• ୨୩ ସ୍ଥାନରେ ହେବ ଅସ୍ଥାୟୀ ପାର୍କିଂ
  • ୧୬୦୦ ଅସ୍ଥାୟୀ ଶୌଚାଳୟ ହେବ
  • ୪୭୫ ସିସିଟିଭି କ୍ୟାମେରା ଲାଗିବ

ପୁରୀ, ୨୩।୬ :  ଚଳିତ ବର୍ଷ ରଥଯାତ୍ରାରେ ୨୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବ। ଯାତ୍ରୀଙ୍କ ପାଇଁ ରେଳ ବିଭାଗ ପକ୍ଷରୁ ୩୭୦ ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଯାତ୍ରୀ ଙ୍କୁ ସୂଚନା ପ୍ରଦାନ ପାଇଁ ସହରର ବିଭିନ୍ନ ସ୍ଥାନରେ ୬୫ ଟି ଏଲଇଡି ଡିସପ୍ଲେ ଲାଗିବ। ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଟାଉନ ହଲ ଠାରେ ଅନୁଷ୍ଠିତ ଦ୍ବିତୀୟ ସମନ୍ଵୟ ବୈଠକରେ ଏଭଳି ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ବୈଠକରେ ରଥ ନିର୍ମାଣ, ସ୍ଵାସ୍ଥ୍ୟ ଓ ପରିମଳ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ ସୁରକ୍ଷା, ପରିବହନ ବ୍ୟବସ୍ଥା, ରାସ୍ତାଘାଟ ନିର୍ମାଣ, ସ୍ୱେରେଜ୍ ଓ ଡ୍ରେନେଜ ବ୍ୟବସ୍ଥା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ବୈଠକରେ ସୂଚନା ଦେଇ କହିଥିଲେ ଏବର୍ଷ ଅଧିକ ଚାରମାଳ ସେଟ୍ ପାଇଁ ତାଳ ଗଛ କାଠ ପହଞ୍ଚି ସାରିଛି। ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଁଚିଛି ।ରଥ ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ରଥ ନିର୍ମାଣ କମିଟି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଠନ କରାଯାଇଛି। ରଥ ଟଣା ଓ ପହଣ୍ଡିକୁ ଶୃଙ୍ଖଳିତ କରିବା ପାଇଁ ସର୍ବାଧିକ ଗୁରୁତ୍ଵ ଦିଆଯାଇଛି।

ସେହିପରି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଚଳିତ ବର୍ଷ ଅନେକ ପଦକ୍ଷେପ  ନିଆଯାଇଛି। ବିଶ୍ଵପ୍ରସିଦ୍ଧ ରଥଯାତ୍ରା ସମୟରେ ୨୦୦ଟି ଅତିରିକ୍ତ ଶଯ୍ୟା ବ୍ୟବସ୍ଥା ହେବ। ସହରର ବିଭିନ୍ନ ସ୍ଥାନରେ ୩୦ ଟି ଆଶୁ ଆରୋଗ୍ୟ କେନ୍ଦ୍ର ହେବ। ସେହିପରି ଗହଳି ଓ ସମ୍ବେଦନଶୀଳ ସ୍ଥାନରେ ରାପିଡ ରେସ୍ପନ୍ସ ଟିମ୍ କାମ କରିବ। ୨୩୦ ଡାକ୍ତରଙ୍କ ସହ ସ୍ପେଶିଆଲିଷ୍ଟ ଡାକ୍ତର ଆସିବେ। ପୁରୀରେ ସ୍ଥାୟୀ ବର୍ଣ୍ଣ ଓ କ୍ୟାଥୋଲାବ ହେବ ବୋଲି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ବର୍ଷା ଜଳ ନିଷ୍କାସନ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ପାୱାର ପମ୍ପ ରଖାଯିବ। ଦେବସ୍ନାନ ପୂର୍ଣ୍ଣମୀରେ ୩୦୦ ଅସ୍ଥାୟୀ ଶୌଚାଳୟକୁ ମିଶାଇ ସହରରେ ମୋଟ ୧୬୦୦ ଟି ଅସ୍ଥାୟୀ ଶୌଚାଳୟ ହେବ। ୨୩ ଟି ସ୍ଥାନରେ ହେବ ଅସ୍ଥାୟୀ ପାର୍କିଂ। ରଥଯାତ୍ରାରେ ସ୍ବଚ୍ଛତା କୁ ବିଶେଷ ଗୁରୁତ୍ଵ ଦେଇଛି ପ୍ରଶାସନ।

