ଭୁବନେଶ୍ବର, ୧୫।୨ : ଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ ଉଠିଲା। ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ମହାଦୀପ। ମହାଦୀପ ଉଠିବା ପାଇଁ ପୂର୍ବରୁ ରାତି ୧୦ଟା ସମୟ  ରଖାଯାଇଥିଲା। କିନ୍ତୁ ସମସ୍ତ ନୀତିକାନ୍ତି ଶ୍ରୀଘ ସମାପନ କରାଯାଇଥିବାରୁ ରାତି ୮ ଟା ୪୦ ରେ ଶ୍ରୀଲିଙ୍ଗରାଜ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିଛି ।  ମହାଦୀପ ଉଠିବା ବେଳେ ଓଁ ନମଃ ଶିବାୟ ଧ୍ବନିରେ  ପ୍ରକମ୍ପିତ ହୋଇ ଉଠିଥିଲା ଚତୁଃଦିଗ ।

ନୀତି ନିର୍ଘଣ୍ଟ ଅନୁଯାୟୀ ରବିବାର ଭୋରୁ ପ୍ରଭୁ ଲିଙ୍ଗରାଜଙ୍କ ଦ୍ଵାରଫିଟା ନୀତି ଅନୁଷ୍ଠିତ ହୋଇଥିଲା। ଏହା ପରେ ପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯାଇଥିଲା।  ମହାପ୍ରଭୁଙ୍କ ଗୋଟିଏ ପରେ ଗୋଟିଏ ନୀତିକାନ୍ତି କରାଯାଇଥିଲା।  ଶନିବାର ରାତିରୁ ଭକ୍ତମାନେ ଲିଙ୍ଗରାଜ ଦର୍ଶନ ପାଇଁ ଧାଡ଼ି ବାନ୍ଧି ଅପେକ୍ଷା କରିଥିଲେ। ଦିନତମାମା ମହାପ୍ରଭୁଙ୍କ ଦର୍ଶନ ଭକ୍ତମାନେ କରିଥିଲେ।  ସନ୍ଧ୍ୟାରେ ମନ୍ଦିର ପରିସରରେ  ଭକ୍ତମାନେ ଦୀପ ଜାଳି ଥିଲେ। ହୁଳହୁଳି, ହରିବୋଲରେ ପ୍ରକମ୍ପିତ ହୋଇ ଉଠିଥିଲା ପୂରା ମନ୍ଦିର ପରିସର । ମହାଦୀପ ମନ୍ଦିର ଶିଖରକୁ ଉଠିବା ଆଗରୁ ଅନୁଷ୍ଠିତ ହୋଇଥିଲା ହରିହର ଭେଟ । ସ୍ୱତନ୍ତ୍ର ରୀତିନୀତି ସହ ଶ୍ରୀଲିଙ୍ଗରାଜଙ୍କ ସହ ଭେଟ ହୋଇଥିଲେ ଶ୍ରୀ ଅନନ୍ତ ବାସୁଦେବ। ଏହି ଦୃଶ୍ୟକୁ ଦର୍ଶନ  କରିଥିଲେ ସେଠାରେ ଦ୍ୱୀପ ପ୍ରଜ୍ୱଳନ କରୁଥିବା ହଜାର ହଜାର ଶ୍ରଦ୍ଧାଳୁ ।