ନୂଆଦିଲ୍ଲୀ, ୨୭/୦୨ : ସିବିଆଇ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟଙ୍କ ବଡ଼ ରାୟ। ଅରବିନ୍ଦ କେଜରିୱାଲ ଓ ମନୀଷ ସିସୋଦିଆ ନିର୍ଦ୍ଦୋଷରେ ଖଲାସ। ମାମଲାରେ ପର୍ଯ୍ୟାପ୍ତ ପ୍ରମାଣ ନଥିବାରୁ ଉଭୟଙ୍କୁ ଦୋଷ ମୁକ୍ତ କଲେ କୋର୍ଟ। ଦିଲ୍ଲୀ କୋର୍ଟଙ୍କ ରାୟକୁ ସ୍ଵାଗତ କଲେ ସୁନୀତା କେଜରିୱାଲ। ଏକ୍ସରେ ପୋଷ୍ଟ କରି ସୁନୀତା ଲେଖିଛନ୍ତି ଯେ, ସତ୍ୟର ସବୁବେଳେ ବିଜୟ ହୁଏ। କୋର୍ଟରୁ କେଜ୍ରିୱାଲ ଏବଂ ସିସୋଦିଆଙ୍କୁ କ୍ଲିନ୍ ଚିଟ୍ ମିଳିଛି।
କୋର୍ଟରେ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ କେଜ୍ରିୱାଲ କାନ୍ଦି ପକାଇଛନ୍ତି। ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀ ମିଶି ଆମ୍ ଆଦମୀ ପାର୍ଟିକୁ ଶେଷ କରିବା ପାଇଁ ରାଜନୈତିକ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ ଆଣିଛନ୍ତି।
इस संसार में कोई कितना भी शक्तिशाली हो जाये,शिव शक्ति से ऊपर नहीं हो सकता । सच की हमेशा जीत होती है ।
— Sunita Kejriwal (@KejriwalSunita) February 27, 2026
କୋର୍ଟ କହିଛନ୍ତି ଯେ, କେବଳ ଦାବି କଲେ କାମ ହେବନି। କୌଣସି ଅଭିଯୋଗର ପର୍ଯ୍ୟାପ୍ତ ପ୍ରମାଣ ଥିଲେ ଯାଇ କୋର୍ଟ ବିଶ୍ଵାସ କରନ୍ତି। ଆପ୍ ନେତା ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଦିଆଙ୍କ ବିରୋଧରେ ଯାଞ୍ଚ ଏଜେନ୍ସି ଉପସ୍ଥାପନ କରିଥିବା ସମସ୍ତ ପ୍ରମାଣ ଦୁର୍ବଳ। ଦଣ୍ଡ ଦେବା ପାଇଁ ଏତିକି ପ୍ରମାଣ ଯଥେଷ୍ଟ ନୁହେଁ। ତେବେ ମଦ ଦୁର୍ନୀତି ମାମଲାରେ ଅଦାଲତ ସର୍ବପ୍ରଥମେ ଅବକାରୀ କମିଶନର କୁଳଦୀପ ସିଂହଙ୍କୁ ଦୋଷ ମୁକ୍ତ କରିଥିଲେ। ଏବେ କେଜ୍ରିୱାଲ ଏବଂ ସିସୋଦିଆଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି। ଦିଲ୍ଲୀ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ନେଇ ଯାଞ୍ଚ ଏଜେନ୍ସି ଅସନ୍ତୁଷ୍ଟ ଅଛି। ଏହି ମାମଲାରେ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରାଯିବ ବୋଲି ସିବିଆଇ ଓକିଲ ସଙ୍କେତ ଦେଇଛନ୍ତି।
୨୦୨୨-୨୩ରେ ଦିଲ୍ଲୀରେ ମଦ ଦୁର୍ନୀତି ଅଭିଯୋଗରେ ସିବିଆଇ କେସ ରୁଜୁ କରିଥିଲା। ପରେ ମନି ଲଣ୍ଡ୍ରିଂ ମାମଲାରେ ଇଡି ମାମଲା ରୁଜୁ କରିଥିଲା। ଆମ୍ ଆଦମୀ ପାର୍ଟିର ବହୁ ନେତା ଏହି ମାମଲାରେ ଜେଲ୍ ଯାଇଥିଲେ। ବହୁ ଜଣଙ୍କର ଜାମିନ ଆବେଦନ ଖାରଜ ହୋଇଥିଲା। ହେଲେ ପରେ ସେମାନଙ୍କୁ ଜାମିନ ମିଳିଥିଲା।
ଏହି ଖବରଟିକୁ ପଢନ୍ତୁ- ତାମିଲନାଡୁ ରାଜନୀତିରେ ବଡ଼ ହଲଚଲ; ଡିଏମ୍କେରେ ଯୋଗଦେଲେ ପୂର୍ବ ସିଏମ୍ ଓ.ପନ୍ନିରସିଲଭମ