କରଞ୍ଜିଆ, ୦୬/୧୨ : ଫରେଷ୍ଟରଙ୍କୁ ନିର୍ଦ୍ଧୁମ ମାଡ଼। ଜୋତାରେ ପିଟିଲେ ମହିଳା। ଉଦ୍ଧାର କରିବାକୁ ଯାଇ ଛେଚା ଖାଇଲେ ଏସିଏଫ୍। ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ ବରେହିପାଣି ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ଘଟିଛି ଏଭଳି ଘଟଣା। ବକେୟା ଦେୟ ପାଇନଥିବାରୁ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହେଲେ ଫରେଷ୍ଟର ଓ ଏସିଏଫ୍।
ସୂଚନାନୁଯାୟୀ, ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ ବରେହିପାଣି ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ବକେୟା ଦେୟ ପ୍ରଦାନ ଦାବିରେ ସ୍ଥାନୀୟ ଲୋକେ ଧାରଣାରେ ବସିଥିଲେ। ଏତିକି ବେଳେ ଚହଲା ACF ଲମ୍ବୋଦର ବାସ୍କେ ଓ ବରେହିପାଣି ରେଞ୍ଜ ଫରେଷ୍ଟର କାଳିଚରଣ ନାଏକ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଧାରଣାରେ ବସିଥିବା ମହିଳାମାନେ ଫରେଷ୍ଟରଙ୍କୁ ଜୋତାରେ ମାଡ଼ ମାରିଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଏସିଏଫ୍ ମଧ୍ୟ ଉତ୍ତ୍ୟକ୍ତ ଲୋକଙ୍କ ରୋଷର ଶିକାର ହୋଇଥିଲେ। ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଏନେଇ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଘଟଣାକୁ ନେଇ ଯଶିପୁର ଥାନାରେ ବିଭାଗ ପକ୍ଷରୁ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।