ଏବିଶାଳ ଦୁନିଆକୁ ମଣିଷ ଯେ ଚଳାଏ ଏଥିରେ ଆଦୌ ଦ୍ୱିମତ ନାହିଁ । ମଣିଷ ଲକ୍ଷ୍ୟସାଧନ ନେଇ କାର୍ଯ୍ୟ କରେ ଆଉ ହାସଲ କରେ । କିନ୍ତୁ ସମସ୍ତଙ୍କ ପକ୍ଷେ ଏଠି ସବୁ କାର୍ଯ୍ୟ କରିବା ସମ୍ଭବ ହୋଇନଥାଏ । ଏଠି ଯିଏ ବୁଦ୍ଧି ଜ୍ଞାନ ଆଉ ଚତୁରତାରେ ପ୍ରଖର, ଦୁନିଆ ହୋଇଯାଏ ତା’ ହାତମୁଠାରେ । ତା’ ସ୍ୱରରେ ଯେତିକି ଦୃଢ଼ତା ଥାଏ ଜଣେ ସାଧାରଣ ମଣିଷ ପକ୍ଷେ ସେତିକି ନଥାଏ । ଏହା କେବଳ ବ୍ୟକ୍ତିର ଦକ୍ଷତା ଆଉ ଅଭିଜ୍ଞତାର ପରିଚୟ ଦିଏ । ସେ ଛାତି ଫୁଲେଇ ବଡ଼ ସ୍ୱରରେ କହିପାରେ ସବୁକିଛି ମୋ ବାଁ ହାତର ଖେଳ। କେହି ହୁଏତ କହିପାରେ ଏହାକୁ ଅହଂ ଭାବନା ତ କେହି କହିପାରେ ଏହା ତା’ର ଅଭିଜ୍ଞତା । ଅତି ସହଜରେ ହୋଇପାରୁଥିବା କାର୍ଯ୍ୟକୁ ଆମେ ବାଁ ହାତର ଖେଳ କହିଥାଉ । ଯାହା ନିମିଷକ ମଧ୍ୟରେ ଆଉ ଚଟାପଟ୍ ସମ୍ପନ୍ନ ହୋଇଯାଏ ।
ମଣିଷର ଡାହାଣ ହାତ ଖାଇବା, ଲେଖିବା ଓ ସବୁ ପ୍ରକାର ସ୍ୱଚ୍ଛ କର୍ମ ସହିତ ଜଡ଼ିତ ଥିବାବେଳେ ବାମହାତ ମୁଖ୍ୟତଃ ଶୌଚକାର୍ଯ୍ୟରେ ବ୍ୟବହୃତ ହୁଏ । ହଁ, କିଛି ବାଉଁଆ ବ୍ୟକ୍ତିବିଶେଷ ବାମ ହାତରେ ସବୁପ୍ରକାର କାର୍ଯ୍ୟ କରିଥାନ୍ତି । ଡାହାଣ ହାତ ଆମର ସ୍ୱଚ୍ଛର ପ୍ରତୀକ ହେଲେ ବାଁ ହାତ ଅସ୍ୱଚ୍ଛର । ଡାହାଣ ହାତ ଆମେ ମିତ୍ରତା ପାଇଁ ବଢ଼େଇ ଥାଉ ଆଉ କାହାକୁ ଆଶୀର୍ବାଦ ବେଳେ ଡାହାଣ ହାତ ଉପରକୁ ଉଠିଥାଏ । ଜ୍ୟୋତିଷ ଶାସ୍ତ୍ର ମତରେ ଡାହାଣ ହାତ ଶୁଭ । ଏଣୁ ସବୁପ୍ରକାର ପୂଜାପାଠ ଶୁଦ୍ଧକାର୍ଯ୍ୟ ଡାହାଣ ହାତରେ ସମ୍ପାଦିତ ହୁଏ । ସବୁପରେ ବ୍ୟକ୍ତି ବାଁ ହାତରେ ଅନେକ କାର୍ଯ୍ୟକୁ ଚୁଟ୍କିରେ ସାରିଦେଇ ଦମ୍ଭ ଦେଖାଇପାରେ । ଆଉ ଏକଥା ବି ସତ ଯେ, ଦୁଇହାତ ମିଶିଗଲେ ଅସମ୍ଭବ ବି ସମ୍ଭବ ହୁଏ । ବାଁ ହାତର ହସ୍ତରେଖାରୁ ଲାଭ ଏବଂ ନୂଆ ଜିନିଷ କ୍ରୟ କରିବାର ସୂଚନା ମିଳେ । ହିନ୍ଦୀରେ ଶୁଣା କଥାଟେ ଅଛି- ଡାହିନେ ହାତ କା ଦାନ୍ ବାଏଁ ହାତ ନା ଜାନେ । ଯାହାର ଅର୍ଥ- ଦାନ ଦୁଇ ବ୍ୟକ୍ତି ମଧ୍ୟରେ ଗୁପ୍ତ ରହୁ, ଯେପରି ତୃତୀୟ ବ୍ୟକ୍ତି ନଜାଣୁ । ନହେଲେ ଦାତାଙ୍କର ଗର୍ବ ଅହଙ୍କାର ବୃଦ୍ଧିର ସୂଚନା ମିଳିବ ।
ଆଜିର ବସ୍ତୁବାଦୀ ଦୁନିଆରେ ସଭିଙ୍କର ଲକ୍ଷ୍ୟ ବିନା ପରିଶ୍ରମରେ ହାତପାଆନ୍ତାରେ ମତେ ସବୁକିଛି ମିଳିଯାଉ । ଯେଉଁଠି ଶାରୀରିକ ପରିଶ୍ରମ ନୁହେଁ, ଚହଟ ଚିକ୍କଣ କଥାରେ କାମ ହୋଇଯାଏ । ଏ ପ୍ରକାର ଧନ ଉପାର୍ଜନ ଉପୁରି ବା ଦୋ-ନମ୍ବରୀ କାରବାରକୁ ବୁଝାଏ । ବାଁ ହାତରେ କାମ ବଢ଼େଇ ଡାହାଣ ହାତ ଟେକିଦେଲେ ହେଇଗଲା ତୁମର ଭାବମୂର୍ତ୍ତି ସ୍ୱଚ୍ଛ । ଦୋ-ନମ୍ବରୀ କାରବାରରେ ପକେଟ୍ ଗରମ କରିବାକୁ ସଭିଏଁ ଆଜି ଖୁବ୍ ବିକଳ । ଉପରୁ ପରିଷ୍କାର ପରିଚ୍ଛନ୍ନ ଦିଶୁଥିବା ମଣିଷ ଭିତରେ ହଳାହଳ ବିଷ । ବାସ୍ତବରେ ଝାଳବୁହା ଧନ ବ୍ୟକ୍ତିକୁ ଭରପୂର ସୁଖଶାନ୍ତି ପ୍ରଦାନ କରେ । ଯେହେତୁ ଏହା କାହାକୁ ପ୍ରତାରଣା କିମ୍ବା କ୍ଷତି ପହଞ୍ଚାଇନଥାଏ । ଏହା ମନ ପ୍ରାଣକୁ ଭରପୂର ଆତ୍ମାସନ୍ତୋଷ ପ୍ରଦାନ କରେ । ହେଲେ ଲାଭ ଆଉ ଲୋଭରେ ଆଜିର ମଣିଷ ଉବୁଟୁବୁ । ଦୁର୍ନୀତି କଳାବଜାରୀ, ଠକେଇ ଆଜି ସାଧାରଣ କଥାରେ ପରିଣତ ହୋଇଛି ।
ମୁଁ ବଞ୍ଚେ, ମୋ ପରିବାର ବଞ୍ଚିଥାଉ, ତେଣିକି ଦୁନିଆ ଭାସିଯାଉ ଆଜି ଜୀବନର ମୂଳମନ୍ତ୍ର ହେଇଯାଇଛି । ଯାହା ହାତରେ ଆଜି ଧନ ଦୌଲତ, କ୍ଷମତା, ପ୍ରତିପତ୍ତି ସେ ବାଁ ହାତରେ ଦୁନିଆକୁ ନଚାଉଛି । ନୀତି ନୈତିକତା ଆଦର୍ଶ ଆଜି କେବଳ ଆଲୋଚନା ଆଉ କଥା ପ୍ରସଙ୍ଗରେ ସୀମିତ । ପାଠପଢ଼ ବଡ଼ ଚାକିରି କରି ବଡ଼ ପଦପଦବିରେ ବସି ରାଜୁତି କର । ଯାହା ହାତରେ ସୁଯୋଗ ଆସିଲା ସେ ଲୁଟିମାରି ଖାଇଲା । ଅନ୍ୟମାନଙ୍କ ଭାବନା କିମ୍ବା ଆବଶ୍ୟକତା ବିଷୟରେ ଚିନ୍ତା କରିବାର ନାହିଁ । ଏପରି ଆଚରଣ ସମାଜରେ ସହଯୋଗ, ସୁସମ୍ପର୍କ ଏବଂ ଉତ୍ତମ ବୁଝାମଣା ହ୍ରାସ କରେ । ଆଜିର ମଣିଷ ନିଜ ଆବଶ୍ୟକତାର ଦାସ ଅଟେ । ନିଜ ଆବଶ୍ୟକତା ଏବଂ କାମନା ସବୁ ଏତେ ବୃଦ୍ଧିପାଇଛି ଯେ ସେ ସର୍ବଦା ଅନ୍ୟମାନଙ୍କଠାରୁ ଆଶା କରୁଛି । ଯେତେ ହାସଲ କରିନେଲେ କାଉ ବା ସନ୍ତୁଷ୍ଟି ପାଉଚି ଓଲଟା ପାପର୍ଜିତ ଟଙ୍କା ପଛରେ ଧାଇଁବାର ମୋହ ଆହୁରି ଅଧିକ ଗ୍ରାସୁଚି । ସ୍ୱଳ୍ପ ସମୟରେ କିଛି ବି ହାସଲ ହୁଏନି, ଯିଏ କରିପାରିଲା ଜାଣ କିଛି କାରସାଦି କରିଛି । ଉପରୁ ନିରବ ରହି ବାଆଁପଟରେ ସେ ତାର କାମ ତମାମ୍ କରେ । ସେ ପୁଣି ତାରି ପରି ବେଆଇନ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ଗୋଷ୍ଠୀ ସହିତ ସମ୍ପର୍କ ଗଢ଼େ ଆଉ ସମର୍ଥନ କରିବାକୁ ଆଗେଇ ଆସେ । ଆଶ୍ଚର୍ଯ୍ୟର ବିଷୟ, ଏପରି ବ୍ୟକ୍ତିଙ୍କ ଖାତିରି ଆଜି ଖୁବ୍ ବେଶୀ । ଲୋକେ ସଲାମ ଠୋକନ୍ତି ଆଉ ସଭାମଞ୍ଚରେ ଏମାନେ ଆସନ ବି ଗ୍ରହଣ କରନ୍ତି । ଅର୍ଥବଳ ଆଉ ବାହୁବଳ ଲାଗି ଆଜି ସିନା ଲୋକ ତୁମ ପାଦତଳେ ମଥାନତ ହେଉଛନ୍ତି, କିନ୍ତୁ ସମୟ କଡ଼ ଲେଉଟେଇଲେ ସବୁକିଛି ଓଲଟ ପାଲଟ ହେଇଯିବ ଏଥିର ଆଦୌ ଦ୍ୱିମତ ନାହିଁ ।
ଆମ ଭାରତ ଏପରି ଏକ ଦେଶ, ଯେଉଁଠି କେବଳ ଖାଦ୍ୟସାମଗ୍ରୀ ନୁହେଁ ଜୀବନରକ୍ଷାକାରୀ ଔଷଧ ବି ଭେଜାଲ ହୁଏ । ପୋଲିସ, ପ୍ରଶାସନ ଆଉ ଆଇନକାନୁନ ଯେତେ ଶକ୍ତି ଦେଖାଇଲେ ବି ଅସାଧୁ ବ୍ୟକ୍ତି ଓ ମୁନାଫାଖୋର ବ୍ୟବସାୟୀଙ୍କର ସମୂଳେ ନାଶ କରିପାରେନି । ଯଦିଓ ହାଜତ ଟିକେଟ କଟେ ମାସ କି ବର୍ଷେ କେଇଟାରେ ଅଭିଯୁକ୍ତ ମୁକୁଳି ଆସି ଛାତି ଚଉଡ଼ା କରି ବୁଲେ ଆଉ ବଡ଼ ସ୍ୱରରେ କୁହେ ମୁକୁଳିବା ମୋ ବାଁ ହାତର ଖେଳ । ଏମାନେ ଯେ ରାଜନେତା, ପ୍ରଶାସନ ମୁଷ୍ଟିମେୟ ଲୋକଙ୍କ ଛତ୍ରଛାୟା ତଳେ ରହି ଦମ୍ଭ ଦେଖାନ୍ତି ଏଥିରେ ଆଦୌ ସନ୍ଦେହ ନାହିଁ । ଟିଭି ଖବରକାଗଜରେ ଆମେ ପଢ଼ୁ ଜବତ ହୁଏ ବେଆଇନ ସାମଗ୍ରୀ ଆଉ ଦଫା ଲାଗେ, ହେଲେ ଦିନ କେଇଟା ପରେ ସେଇ ସମାନ ଘଟଣାର ପୁନରାବୃତ୍ତି ଘଟେ । ଏ ନୂଆ କଥା ନୁହେଁ, ଆଗରୁ ଦେଖୁଥିଲେ ଏବେ ବି ଦେଖୁଛ । କାହିଁ କେଉଁ କାଳରୁ ଭେଜାଲ, ଅପମିଶ୍ରଣ ସାମଗ୍ରୀ ବଜାରରେ ବିକ୍ରି ହେଉଛି । ଏମିତି ପରିସ୍ଥିତି ହେଲାଣି ଅସଲି କିଏ ନକଲି କିଏ ଜାଣିବା ବି ମୁସ୍କିଲ । ବାସ୍ତବରେ ସେମାନଙ୍କ ପାଇଁ ଯାହା ବାଁ ହାତର ଖେଳ ତାହା ଅନ୍ୟ ପାଇଁ କାଳ । ସାଧାରଣ ଲୋକଟି ଉଚିତ୍ ଜିନିଷ ପାଇଁ ପଇସା ଦେଇ ଭେଜାଲ ଜିନିଷ ପାଏ ଆଉ ସେପଟେ ପକେଟ୍ ଗରମ କରନ୍ତି ମୁନାଫାଖୋର୍ ବ୍ୟବସାୟୀ ।
ସରକାରୀ ବାବୁ ହାତଗୁଞ୍ଜା ନେଇ ଚୁପ୍ ବସନ୍ତି । ସ୍ଥାନୀୟ ଥାନା ଆଉ ବ୍ୟବସାୟୀ ସହିତ ମଧୁଚନ୍ଦ୍ରିକା ଚାଲେ ଆଉ ଏଥିରେ ପେଷି ହୁଅନ୍ତି ସାଧାରଣ ମଣିଷ । ପ୍ରତିବାଦ କରିବାକୁ କାହାରି ନଥାଏ ଆନ୍ତରିକତା । ଆଜିର ମଣିଷ ଚରିତ୍ର ଆଉ ଚେହେରା ଅଲଗା । ମୋ ବାଁ ହାତର ଖେଳ କହୁଥିବା ସମସ୍ତେ ସାହସୀ କି ସଚ୍ଚୋଟ ନୁହଁନ୍ତି । ଏମାନଙ୍କ ଭିତରେ ଅନେକ ମୁଖାପିନ୍ଧା ଶିକ୍ଷିତ, ଅସାଧୁ ଆଉ ଦୁଷ୍ଟ ବି ଅଛନ୍ତି । ନିଜ କଳା କାରନାମାକୁ ଦମ୍ଭ ସ୍ୱରରେ କହିପାରନ୍ତି । ଦୁନିଆ ଦେଖେ ଆଉ ସେମାନେ ଦେଖାନ୍ତି ତାଙ୍କ ଦୋନମ୍ବରୀ ଖେଳ । ବାସ୍ତବରେ ଲୋକଟି ସିନା ଖେଳ ଦେଖାଏ, ହେଲେ ସେ ଭୁଲିଯାଏ ତା’ ଖେଳର ବି ଦିନେ ଶେଷ ହେବ । କାରଣ ପ୍ରତ୍ୟେକ ଆରମ୍ଭର ଶେଷ ଅଛି । ଆଉ ସେଇ ଶେଷରେ ତାର କୌଣସି ଅସ୍ତିତ୍ୱ ରହିବନାହିଁ ।