ନୂଆଦିଲ୍ଲୀ, ୧୪/୦୨: ରିୟଲ ଇଷ୍ଟେଟ୍ ନିୟାମକ ପ୍ରାଧୀକରଣ(ରେରା)ର କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମ କୋର୍ଟ । ଏହି ସଂସ୍ଥାକୁ ବନ୍ଦ କରିଦେବା ଶ୍ରେୟସ୍କର ହେବ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ହିମାଚଳ ପ୍ରଦେଶ ହାଇକୋର୍ଟଙ୍କ ଏକ ନିଷ୍ପତ୍ତି ବିରୋଧରେ ଶୁଣାଣି କରିବା ବେଳେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୋୟମାଲ୍ୟ ବାଗ୍‌ଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହା କହିଛନ୍ତି । କୋର୍ଟ କହିଲେ, ଏବେ ସମୟ ଆସିଯାଇଛି ଯେବେ ରାଜ୍ୟ ସରକାରମାନେ ରେରାର ଗଠନ ଉପରେ ପୁନଃ ବିଚାର କରିବା ଦରକାର । ଏ ସଂସ୍ଥା ଗୃହକ୍ରେତାଙ୍କୁ ସହାୟତା କରିବା ବଦଳରେ କେବଳ ଖିଲାପକାରୀ ବିଲ୍ଡରମାନଙ୍କୁ ଫାଇଦା ଦେଉଛି । କୋର୍ଟ କହିଲେ ଯେ, ଯେଉଁ ଉଦ୍ଦେଶ୍ୟରେ ରେରାକୁ ଗଠନ କରାଯାଇଥିଲା ତାହା ପୂରଣ ହେଉନାହିଁ । ଏହା ବିପରୀତ ଦିଗରେ ଯାଉଛି ।

ଶୁଣାଣି ବେଳେ ଯେତେବେଳେ ଖଣ୍ଡପୀଠଙ୍କୁ କୁହାଗଲା ଯେ, ରେରାରେ ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି, ସେତେବେଳେ ପ୍ରଧାନ ବିଚାରପତି କହିଲେ ଯେ, ପ୍ରତି ରାଜ୍ୟରେ ଏହା ଅବସରପ୍ରାପ୍ତ ଅଧିକାରୀମାନଙ୍କ ପାଇଁ ଏକ ‘ରିହାବ୍ ସେଣ୍ଟର’ ପାଲଟିଲାଣି । ରେରାରେ କେବଳ ଏଭଳି ଗୁଡ଼ାଏ ଲୋକ ଭର୍ତ୍ତି ହୋଇଛନ୍ତି । ପ୍ରଧାନ ବିଚାରପତି କହିଲେ, ଯେଉଁ ଲୋକମାନଙ୍କ ପାଇଁ ତଥା ଗୃହକ୍ରେତାଙ୍କ ପାଇଁ ଏ ସଂସ୍ଥା ଗଠନ କରାଯାଇଥିଲା, ସେମାନେ ଆଜି ସମ୍ପୂର୍ଣ୍ଣ ରୂପେ ନିରାଶ ଏବଂ ଦୁଃଖୀ ଅଛନ୍ତି । ସେମାନଙ୍କୁ କୌଣସି ପ୍ରକାର ଆଶ୍ୱସ୍ତି ମିଳୁନାହିଁ ।

ଆହୁରି ପଢ଼ନ୍ତୁ :- ହାଇଦ୍ରାବାଦରେ ବେଆଇନ ସରୋଗେସୀ ଓ ଶିଶୁ ଚାଲାଣ ରାକେଟ୍ର ପର୍ଦ୍ଦାଫାସ୍, ଡାକ୍ତରାଣୀଙ୍କୁ ବାନ୍ଧିଲା ଇଡି