ନୂଆଦିଲ୍ଲୀ,୨୧/୦୨; ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ରାଜଧାନୀ ଦିଲ୍ଲୀ । ବଡ଼ ଧରଣର ବିସ୍ଫୋରଣ କରିବାକୁ ଲସ୍କର-ଏ-ତୋଏବାର ଯୋଜନା । ବିଭିନ୍ନ ବଡ଼ ବଡ଼ ମନ୍ଦିରକୁ ଟାର୍ଗେଟ୍ କରିଛି ଆତଙ୍କୀ ସଂଗଠନ । ଗୁଇନ୍ଦା ସୂଚନା ପରେ ଦିଲ୍ଲୀ ପୁଲିସ ପକ୍ଷରୁ ହାଇ ଆଲର୍ଟ ଜାରି ହୋଇଛି । ପୁଣି ଥରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ନେଇ ସତର୍କତା ଜାରି କରିଛନ୍ତି ସୁରକ୍ଷା ଏଜେନ୍ସି । ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଛି ଯେ, ଲସ୍କର-ଏ-ତୋଏବାର (LeT) ଆତଙ୍କବାଦୀମାନେ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ଯୋଜନା କରୁଛନ୍ତି । ଚାନ୍ଦନୀ ଚୌକର ପ୍ରମୁଖ ମନ୍ଦିରକୁ ଟାର୍ଗେଟ କରିପାରନ୍ତି । ଫେବୃଆରୀ ୬ ତାରିଖରେ ପାକିସ୍ତାନର ଇସଲାମାବାଦର ଏକ ମସଜିଦରେ ହୋଇଥିବା ବିସ୍ଫୋରଣ ପରେ, ଏହି ସଂଗଠନ ଭାରତରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରିଥିବା ସୂଚନା ମିଳିଛି । ଐତିହାସିକ ଲାଲକିଲ୍ଲା ଏବଂ ଅନ୍ୟ ବଡ଼ ସହରର ମନ୍ଦିର ପାଖରେ ବିସ୍ଫୋରଣ କରିବାକୁ ଯୋଜନା କରୁଛନ୍ତି ଆତଙ୍କୀ ।

ଗୁଇନ୍ଦା ସୂଚନା ମିଳିବା ମାତ୍ର ପରେ ଦିଲ୍ଲୀ ପୁଲିସ ପକ୍ଷରୁ ହାଇ ଆଲର୍ଟ ଜାରି ହୋଇଛି । ଆତଙ୍କୀ ଆକ୍ରମଣ ଆଶଙ୍କାରେ ଆଲର୍ଟ ରହିଛି ଦିଲ୍ଲୀ ପୁଲିସ୍ । କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଲାଲକିଲ୍ଲା, ଚାନ୍ଦନୀ ଚୌକ ଏବଂ ଆଖପାଖ ଧାର୍ମିକ ସ୍ଥଳଗୁଡ଼ିକରେ ସୁରକ୍ଷା ବୃଦ୍ଧି କରିଛନ୍ତି । ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଅତିରିକ୍ତ ପୁଲିସ ଫୋର୍ସ ମୁତୟନ କରାଯାଇଛି । ସନ୍ଦେହଜନକ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖାଯାଇଛି । ବିଶେଷକରି, ଦିଲ୍ଲୀର ଚାନ୍ଦନୀ ଚୌକ ମନ୍ଦିରରେ ଟାର୍ଗେଟ ହୋଇପାରେ । ଯେକୌଣସି ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି ।​​​​​​​

ଏହା ବି ପଢନ୍ତୁ...ଭାରତକୁ ମିଳିବ ପ୍ରଥମ ଏୟାର ଟ୍ୟାକ୍ସି, ୮ ମିନିଟ୍‌ରେ ଉଡ଼ିବ ୩୬ କିମି

କହି ରଖୁଛୁ କି, ଗତବର୍ଷ ନଭେମ୍ବର ୧୦ ତାରିଖରେ ରାଜଧାନୀ ଦିଲ୍ଲୀର ଲାଲକିଲ୍ଲାରେ ଏକ କାର୍ ବିସ୍ଫୋରଣ ହୋଇଥିଲା । ଏଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିଲେ । ବିସ୍ଫୋରଣ ପୂର୍ବରୁ ପ୍ରାୟ ତିନି ଘଣ୍ଟା ଧରି ଲାଲକିଲ୍ଲା ଅଞ୍ଚଳରେ ପାର୍କିଂ କରାଯାଇଥିବା ଏକ କାରରେ ବିସ୍ଫୋରଣ ଘଟିଥିଲା । ଏହି ଆତଙ୍କବାଦୀ ଆକ୍ରମଣ ପରେ, ଦେଶର ବିଭିନ୍ନ ଅଞ୍ଚଳରେ ଚଢାଉ କରାଯାଇଥିଲା ଏବଂ ଅନେକ ଲୋକଙ୍କୁ ଗିରଫ କରାଯାଇଥିଲା।