ଵ୍ରହ୍ମପୁର, ୨୦/୫ :ଗଞ୍ଜାମ ଜିଲା ଦୌରାଜଜ ଡ. ଭାଗ୍ୟଲଷ୍ମୀ ରଥ ମଙ୍ଗଳବାର ବହୁ ଚର୍ଚ୍ଚିତ ଗୋଶାଣି ନୁଆଗାଁ ଶାନ୍ତି ମିଶ୍ର ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି। ଉକ୍ତ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସତୀଶ କୁମାର ମିଶ୍ର ଓରଫ ମଉଜ ମିଶ୍ର(୩୯)ଙ୍କୁ ସେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଉପଯୁକ୍ତ ପ୍ରମାଣ ମିଳିଥିବାରୁ ସେ ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୨୫ ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି।
୨୦୧୩ ଜାନୁଆରୀ ୨୯ ରେ ଶାନ୍ତି ମିଶ୍ରଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା। ଅଭିଯୋଗ ପରେ ଗୋଶାଣିନୁଆଗାଁ ପୋଲିସ ଏକ ମମାଲା ରୁଜୁ କରି ପର୍ଯ୍ୟାୟକ୍ରମେ ମଉଜ ମିଶ୍ର ସମେତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନରେ ଆସି ମଉଜ ବିଚାରଣା ବେଳେ କୋର୍ଟରେ ହାଜର ହୋଇନଥିଲେ। ପୋଲିସ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲା। ସେ ଦୀର୍ଘବର୍ଷ ଧରି ଫେରାର ରହିଥିବା ବେଳେ ଗୋଶାଣିନୁଆଗାଁ ପୋଲିସ ଟିମ ତାଙ୍କୁ ୨୦୨୫ ଏପ୍ରିଲ ୧୪ ରେ ଜଟଣୀରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଉକ୍ତ ମାମଲାରେ ୨୬ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ରାୟ ପ୍ରକାଶ ବେଳେ ଵ୍ରହ୍ମପୁର ଜେଲରେ ବିଚାରଧୀନ ବନ୍ଦୀ ଭାବେ ଥିବା ମଉଜଙ୍କୁ କଡା ସୁରକ୍ଷାରେ କୋର୍ଟରେ ହାଜର କରାଯାଇଥିଲା। ସାକ୍ଷୀ ମାନଙ୍କ ବୟାନ କୁ ଆଧାର କରି ବିଚାରପତି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ତତ୍କାଳୀନ ପିପି ତ୍ରିଲୋଚନ ପରିଡା ଓ ପିପି ଦାୟିତ୍ୱରେ ଥିବା ବିକ୍ରମ କୁଣ୍ଡୁ ମକଦ୍ଦମା ପରିଚାଳନା କରିଥିଲେ।