ନୂଆଦିଲ୍ଲୀ,୨୨/୦୩ : ଆଗାମୀ ଫିଫା ବିଶ୍ୱକପ୍ ପୂର୍ବ ପ୍ରସ୍ତୁତି ପାଇଁ ଡିଫେଣ୍ଡିଂ ଚାମ୍ପିଅନ୍ ଆର୍ଜେଣ୍ଟିନା ଯଥାକ୍ରମେ ଜାମ୍ବିଆ ଓ ମରିସିଆନା ବିପକ୍ଷରେ ୨ଟି ବନ୍ଧୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ । ଉଭୟ ମ୍ୟାଚରେ ପ୍ରସିଦ୍ଧ ଖେଳାଳି ଲିଓନେଲ ମେସି ଦଳର ନେତୃତ୍ୱ ନେବେ । ଆର୍ଜେଣ୍ଟିନା ଦଳ ୨୭ ତାରିଖରେ ମରିସିଆନା ଓ ୩୧ ତାରିଖରେ ଜାମ୍ବିଆକୁ ଭେଟିବ । ଉଭୟ ମ୍ୟାଚ୍ ଆର୍ଜେଣ୍ଟିନାର ଘରୋଇ ଗ୍ରାଉଣ୍ଡ୍ରେ ଖେଳାଯିବ ।
ସୂଚନାଯୋଗ୍ୟ, ଚଳିତ ମାସରେ ଆର୍ଜେଣ୍ଟିନା ଓ ସ୍ପେନ ମଧ୍ୟରେ ଫିନାଲେସିମା ମୁକାବିଲା ଖେଳାଯିବାର ଥିଲା । ଆର୍ଜେଣ୍ଟିନା କୋପା ଆମେରିକା କପ୍ ଓ ସ୍ପେନ ୟୁରୋ କପ ଚାମ୍ପିଅନ ହୋଇଥିଲେ । କତାର ରାଜଧାନୀ ଦୋହାରେ ଏହି ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର ମଧ୍ୟ ପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧକୁ ନେଇ କତାର ଏହି ମ୍ୟାଚ ଆୟୋଜନ କରିବାକୁ ଅସମର୍ଥ ଥିବା ସ୍ପଷ୍ଟ କରିଥିଲା । ପରେ ୟୁଇଏଫ୍ଏ ଓ କନ୍ମେବଲ ମିଳିତ ଭାବେ ନୂଆ ସ୍ଥାନ ଚୟନ କରିଥିଲେ । ମାତ୍ର ଆର୍ଜେଣ୍ଟିନା ଦଳ ଏଥିରେ ରାଜି ହୋଇ ନଥିଲା । ପରେ ୟୁଇଏଫ୍ଏ ଓ କନମେବଲ ଉକ୍ତ ମ୍ୟାଚ ପାଇଁ ନୂଆ ତାରିଖ ପ୍ରସ୍ତୁତ କରିଥିଲେ ଓ ସ୍ପେନ୍ ବ୍ୟସ୍ତପୂର୍ଣ୍ଣ କାର୍ଯ୍ୟସୂଚୀ ଦର୍ଶାଇ ଓହରି ଯାଇଥିଲା । ଶେଷରେ ଏହି ମ୍ୟାଚକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଫିନାଲେସିମା ବାତିଲ ହେବାରୁ ଏହି ସମୟରେ ଆର୍ଜେଣ୍ଟିନା ଘରୋଇ ଗ୍ରାଉଣ୍ଡ୍ରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବାକୁ ନିଷ୍ପତ୍ତି ନେଇଛି ।