ନୂଆଦିଲ୍ଲୀ,୨୩/୦୬; ସବୁ ଯୁବ କ୍ରିକେଟରଙ୍କ ସ୍ୱପ୍ନ ଥାଏ ଯେ, ସେ ଦିନେ ଟିମ୍ ଇଣ୍ଡିଆ ଜର୍ସି ପିନ୍ଧିବେ । ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ, ଏହି ସ୍ୱପ୍ନ ଏବେ ବାସ୍ତବରେ ପରିଣତ ହୋଇଛି । ଆର୍ୟଲ୍ୟାଣ୍ଡ ବିପକ୍ଷରେ ଟି-୨୦ ସିରିଜ୍ ଆରମ୍ଭ ହେବା ପୂର୍ବରୁ ସେ ଟିମ୍ ଇଣ୍ଡିଆ ଜର୍ସି ହାତରେ ଧରିଛନ୍ତି । ଯେଉଁଥିରେ ସେ ତାଙ୍କ ନାମ ଦେଖି ଭାବ ବିହ୍ୱଳ ହୋଇପଡିଛନ୍ତି । ତାଙ୍କ ଜର୍ସି ନମ୍ବର ୩ ରହିଛି । ସେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଜର୍ସି ପିନ୍ଧିଲେ ସେତେବେଳେ ତାଙ୍କ ଖୁସି ସ୍ପଷ୍ଟ ଭାବରେ ଦେଖାଯାଇଥିଲା । ବିସିସିଆଇ ଜୁନ୍ ୨୩ ତାରିଖରେ ଏକ ଭିଡିଓ ସେୟାର କରିଥିଲା, ଯେଉଁଥିରେ ବୈଭବ ପ୍ରଥମ ଥର ପାଇଁ ଭାରତୀୟ ଜର୍ସି ପିନ୍ଧିଥିବାର ଦେଖିବାକୁ ମିଳିଛି । ଏହି ମୁହୂର୍ତ୍ତ ତାଙ୍କ ପାଇଁ ଏତେ ସ୍ୱତନ୍ତ୍ର ଥିଲା ଯେ, ସେ କିଛି ସମୟ ପାଇଁ କିଛି କହିପାରିନଥିଲେ । ଭାବପ୍ରବଣ ହୋଇଯାଇଥିଲେ । ବୈଭବଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ପିଲା ଦିନ ସ୍ବପ୍ନ ସତ ହେଲା- ଭାରତୀୟ କ୍ରିକେଟର ଷ୍ଟାର ବୈଭବ ସୂର୍ଯ୍ୟବଂଶୀ ଟିମ୍ ଇଣ୍ଡିଆ ଜର୍ସି ପାଇବାର ଖୁସି ପ୍ରକାଶ କରି ବୈଭବ କହିଛନ୍ତି ଯେ, ଏହା ଶବ୍ଦ ବାହାରେ । ଯେଉଁ ସ୍ୱପ୍ନ ତାଙ୍କୁ ପ୍ରଥମ ଦିନରେ ବ୍ୟାଟ୍ ଉଠାଇ କ୍ରିକେଟ୍ ଗ୍ରାଉଣ୍ଡକୁ ଅଭ୍ୟାସ ପାଇଁ ପଠାଇଥିଲା ତାହା ସାକାର ହୋଇଛି । ସେହି ଯାତ୍ରାର ସବୁଠାରୁ ବଡ଼ ପଦକ୍ଷେପ ଆଜି ପୂରଣ ହୋଇଛି । ସତ କହିବାକୁ ଗଲେ, ସେ ଏହି ଅନୁଭବକୁ ବର୍ଣ୍ଣନା କରିପାରିବେ ନାହିଁ ବୋଲି କହିଛନ୍ତି । ଏହା ଏକ ସ୍ୱପ୍ନ ପରି ଲାଗୁଛି । ଜର୍ସି ଦେଖିବା ମାତ୍ରେ ତାଙ୍କ ମୁହଁରେ ଏକ ହସ ଫୁଟି ଉଠିଲା । ସେ କହିଛନ୍ତି, କେବେ କେବେ ଏପରି ଘଟଣା ଘଟେ ଯାହା ଆପଣ କେବେ କଳ୍ପନା କରିନଥିଲେ ।''
