ଭୁବନେଶ୍ୱର,୧୦/୦୨: ବଦଳିଯିବ କଟକ ସହର ଓ ଏହାର ଉପକଣ୍ଠ ସଡ଼କ ପଥ ଚିତ୍ର । କଟକ ସହର ଚାରିପାଖକୁ ସଂଯୋଗ କରିବା ପାଇଁ ଏକ ଆଉଟର ରିଙ୍ଗରୋଡ ନିର୍ମାଣ ହେବ । ଭୁବନେଶ୍ୱର ସହର ପରିବର୍ଦ୍ଧିତ ଯୋଜନା ପରି କଟକ ସହର ପାଇଁ ଆଉଟର ରିଙ୍ଗରୋଡ ନିର୍ମାଣ କରାଯିବ । ଏ ନେଇ ଯୋଜନା ପ୍ରସ୍ତୁତ କରିବାକୁ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୁରୁତ୍ୱ ଦେଇଛନ୍ତି । କଟକ ସହରର ଟ୍ରାଫିକ ଭିଡ଼ କମିବା ସହ ଉପକଣ୍ଠକୁ ସହର ସମ୍ପ୍ରସାରଣ ହେବ ।
ସୋମବାର ଅପରାହ୍ନରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପୂର୍ତ୍ତ ବିଭାଗର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି ମନ୍ତ୍ରୀ ଶ୍ରୀ ହରିଚନ୍ଦନ । ଏହି ଅବସରରେ ଅନେକ ନୂଆ ସଡ଼କ ଯୋଜନା ନେଇ ଆଲୋଚନା ହେବା ସହ କେତେକ ପ୍ରସ୍ତାବିତ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ବୈଠକରୁ ସୂଚନା ମିଳିଛି, ରାଜ୍ୟର ସବୁ କୋଣକୁ ସଂଯୋଗ ହୋଇଥିବା ରାଜ୍ୟ ରାଜପଥଗୁଡ଼ିକର ନବକଳେବର ହେବ । ରାଜ୍ୟ ରାଜପଥଗୁଡ଼ିକୁ ୪ ଲେନ୍ କରିବାର ଆବଶ୍ୟକତା ରହିଥିବ। ମନ୍ତ୍ରୀ କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସର୍ଭେ କାର୍ଯ୍ୟ ଆରମ୍ଭ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମ ଓଡ଼ିଶାରୁ ପୂର୍ବ ଓଡ଼ିଶାକୁ ଯୋଗାଯୋଗ ସୁଦୃଢ଼ୀକରଣ ପାଇଁ କଟକ-ସମ୍ବଲପୁର ଜାତୀୟ ରାଜପଥ ନମ୍ବର ୫୫ କୁ ୬ ଲେନ୍ କରିବା ନେଇ ବୈଠକରେ ଆଲୋଚନା ହୋଇଛି । ଏ ଦିଗରେ ବି ପ୍ରକ୍ରିୟା ଆଗେଇବ ।
ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ଓଡ଼ିଶାର ବିକାଶ ନେଇ ପ୍ରଧାନମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହାକୁ କାର୍ଯ୍ୟକାରୀ କରିବାକୁ ହେଲେ ଆମ କାର୍ଯ୍ୟର ଗତିକୁ ବଢ଼ାଇବାକୁ ପଡ଼ିବ । ଏଥି ସହିତ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ହେବ । ତେଣୁ ସବୁ ରାସ୍ତାଘାଟ ଓ ଭିତ୍ତିଭୂମି ପ୍ରକଳ୍ପକୁ ତ୍ୱରିତ ବେଗରେ ଆଗେଇ ନେବାକୁ ପଡ଼ିବ । ଏଥି ଲାଗି ଆଧୁନିକ ସଫ୍ଟୱେୟାର ଓ ଜ୍ଞାନକୌଶଳକୁ ଉପଯୋଗ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି, କେବଳ ବଡ଼ ବଡ଼ ସହରର ବିକାଶ ଦ୍ୱାରା ରାଜ୍ୟର ସାମଗ୍ରିକ ବିକାଶ ହୋଇପାରିବ ନାହିଁ । ଏଥିପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରତି ସହରକୁ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରିବାକୁ ପଡ଼ିବ ।
ଆହୁରି ପଢ଼ନ୍ତୁ :- ଲୋକଙ୍କ ଅଭିଯୋଗ ଶୁଣିଲେ, ସମସ୍ୟାର ସମାଧାନ କଲେ ମୁଖ୍ୟମନ୍ତ୍ରୀ
ବିଭାଗୀୟ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଅନୁପମ୍ ସାହାଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ଜୟଦେବ ବିହାର-ନନ୍ଦନକାନନ ରୋଡ୍ ଓ ବାମ ପାଶ୍ୱର୍ ସମାନ୍ତରାଳ ସଡ଼କ, ପଥରଗାଡ଼ିଆ-ଦାରୁଠେଙ୍ଗ ରାସ୍ତା, ପ୍ରସ୍ତାବିତ କେଳୁଚରଣ ପାର୍କରୁ- ଫୁଲନଖରା ରାସ୍ତା, ପଳାଶୁଣିଠାରୁ ଗ୍ୟାରେଜ୍ ଛକ, ଆଚାର୍ଯ୍ୟ ବିହାର-କଳିଙ୍ଗ ହସ୍ପିଟାଲ୍ ରାସ୍ତା, କାଇମାଟିଆ ଛକରୁ ଗୋଠପାଟଣା ରାସ୍ତା, ଗୋହିରିଆରୁ ଛତାବର ଭାୟା-ମଦନପୁର, ଏମ୍ସ ରାସ୍ତା ଆଦିର ନିର୍ମାଣ, ପ୍ରଶସ୍ତିକରଣ ଏବଂ ଆବଶ୍ୟକ ସ୍ଥଳେ ଜମି ଅଧିଗ୍ରହଣ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ସେହିପରି ପ୍ରମୁଖ ଜାତୀୟ ରାଜପଥ ଯଥା କୋଣାର୍କ-ପୁରୀ-ସାତପଡ଼ା ରାସ୍ତାର ପ୍ରଶସ୍ତିକରଣ, ପିପିଲି-କୋଣାର୍କ ନୂଆ ରାସ୍ତା, କଟକ-କନ୍ଦରପୁର ଏବଂ କନ୍ଦରପୁର-ବାଲିକୁଦା, ଜୟପୁର ବାଇପାସ୍ ଓ ବଲାଙ୍ଗିର ବାଇପାସ୍ ରାସ୍ତା ନିର୍ମାଣ ନେଇ ଆଲୋଚନା ହୋଇଥିଲା ।
ଏହି ବୈଠକରେ ସ୍ୱତନ୍ତ୍ର ଶାସନ ସଚିବ ଇଂ ଲକ୍ଷ୍ମୀକାନ୍ତ ପାଢ଼ୀ, ଇଆଇସି (ସିଭିଲ୍) ଇଂ ସତ୍ୟବ୍ରତ ବେହେରା, ଇଆଇସି (ରୋଡ୍) ଇଂ ଧ୍ୟାନଚାନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।