ରଥଯାତ୍ରା ସୁପରିଚାଳନା ଦାୟିତ୍ବରେ ଥିବା ଅତିରିକ୍ତ ପୋଲିସ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇ କହିଥିଲେ ସମଗ୍ର ସହର ସିସିଟିଭି ନଜରରେ ରହିବ। ବିଭିନ୍ନ ସ୍ଥାନରେ ୧୭୦ ସିସିଟିଭି କ୍ୟାମେରା ଲଗାଯାଇ କାର୍ଯ୍ୟକ୍ଷମ ହୋଇଛି। ମୋଟ ୪୭୫ ଟି ସିସିଟିଭି କ୍ୟାମେରା ଲାଗିବ। ଜନଗହଳି ନିୟନ୍ତ୍ରଣ ପାଇଁ ୨୮ ଟି ଜରୁରୀକାଳିନ ପ୍ରସ୍ଥାନ ପଏଣ୍ଟ୍ ରହିବ। ଆମ୍ବୁଲାନ୍ସ ଯାତାୟତ ପାଇଁ ଗ୍ରୀନ କରିଡ଼ର କରାଯିବ। ସହରର ସୁରକ୍ଷା ପାଇଁ ଏନଏସଜି ସହ ସ୍ଵତନ୍ତ୍ର ଟାକ୍ଟିକାଲ ୟୁନିଟ ମୁତୟନ ରହିବ।ଯାତ୍ରୀଙ୍କ ସହାୟତା ପାଇଁ ସହାୟତା ଆପ କାର୍ଯ୍ୟକାରୀ ହେବ। ରଥଯାତ୍ରା ସମୟରେ ସବୁ ବିଭାଗ ମଧ୍ୟରେ ସମନ୍ଵୟ ରଖାଯାଇ ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ଆଇନ ଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ, ରଥ ଟଣା, ଦର୍ଶନ ପାଇଁ ଆଇପିଏସ ଅଧିକାରୀ ଦାୟିତ୍ୱରେ ରହିବେ। ୧୫ ଲକ୍ଷ ଯାତ୍ରୀଙ୍କ ସମାଗମ ସମ୍ଭାବନା କୁ ଦୃଷ୍ଟିରେ ରଖି ୧୩୦ ଟି ସ୍ଵତନ୍ତ୍ର ବସ ଚଳାଚଳ କରିବ। ତେବେ ରେଳ ବିଭାଗ ପକ୍ଷରୁ ୩୭୦ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ରଥଯାତ୍ରା ସମୟରେ ରେଗୁଲାର ଓ ସ୍ଵତନ୍ତ୍ର ଟ୍ରେନ୍ କୁ ମିଶାଇ ମୋଟ ୧୨୦୦ ଟ୍ରେନ୍ ଚଳାଚଳ କରିବ। ୨୫୦୦୦ ଯାତ୍ରୀଙ୍କ ପାଇଁ ରେଳଷ୍ଟେସନ ପାଖରେ ହୋଲ୍ଡିଂ ଏରିଆ କରାଯାଉଛି। ୩୫ ଟି ଅତିରିକ୍ତ ଟିକେଟ କାଉଣ୍ଟର, ୧୨ ଟି ଏଟିଭିଏମ କାର୍ଯ୍ୟ କରିବ। ୮୦୦ ଆରପିଏଫ ଙ୍କ ସହ ୧୫୦୦ ଜିଆରପି ମୁତୟନ ହେବେ।

ଏହି ବୈଠକରେ ପଞ୍ଚାୟତିରାଜ ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ, ରାଜ୍ୟସଭା ସାଂସଦ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ, ସତ୍ୟବାଦୀ ଓ ପିପିଲି ବିଧାୟକ, ପୁରୀ ଜିଲ୍ଲାପାଳ, ଏସପି, ଅତିରିକ୍ତ ଡ଼ିଜିଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଯୋଗ  ଦେଇଥିଲେ।

ଆହୁରି ପଢନ୍ତୁ ; ଶ୍ରୀମନ୍ଦିର ପ୍ରଶାସନକୁ ପଠାଗଲା ୩୮୦ କିଲୋଗ୍ରାମ ବାସୁଙ୍ଗା ପାଟ