Vaibhav Sooryavanshi receiving his team India jersey at the age of 15. 🥹❤️pic.twitter.com/weXfyBZzLO
— Mufaddal Vohra (@mufaddal_vohra) June 23, 2026
ଏହା ବି ପଢନ୍ତୁ...Vaibhav Sooryavanshi: ବୈଭବଙ୍କ ଅନ୍ତର୍ଜାତୀୟ ଡେବ୍ୟୁ ପୂର୍ବରୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ
ରଘୁଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ- ଭିଡିଓଟି ଏକ ଭାବପ୍ରବଣ ମୁହୂର୍ତ୍ତକୁ ମଧ୍ୟ କଏଦ କରିଛି । ଟିମ୍ ଇଣ୍ଡିଆର ଥ୍ରୋଡାଉନ୍ ବିଶେଷଜ୍ଞ ରଘୁ ଜର୍ସି ଧରି ତାଙ୍କ ହୋଟେଲ ରୁମରେ ପହଞ୍ଚିଥିଲେ। ଦ୍ୱାର ଖୋଲିବା ମାତ୍ରେ ବୈଭବ ରଘୁଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ତା’ପରେ ଜର୍ସି ଥିବା ବାକ୍ସ ଖୋଲିଥିଲେ ବୈଭବ । ହାତରେ ଭାରତୀୟ ଜର୍ସି ଧରିଲେ ଏବଂ କିଛି ମୁହୂର୍ତ୍ତ ପାଇଁ ଏହାକୁ ଚାହିଁ ରହିଲେ । ତାଙ୍କ ମୁହଁରେ ଏକ ନିଆରା ଆଉ ସ୍ୱତନ୍ତ୍ର ହସ ଦେଖିବାକୁ ମିଳିଛି । ତାଙ୍କ ଆଖିରେ ଚମକ ସ୍ପଷ୍ଟ ବାରି ହୋଇପଡୁଥିଲା । ଯାହା ସେ ପିଲାଦିନରୁ କଠିନ ପରିଶ୍ରମ କରିଥିବା ସ୍ୱପ୍ନର ସାକାରକୁ ପ୍ରତିଫଳିତ କରିଛି ।
ବୈଭବ ସୂର୍ଯ୍ୟବଂଶୀ IPLରେ ଶତକ ମାରିଥିବା ସବୁଠାରୁ କମ୍ ବୟସ୍କ ଖେଳାଳି ହୋଇଥିଲେ । ଏହା ପରେ ସେ ଘରୋଇ କ୍ରିକେଟରେ ଜବରଦସ୍ତ ବ୍ୟାଟିଂ କରୁଥିଲେ । ଚଳିତବର୍ଷ ଆଇପିଏଲରେ ୭୭୬ ରନ କରିଥିଲେ, ଯେଉଁଥିରେ ରେକର୍ଡ ୭୧ଟି ଛକା ଥିଲା, ଏବଂ ଅରେଞ୍ଜ କ୍ୟାପ୍ ହାସଲ କରିଥିଲେ । ଏହି ପ୍ରଦର୍ଶନ ଆଧାରରେ ତାଙ୍କୁ ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପାଇଁ ଟିମ୍ ଇଣ୍ଡିଆରେ ସିଲେକ୍ଟ କରାଯାଇଥିଲା । ଟ୍ରାଇ ସିରିଜରେ ଶ୍ରୀଲଙ୍କା ବିପକ୍ଷରେ ଫାଇନାଲରେ ୯୪ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଭାରତ ଏ ଚାମ୍ପିଅନ୍ ହୋଇଥିଲା । ଆୟର୍ଲାଣ୍ଡରେ ସମସ୍ତଙ୍କ ନଜର ୧୫ ବର୍ଷୀୟ ଷ୍ଟାର ବ୍ୟାଟରଙ୍କ ଉପରେ ରହିବ ।