ଭୁବନେଶ୍ୱର, ୧୦/୦୨ : ସାବଧାନ, ଉକୁଣି ନେଉଛି ଜୀବନ । ଗତ ରବିବାର ପୁରୀ ଜିଲ୍ଲାର ବଳଙ୍ଗା ଥାନା ଅନ୍ତର୍ଗତ ଚମ୍ପାଗଡ଼ ସାହିର ଜଣେ ୧୨ବର୍ଷୀୟ ନାବାଳିକାଙ୍କ ଉକୁଣୀ ସଂକ୍ରମଣ ପାଇଁ ମୃତ୍ୟୁ ଘଟିଛି। ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଯାହାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି । ତେଣୁ ମୁଣ୍ଡରେ ଉକୁଣୀ ହେଉଥିଲେ, ତାକୁ ଅଣଦେଖା କି ହେୟଜ୍ଞାନ କରିବା ଉଚିତ୍ ନୁହେଁ । ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ନିଶ୍ଚୟ, ଏହି ଛୋଟିଆ ଜୀବ କେମିତି ଜୀବନ ନିଏ ? ଜାଣନ୍ତୁ ଏନେଇ କ'ଣ କହୁଛନ୍ତି ଚର୍ମ ବିଶେଷଜ୍ଞ...

ପ୍ରଥମ କଥା ହେଉଛି ଉକୁଣୀ ଯୋଗୁ ରକ୍ତହୀନତା ହୋଇଥାଏ । ମୁଣ୍ଡରେ ଉକୁଣୀ ହେଲେ ପ୍ରତିଦିନ ସେମାନେ ଶରୀରରୁ ରକ୍ତ ଶୋଷିନିଅନ୍ତି । ଯଦି ହଜାର ହଜାର ସଂଖ୍ୟାରେ ଉକୁଣୀ ବହୁ ଦିନ ଧରି ମୁଣ୍ଡରେ ରହନ୍ତି, ତେବେ ଶିଶୁର ଶରୀରରେ ରକ୍ତର ଘୋର ଅଭାବ ଦେଖାଦିଏ । ଯାହାକୁ ରକ୍ତହୀନତା କୁହାଯାଏ । ସେହିପରି ବାରମ୍ବାର ମୁଣ୍ଡ କୁଣ୍ଡାଇବା ଯୋଗୁ ଘା’ ବା କ୍ଷତ ସୃଷ୍ଟି ହୋଇ, ସେପ୍ଟିସେମିଆ ହୋଇଥାଏ । ସେହିବାଟେ ବାହାର ବ୍ୟାକ୍ଟେରିଆ ଶରୀର ଭିତରକୁ ପ୍ରବେଶ କରନ୍ତି । ଯଦି ଶିଶୁଟି ପୂର୍ବରୁ ରକ୍ତହୀନତା ଯୋଗୁଁ ଦୁର୍ବଳ ଥାଏ, ତେବେ ତା’ର ରୋଗ ପ୍ରତିରୋଧକ ଶକ୍ତି ଉକ୍ତ ବ୍ୟାକ୍ଟେରିଆକୁ ରୋକିପାରେ ନାହିଁ । ଫଳରେ ବ୍ୟାକ୍ଟେରିଆ ସବୁ ରକ୍ତରେ ମିଶି ପୂରା ଶରୀରକୁ ବିଷାକ୍ତ କରିଦିଏ । ଏହାକୁ ‘ସେପ୍ଟିସେମିଆ' କୁହାଯାଏ, ଯାହା ଅଙ୍ଗପ୍ରତ୍ୟଙ୍ଗ ଅକାମୀ କରିଦିଏ ।

ଉକୁଣୀ ଯୋଗୁ ସଂକ୍ରମଣ ଚରମ ସୀମାରେ ପହଞ୍ଚିଲେ ରକ୍ତ ଜମାଟ ବାନ୍ଧିବା ଶକ୍ତି ହରାଇଥାଏ, ଫଳରେ ରକ୍ତବାନ୍ତି ଭଳି ଲକ୍ଷଣ ଦେଖାଦିଏ । ଆଉ ମଧ୍ୟ ସଂକ୍ରମଣ ଯୋଗୁଁ ଯକୃତ ଏବଂ କିଡନୀ କାମ କରିବା ବନ୍ଦ କରିଦିଅନ୍ତି। ଫଳରେ ଜୀବନ ଚାଲିଯିବାର ଆଶଙ୍କା ରହିଥିବା ବିଶେଷଜ୍ଞମାନେ କହିଛନ୍ତି। ଉକୁଣୀ ହେଲେ ସବୁବେଳେ କ୍ଲାନ୍ତ ଓ ଦୁର୍ବଳ ଅନୁଭବ କରିବା, ଆଖି, ଜିଭ ଓ ନଖ ଫିକା ବା ଧଳା ଦେଖାଯିବା, ମୁଣ୍ଡରେ ଛୋଟ ଛୋଟ ଘା' ହେବା କିମ୍ବା ପୂଜ ବାହାରିବା ଭଳି ଲକ୍ଷଣ ଦେଖାଯାଏ । କ୍ୟାପିଟାଲ ହସ୍ପିଟାଲ ଚର୍ମ ବିଭାଗର ଡାକ୍ତର ସୁମନ୍ତ ଦାସ କହିଛନ୍ତି, ଉକୁଣୀ ହେଲେ ପ୍ରଥମେ ସଚେତନ ହେବା । ଡାକ୍ତରଙ୍କ ପରାମର୍ଶ ନେବାକୁ ସେ ପରାମର୍ଶ ଦେଇଛନ୍ତି ।

ଉକୁଣୀ ହେଲେ ଘରୋଇ ଉପଚାର: ପିଲାଙ୍କ ଚୁଟିକୁ ସପ୍ତାହରେ ଅତିକମରେ ଦୁଇଥର ଭଲ ସାମ୍ପୁରେ ସଫା କରନ୍ତୁ ଏବଂ ସରୁ ପାନିଆରେ କୁଣ୍ଡାଇ ଉକୁଣୀ ବାହାର କରନ୍ତୁ । ଉକୁଣୀ ମାରିବା ପାଇଁ କୃଷି କୀଟନାଶକ ବା କୌଣସି ବିଷାକ୍ତ ଦ୍ରବ୍ୟ ଚୁଟିରେ ଲଗାନ୍ତୁ ନାହିଁ । ଯଦି ଘରେ କାହାକୁ ଉକୁଣୀ ହୋଇଛି, ତେବେ ଚିକିତ୍ସା କରିବା ସହ ଛୋଟ ପିଲାଙ୍କ ବ୍ୟବହୃତ ଗାମୁଛା, ବିଛଣା ଓ ପାନିଆକୁ ଗରମ ପାଣିରେ ସଫା କରନ୍ତୁ ।

ଏହି ଖବରଟିକୁ ପଢନ୍ତୁ- ବଦଳିବ ରାଜ୍ୟ ରାଜପଥ ରୂପରେଖ, ହେବ ୪ ଲେନ୍‌: କଟକ ପାଇଁ ଆଉଟର ରିଙ୍ଗରୋଡ୍ ଯୋଜନା​​​​​​​