ପୁରୀ, ୦୫/୦୮ : ବଡ଼ଦେଉଳକୁ ହିଡେନ୍ କ୍ୟାମେରା ବିପଦ। ଚଷମାରେ କ୍ୟାମେରା ଖଞ୍ଜି ଦୁଇ ଦିନରେ ଧରା ପଡ଼ିଲେଣି ୨ ଅମାନିଆ। ଗତକାଲି ଧରାପଡ଼ିଥିଲେ ସୁରତର ଯୁବକ। ଘଟଣାକୁ ୨୪ ଘଣ୍ଟା ନପୂରୁଣୁ ପୁଣି ଧରାପଡ଼ିଲେ ଆଉ ଜଣେ ବଙ୍ଗୀୟ ଯୁବକ। ଆଇନ ମନ୍ତ୍ରୀ କହିଲେ ଆହୁରି କଡ଼ାକଡ଼ି ହେବ ଚେକିଂ। ଶ୍ରୀମନ୍ଦିରରେ ସ୍ପାଇ କ୍ୟାମେରା ଧରା ପଡ଼ିବା ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଏ ବାବଦରେ ସରକାର ଗମ୍ଭୀରତାର ସହ ଚିନ୍ତା କରୁଛନ୍ତି । କେମିତି କଠୋର ଚେକିଂ ହେବ ସେନେଇ ପ୍ରକ୍ରିୟା ଆରମ୍ଭ ହେବ । ଏହାସହ ଯେଉଁମାନେ ଚଞ୍ଚକତା କରି ଶ୍ରୀମନ୍ଦିରର ଫଟୋ ଉଠାଇବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କ ଉପରେ ଦଣ୍ଡ ବିଧାନ କରାଯିବ । ଯେହେତୁ ଚଷମାରେ ସ୍ପାଇ କ୍ୟାମେରା ଆସୁଛି । ତେଣୁ ଲୋକମାନେ ଯେତେବେଳେ ସିଂହଦ୍ୱାର କିମ୍ବା ଅନ୍ୟ ଦ୍ଵାରରେ ପ୍ରବେଶ କରୁଛନ୍ତି ପୁଲିସ ଜାଣିବା ବି କଷ୍ଟକର ହେଉଛି । କେବଳ ଫଟୋ ଉଠାଇବା ସମୟରେ ଲାଇଟ୍ ଜାଳିଲେ ଜାଣିହେଉଛି ।
ସୂଚନାନୁଯାୟୀ, ସୋମବାର ସୁରତର ବିପୁଳ ପଟେଲ ଚଷମାରେ ହିଡେନ୍ କ୍ୟାମେରା ଲଗାଇ ଶ୍ରୀମନ୍ଦିରରୁ ଧରାପଡ଼ିଥିଲେ। ମଙ୍ଗଳବାର ପୁଣି ଜଣେ ବଙ୍ଗୀୟ ଯୁବକ ହିଡେନ୍ କ୍ୟାମେରା ଲଗାଇ ବଡ଼ଦେଉଳରେ ପ୍ରବେଶ କରିଥିଲେ। ପଶ୍ଚିମଦ୍ବାର ନିକଟରେ ଉକ୍ତ ଯୁବକଙ୍କ ଉପରେ ପୁଲିସର ସନ୍ଦେହ ହେବାରୁ ଅଟକ ରଖିଥିଲେ। ତାଙ୍କ ଚଷମାରେ କ୍ୟାମେରା ଲାଗି ଥିବା ଜଣାପଡ଼ିଥିଲା । ପରେ ଆକ୍ସନକୁ ଆସିଥିଲା ପୁଲିସ। ତାଙ୍କୁ ଉଠାଇନେଇ ସିଂହଦ୍ବାର ଥାନରେ ଅଟକ ରଖି ଜେରା କରୁଛି ପୁଲିସ।
ଜୁଲାଇ ୨୯ରେ ସମାନ ଘଟଣା ଘଟିଥିଲା। ମାତ୍ର ୫ ଦିନ ପରେ ଆଉ ଦୁଇଟି ଅନୁରୂପ ଘଟଣା ଶ୍ରୀମନ୍ଦିର ଚାରିଦ୍ୱାରରେ ପୁଲିସର ଯାଞ୍ଚ ବ୍ୟବସ୍ଥା, ଶ୍ରୀମନ୍ଦିର ଭିତରେ ଥିବା ଏଆଇ କ୍ୟାମେରା ସହ ପୁଲିସର ସୁରକ୍ଷା ପରିଚାଳନା ଦାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ସିଂହଦ୍ୱାର ଆଇଆଇସି ଶ୍ୱେତପଦ୍ମା ଦାଶ କହିଛନ୍ତି, ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯାଉଛି ।