୨୦୨୬ ଗ୍ରହ ଚଳନ:- ବର୍ଷ ଆରମ୍ଭରୁ ବର୍ଷ ଶେଷ ପର୍ଯ୍ୟନ୍ତ ଶନି ମୀନ ରାଶିରେ ଅବସ୍ଥାନ କରିବେ । ୦୧.୦୬.୨୦୨୬ ବୃହସ୍ପତି କର୍କଟ ରାଶିକୁ ଗମନ କରିବେ । ପୁଣି ୩୦.୧୦.୨୦୨୬ରେ ବୃହସ୍ପତି ସିଂହକୁ ଗମନ କରିବେ । ୨୫.୧୧.୨୦୨୬ରେ ରାହୁ ମକରକୁ ଗମନ କରିବେ ଏବଂ କେତୁ କର୍କଟକୁ ଗମନ କରିବେ ।

ସିଂହ: ବର୍ଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶନି ଅଷ୍ଟମ, ଜୁନ୍ ମାସ ୧ ତାରିଖ ପର୍ଯ୍ୟନ୍ତ ବୃହସ୍ପତି ଏକାଦଶ ହେତୁ ସିଂହ ରାଶିର ସବୁବର୍ଗର ବ୍ୟକ୍ତିମାନଙ୍କର ଆୟ ଅତି ଉତ୍ତମ ରହିଲେ ମଧ୍ୟ ଶାରୀରିକ ପୀଡ଼ା, ମାନସିକ ଅଶାନ୍ତି, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ ଏବଂ ସମସ୍ତ କର୍ମରେ କିଛି ନା କିଛି ସମସ୍ୟା ଦେଖାଦେବ । ନୂତନ ଭୂମି, ଯାନବାହନ, ମୂଲ୍ୟବାନ ଧାତୁ କ୍ରୟ କରିବେ ଏବଂ ନୂତନ ଗୃହ ନିର୍ମାଣ କରିବାରେ ସମର୍ଥ ହେବେ । ଆୟର ନୂତନ ମାର୍ଗ ଖୋଲିବ ଏବଂ ଅନ୍ୟକୁ ଦେଇଥିବା ଧନ, ହୃତଧନ ଫେରିପାଇବେ । ବ୍ୟବସାୟୀମାନେ ବ୍ୟବସାୟରେ ଉନ୍ନତି କରିବେ ଏବଂ ନୂତନ ବ୍ୟବସାୟ ପାଇଁ ଚୁକ୍ତିବଦ୍ଧ ହେବେ । ବିଦେଶ ଯାତ୍ରାର ସୁଯୋଗ ଜୁଟିବ ଏବଂ ବ୍ୟବସାୟର ଶାଖା ବଢ଼ାଇବା ପାଇଁ ସମର୍ଥ ହେବେ । କର୍ମଜୀବୀମାନଙ୍କର କର୍ମରେ ଉନ୍ନତି ଆସିବ । ଦରମାରେ ବୃଦ୍ଧି, ପଦସ୍ଥ ଅଧିକାରୀଙ୍କ କୃପା, ସହକର୍ମୀଙ୍କ ସହଯୋଗ ଏବଂ ପ୍ରମୋସନ ମିଳିପାରେ ।

ଅବିବାହିତ ପୁଅଝିଅମାନଙ୍କର ଉତ୍ତମ ପାତ୍ରରେ ବିବାହ ସମ୍ପନ୍ନ ହେବ ଏବଂ ପ୍ରେମରେ ଥିବା ପୁଅ ଓ ଝିଅମାନଙ୍କର ସମ୍ପର୍କରେ ସୁଧାର ଆସିବ । ଶିକ୍ଷାର୍ଥୀମାନେ ଉଚ୍ଚଶିକ୍ଷାରେ ମନୋନିବେଶ କରିବେ ଏବଂ ଉତ୍ତମ ଅନୁଷ୍ଠାନରେ ଉଚ୍ଚଶିକ୍ଷା ପାଇବାକୁ ଯୋଗ୍ୟ ବିବେଚିତ ହେବେ । କ୍ରୀଡ଼ାବିତ୍ ମାନେ ଦେଶ ଓ ଜାତି ପାଇଁ ସମ୍ମାନ ଆଣିବେ ଏବଂ ସେମାନଙ୍କର ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଆସିବ । ଗୃହିଣୀମାନେ ଘରକୁ ସୁଚାରୁରୂପେ ଚଳେଇବାରେ ସମର୍ଥ ହେବେ ଏବଂ ସଞ୍ଚୟରେ ମନୋନିବେଶ କରିବେ । ଜୁନ୍ ମାସ ୧ ତାରିଖ ପରେ ଦ୍ୱାଦଶ ବୃହସ୍ପତି ଯୋଗୁ ଏବଂ ଅକ୍ଟୋବର ୩୦ ପରେ ଜନ୍ମ ବୃହସ୍ପତି ହେତୁ ସିଂହ ରାଶିର ସବୁ ର୍ବଗର ବ୍ୟକ୍ତିଙ୍କର ଅଯଥା ଖର୍ଚ୍ଚ, ବଦ୍ ଖର୍ଚ୍ଚ ବୃଦ୍ଧି ପାଇବ ଏବଂ ଶାରୀରିକ ପୀଡ଼ା, ସ୍ୱଜନ, ପରିଜନଙ୍କ ସହ ବିବାଦ ଏବଂ ପରିବାରରେ ଅଶାନ୍ତି ଲାଗି ରହିବ ।

ଶୁଭ ରଙ୍ଗ : ଲାଲ୍, ସଂଖ୍ୟା : ୬, ଆରାଧନା : ମା’ ମାଣିକେଶ୍ୱରୀ ।