ଚେନ୍ନାଇ,୨୨/୧୧: ତାମିଲନାଡୁର କ୍ରିଷ୍ଣଗିରି  ଜିଲ୍ଲା ହୋସୁର କୋର୍ଟ ବାହାରେ ସର୍ବସାଧାରଣରେ ଜଣେ  ଆଇନଜୀବୀଙ୍କୁ କଟୁରୀରେ ହାଣି ହତ୍ୟା କରାଯାଇଛି । ହତ୍ୟାର  ଶିକାର ହୋଇଥିବା ଆଇନଜୀବୀ ହେଲେ ୩୦ ବର୍ଷୀୟ କନ୍ନନ  ଏବଂ ହତ୍ୟାକାରୀ ହେଲେ ଆନନ୍ଦନ । ସବୁଠାରୁ ବଡକଥା ହେଉଛି ଅଭିଯୁକ୍ତ ଆନନ୍ଦନ ଆଇନଜୀବୀ କନ୍ନନଙ୍କ ନିକଟରେ  ତାଙ୍କର ସହଯୋଗୀ ଭାବେ କାର୍ଯ୍ୟ କରୁଥିଲେ । ପୁଲିସ ଅଭିଯୁକ୍ତ  ଆନନ୍ଦନଙ୍କୁ ଗିରଫ କରିଛି । 

ଅଭିଯୋଗ ଅନୁସାରେ ଆନନ୍ଦନଙ୍କ  ପତ୍ନୀଙ୍କ ସହ କନ୍ନନଙ୍କର ଅନୈତିକ ସମ୍ପର୍କ ରହିଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକଥର ଝଗଡା ହୋଇଛି ।  ବୁଧବାର ପୂର୍ବାହ୍ନରେ କନ୍ନନ କୋର୍ଟକୁ ଆସିଥିଲା ବେଳେ  ଆନନ୍ଦନ ଲୁଚାଇ ରଖିଥିବା ଏକ କଟୁରୀରେ ତାଙ୍କୁ କୋର୍ଟ ବାହାରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଗୁରୁତର  ଅବସ୍ଥାରେ କନ୍ନନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।  ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।