୋରିସ୍‌ ଅଷ୍ଟ୍ରିୟାନ୍‌ ଗ୍ରାଁପ୍ରି ଚାମ୍ପିଅନ୍‌ ହୋଇଛନ୍ତି । ସେ  ୧:୨୩.୪୭.୬୯୩ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରି  ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସାଥୀ ଡ୍ରାଇଭର ଓସ୍କାର ପିୟାଷ୍ଟ୍ରି  ତାଙ୍କ କଡ଼ା ଟକ୍କର ଦେଇଥିଲେ ହେଁ ଅତିରିକ୍ତ ୨.୬୯୫ ସେକେଣ୍ଡ  ନେଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ସେହିପରି ଫେରାରୀ ଡ୍ରାଇଭର ଚାର୍ଲ୍ସ ଲିକ୍ଲର୍କ ଅତିରିକ୍ତ ୧୯.୮୨୦ ସେକେଣ୍ଡ ସହ ତୃତୀୟ ଓ  ଲୁଇସ୍‌ ହାମିଲଟନ୍‌ ଅତିରିକ୍ତ ୨୯.୦୨୦  ସେକେଣ୍ଡ ସହ ଚତୁର୍ଥ ସ୍ଥାନରେ ରହିଥିଲେ । 

ରେଡ୍‌ ବୁଲ୍‌ ରିଙ୍ଗ୍‌ରେ ଆୟୋଜିତ ଏହି ରେସ୍‌ ଆରମ୍ଭରୁ  କାର୍ଲୋସ ସେଞ୍ଜ୍‌ଙ୍କ କାର୍‌ରେ ନିଆଁ ଲାଗିଯାଇଥିଲା । ଫଳରେ  ୧୦ମିନିଟ୍‌ ବିଳମ୍ବରେ ରେସ୍‌ ଆରମ୍ଭ ହୋଇଥିଲା । ଏହି ରେସ୍‌କୁ  ୭୧ ଲାପ୍‌ ପରିବର୍ତ୍ତେ ୭୦ଲାପ୍‌ରେ ସୀମିତ ରଖାଯାଇଥିଲା ।  ରେସ୍‌ ଆରମ୍ଭରୁ ଶେଷ ଯାଏଁ ମ୍ୟାକ୍‌ଲରେନ ଡ୍ରାଇଭର ନୋରିସ୍‌  ଓ ପିୟାଷ୍ଟ୍ରିଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱୀତା ଦେଖିବାକୁ ମିଳିଥିଲା ।  ପୂର୍ବରୁ ପୋଲ୍‌ ପୋଜିସନ ହାସଲ କରିଥିବା ନୋରିସ୍‌ ତାଙ୍କୁ  ପଛରେ ପକାଇ ଚାମ୍ପିଅନ୍‌ ହୋଇଥିଲେ । ଅନ୍ୟ ପଟରେ  ବିଶ୍ୱ ଚାମ୍ପିଅନ୍‌ ମ୍ୟାକ୍ସ ଭର୍ଷ୍ଟାପେନଙ୍କ କାର୍‌ ପ୍ରଥମ ଲାପ୍‌ରେ  ଦୁର୍ଘଟଣାଗସ୍ତ ହୋଇଥିଲା । ସେ ବାଦ୍‌ ପଡ଼ିଥିଲେ । ଚଳିତ ସିଜନରେ ନୋରିସ୍‌ ତୃତୀୟ ରେସ୍‌ ଜିତିଛନ୍ତି ।  ପୂର୍ବରୁ ସେ ଅଷ୍ଟ୍ରେଲିଆ, ମୋନାକୋ ଗ୍ରାଁପ୍ରି ଚାମ୍ପିଅନ୍‌  ହୋଇଥିଲେ । 

ଚଳିତ ସିଜନରେ ଡ୍ରାଇଭର ପଏଣ୍ଟ ତାଲିକାରେ  ପିୟାଷ୍ଟ୍ରି ସର୍ବାଧିକ ୨୧୬ ପଏଣ୍ଟ ସହ ଶୀର୍ଷରେ ଥିବାବେଳେ  ନୋରିସ୍‌ ୨୦୧ ପଏଣ୍ଟ ସହ ଦ୍ୱିତୀୟ, ଭର୍ଷ୍ଟାପେନ ୧୫୫ପଏଣ୍ଟ  ସହ ତୃତୀୟ ସ୍ଥାନରେ ରହିଛନ୍ତି।