କୋଲକାତା,୦୬/୧୦: ପଶ୍ଚିମବଙ୍ଗରେ ୨୪ ଘଣ୍ଟା ଧରି ସାଙ୍ଘାତିକ ବର୍ଷା ବିପର୍ଯ୍ୟୟ ଆଣିଛି । ଶନିବାର ରାତିରେ ଦାର୍ଜିଲିଂରେ ପ୍ରବଳ ବର୍ଷା ପରେ ୭ଟି ସ୍ଥାନରେ ଭୂସ୍ଖଳନ ଘଟିଛି । ଏଥିରେ ୨୩ ଜଣ ପ୍ରାଣ ହରାଇଛନ୍ତି । ଅନେକ ଲୋକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ କିଛି ଶିଶୁ ରହିଛନ୍ତି । ଭୂସ୍ଖଳନ ଯୋଗୁ ଅନେକ ବାସଗୃହ, ପୋଲ, ସଡ଼କ ଏବଂ ଚା' ବଗିଚା ଆଦି ଭାସିଯାଇଛି । ଉତ୍ତରପୂର୍ବ ରାଜ୍ୟ ସିକ୍କିମଠାରୁ ପଶ୍ଚିମବଙ୍ଗର ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି । ଲଗାଣ ବର୍ଷା ଯୋଗୁ ମିରିକସୁଖିୟା ପୋଖରୀ ରାସ୍ତା ପାର୍ଶ୍ୱରେ ଥିବା ପାହାଡ଼ର ଏକ ବଡ଼ ଅଂଶ ଧସିଯାଇଛି । ଏହାଯୋଗୁ ପାହାଡ଼ ପାଦଦେଶରେ ଥିବା ଅନେକ ଘର ଭୁଶୁଡ଼ି କ୍ଷତିଗ୍ରସ୍ତ ହୋଇଛି । ଭୂସ୍ଖଳନ ପରେ ରାସ୍ତାରେ ମାଟି ଅତଡ଼ା ଗଦା ହେବା ଯୋଗୁ ଉଦ୍ଧାର ଅଭିଯାନ ବାଧାପ୍ରାପ୍ତ ହୋଇଛି ।
ଯାନବାହନ ଚଳାଚଳ ଠପ୍ ହୋଇଯାଇଛି । ମିରିକଠାରେ ଏକ ଲୁହା ପୋଲ ଭାଙ୍ଗିଯାଇଛି । ଭାରୀ ବୃଷ୍ଟିପାତ ଯୋଗୁ ତିସ୍ତା ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ତିସ୍ତା ବଜାର ନିକଟସ୍ଥ ବୁଲ୍ଖୋଲାରେ ପାଣି ଭରିଯିବାରୁ ସିଲିଗୁଡ଼ିକୁ ସିକ୍କିମ ଓ କାଲିମ୍ପୋଙ୍ଗ ସହ ଯୋଡ଼ୁଥିବା ରାଜପଥ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଦାର୍ଜିଲିଂ ସହରର ଅନେକ ସ୍ଥାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ଦାର୍ଜିଲିଂର ଯେଉଁ ୭ଟି ସ୍ଥାନରେ ଭୂସ୍ଖଳନ ଘଟିଛି ତନ୍ମଧ୍ୟରେ ସୁଖିୟାପୋଖରୀ, ବିଜନବାଡ଼ି, ମିରିକ, ଦାରା ଗାଓଁ, ହ୍ୱିସିଲ୍ ଖୋଲା, ଦିଲାରାମ ଓ ରୋହିଣୀ ରୋଡ୍ ରହିଛି । ଭୂସ୍ଖଳନ ଅଘଟଣକୁ ନେଇ ରବିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବନ୍ୟା ପରିସ୍ଥିତିକୁ "ଗମ୍ଭୀର" ବୋଲି କହିଛନ୍ତି । ଆଜି (ସୋମବାର) କ୍ଷୟକ୍ଷତିର ଆକଳନ କରିବା ପାଇଁ ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ । ୧୨ ଘଣ୍ଟା ମଧ୍ୟରେ ୩୦୦ ମିମିରୁ ଅଧିକ ବର୍ଷା ଯୋଗୁଁ ୭ଟି ସ୍ଥାନରେ ଭୟଙ୍କର ବନ୍ୟା ଏବଂ ଭୂସ୍ଖଳନ ହୋଇଛି । ଲୋକଙ୍କୁ ସହାୟତା ନିର୍ଦ୍ଦେଶ ଦିଆଯାଇଛି
ପଡ଼ୋଶୀ ଦେଶ ଭୁଟାନରେ ତଲା ଜଳବିଦ୍ୟୁତ୍ ଡ୍ୟାମ୍ ଫୁଲିବାରେ ଲାଗିଛି । ଏହାକୁ ନେଇ ସେଠାକାର ସରକାର ପଶ୍ଚିମବଙ୍ଗରେ ବନ୍ୟା ହେବା ନେଇ ସତର୍କତା ଜାରି କରିଛନ୍ତି । ବୈଷୟିକ ତ୍ରୁଟି ଯୋଗୁ ଡ୍ୟାମ୍ରେ ଜଳସ୍ତର ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଛି । ଏହାଦ୍ୱାରା ପଶ୍ଚିମବଙ୍ଗର ଡୁଆର୍ସ ଅଞ୍ଚଳର ତଳିଆ ଅଂଶରେ ବନ୍ୟା ଆଶଙ୍କା ବଢ଼ିଛି । ଏହାପରେ ଏନ୍ଡିଆର୍ଏଫ୍ ଆକ୍ସନକୁ ଆସିଛି । ଅଲିପୁରଦୁଆରଠାରେ ଏନ୍ଡିଆର୍ଏଫ୍ ଟିମ୍ ହାଇ ଆଲର୍ଟ ମୋଡ୍ରେ ରହିଛି । ଦାର୍ଜିଲିଂ ଜିଲ୍ଲାରେ ଶନିବାର ରାତିରୁ ଅବିରତ ବର୍ଷା ହେବାରେ ଲାଗିଛି । ବିଶେଷକରି ମିରିକ ଓ ସୁଖିୟାପୋଖରୀ ଅଞ୍ଚଳରେ ସ୍ଥିତି ଆହୁରି ଖରାପ ହୋଇପାରେ । ବର୍ତ୍ତମାନ ସେଠାରେ ଅନେକ ଘର, ସଡ଼କ ଆଦି ଭାସିଯାଇଛି ।