ମୁମ୍ୱାଇ : କମେଡିଆନ ସୁନୀଲ ପାଲ୍‌ଙ୍କ ଅପହରଣ ମାମଲାର ମାଷ୍ଟରମାଇଣ୍ଡ ଅର୍ଜୁନ ଗିରଫ। ମିରଟରେ ପୁଲିସ୍‌ ହାଫ୍‌ ଏନକାଉଣ୍ଟର କରି ତାକୁ ପୁଣି ଧରିବାରେ ସଫଳ ହୋଇଛି। ଅର୍ଜୁନ ଲାଲ୍‌ କୁର୍ତି କ୍ଷେତ୍ରରେ ରବିବାର ଦ୍ୱିପ୍ରହରରେ ଏସଜିଏମ ଗାର୍ଡେନ ପାଖରେ ପୁଲିସର କଷ୍ଟଡିରୁ ଫେରାର ହେବାକୁ ଚେଷ୍ଟା କରୁଥିଲା। ଜଣେ ସବ୍‌-ଇନ୍ସପେକ୍ଟରଙ୍କର ବନ୍ଧୁକ ଛଡ଼େଇ ନେଇ ପୁଲିସ ଉପରେ ଗୁଳି ମଧ୍ୟ ଚଳାଇ ଥିଲା । ପୁଲିସର ଜବାବୀ କାର୍ଯ୍ୟାନୁଷ୍ଠାନରେ ସାମ୍ନା-ସାମ୍ନି ଗୁଳି ଚାଲି ଥିଲା ଏବଂ ଅର୍ଜୁନର ଗୋଡ଼ରେ ଗୁଳି ବାଜିବା ଯୋଗୁଁ ତାକୁ ଧରାଯାଇଥିଲା। ବର୍ତ୍ତମାନ ତାକୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ସୁନୀଲ ପାଲଙ୍କୁ ଶୋ’ ନାଁରେ ମୁମ୍ୱାଇରୁ ଦିଲ୍ଲୀ ଡ଼କା ଯାଇ ଥିଲା। ଏହାପରେ ଦିଲ୍ଲୀରୁ ହରିଦ୍ୱାର ନେଇ ଯାଉ ଥିବା ସମୟରେ ବିଜନୌରରେ ଅପହରଣ କରିନିଆ ଯାଇଥିଲା। ୮ ଲକ୍ଷ ଟଙ୍କାର ମୁକ୍ତ ରାଶି ଆଦାୟ ପରେ ସୁନୀଲ ପାଲଙ୍କୁ ଛାଡ଼ି ଦିଆ ଯାଇଥିଲା। ପରେ ଜଣାପଡ଼ିଲା କି ଅଭିନେତା ମୁସ୍ତାକ ଖାନଙ୍କର ମଧ୍ୟ ଅପହରଣ କରି ମୁକ୍ତ ପାଇଁ ଅର୍ଥ ନିଆ ଯାଇଛି। 

ସୁନୀଲ ପାଲଙ୍କ ପତ୍ନୀଙ୍କର ଅଭିଯୋଗରେ ମୁମ୍ୱାଇରେ ଏଫଆଇଆର ରୁଜୁ କରାଯାଇ ଥିଲା। ଏହାପରେ କେସ୍‌ ମିରଟ ଟ୍ରାନ୍ସଫର ହୋଇ ଥିଲା ଏବଂ ପୁଲିସ୍‌ ଟିମ୍‌ କରି ଅଭିଯୁକ୍ତର ଗିରଫଦାରୀ ପାଇଁ ପଦକ୍ଷେପ ଆରମ୍ଭ କରିଥିଲା। ଏହି ସମୟରେ ଅନେକ ଗୁଣ୍ଡାଙ୍କ ନାଁ ଖୁଲାସା ହୋଇଥିଲା। ୪ ଜଣ ଗୁଣ୍ଡାଙ୍କୁ ପୁଲିସ ଶନିବାର ଗିରଫ କରିଥିଲା। ସେମାନଙ୍କୁ ପଚରାପଚରିରେ ଜଣାପଡ଼ିଲା କି ପୂରା ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଅର୍ଜୁନ ଓ ଲଭି । ଏହି ମଧ୍ୟରେ ରବିବାର ପୁଲିସ ଅର୍ଜୁନକୁ ଗିରଫ କରିଛି। ଅର୍ଜୁନ ପାଖରୁ ପୁଲିସ ଏକ ସ୍କର୍ପିଓ , ମୁକ୍ତ କରିବା ନେଇ ନେଇଥିବା ୨.୨୫ ଲକ୍ଷ ଟଙ୍କା ଓ ଘଟଣାରେ ବ୍ୟବହୃତ ଏକ ମୋବାଇଲ ଫୋନ୍‌ ଜବତ କରିଛି। 

ଅର୍ଜୁନଙ୍କୁ ଲାଲ୍‌ କୁର୍ତି ପୁଲିସ ରବିବାର ଦ୍ୱିପ୍ରହରରେ ମେଡିକାଲ ଚେକଅପ କରାଯାଇବାକୁ ଜିଲ୍ଲା ହସ୍ପିଟାଲ ନେଇ ଯାଉଥିଲା। ଏହି ସମୟରେ ଏସଜିଏମ୍‌ ଗାର୍ଡନ ପାଖରୁ ଅର୍ଜୁନ ଜଣେ ସବ୍-ଇନ୍ପପେକ୍ଟରଙ୍କର ବନ୍ଧୁକ ଛଡେଇ ନେଇଥିଲା ଏବଂ ପୁଲିସ ଜିପ୍‌ରୁ ଡ଼େଇଁ ଫେରାର ହେବାକୁ ଚେଷ୍ଟା କରୁଥିଲା । ପୁଲିସ ଉପରେ ଗୁଳି ମଧ୍ୟ ଚଲେଇ ଥିଲା। ପୁଲିସର ଜବାବୀ କାର୍ଯ୍ୟାନୁଷ୍ଠାନ କରି ଅର୍ଜୁନର ଗୋଲରେ ଗୁଳି କରି ପୁଣି ଥରେ ଧରି ଥିଲା। ବର୍ତ୍ତମାନ ଅର୍ଜୁନକୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।