ନୂଆଦିଲ୍ଲୀ,୧୮।୪: ସମ୍ବିଧାନ ସଂଶୋଧନ ପାଇଁ ଆଗତ ବିଲ୍ ଲଗାତାର ଦୁଇ ଦିନ ଆଲୋଚନା ପରେ ଲୋକସଭାରେ ପାରିତ ହୋଇପାରିଲା ନାହିଁ। ଆଜି ସ୍ୱତନ୍ତ୍ର ଅଧିବେଶନର ଶେଷ ଦିନ ଥିଲା, ଏବଂ ଗୃହ ଆରମ୍ଭ ହେବାର କିଛି ସମୟ ପରେ ଉଭୟ ଗୃହର କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି। ଲୋକସଭା ଓ ରାଜ୍ୟସଭା ସଂସଦର ଉଭୟ ଗୃହର କାର୍ଯ୍ୟ ଶନିବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଏହା ସହ ବର୍ତ୍ତମାନ ସଂସଦରେ ବଜେଟ୍ ଅଧିବେଶନ ମଧ୍ୟ ଶେଷ ହୋଇଛି। ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ଗୃହରେ କହିଛନ୍ତି, ଏହି ଅଧିବେଶନରେ ମୋଟ ୩୧ଟି ବୈଠକ ହୋଇଥିଲା ଓ ଗୃହର କାର୍ଯ୍ୟ ୧୫୧ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ସେ କହିଛନ୍ତି, ଏହି ଅଧିବେଶନରେ କାର୍ଯ୍ୟ ଉତ୍ପାଦକତା ୯୩% ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବହୁ ଅନ୍ୟ ଦଳର ପ୍ରମୁଖ ନେତା ମଧ୍ୟ ଉପସ୍ଥିତ ଥିଲେ।
ବଜେଟ୍ ଅଧିବେଶନର ଆରମ୍ଭ ୨୮ ଜାନୁଆରୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଉଭୟ ଗୃହରେ ମିଳିତ ବୈଠକକୁ ସମ୍ବୋଧିତ କରାଯିବା ସହ ଆରମ୍ଭ ହୋଇଥିଲା। ପୂର୍ବରୁ ଅଧିବେଶନ ୨ ଏପ୍ରିଲରେ ଶେଷ ହେବାର ଥିଲା, କିନ୍ତୁ ମହିଳାଳ ସଂରକ୍ଷଣ ବିଲ୍ ଦ୍ବାରା ସମ୍ବିଧାନର (୧୩୧ ତମ) ସଂଶୋଧନ ବିଲ୍ ୨୦୨୬ ଓ ଏହା ସମ୍ପର୍କିତ ଦୁଇଟି ଅନ୍ୟ ବିଲ୍ ଉପରେ ଚର୍ଚ୍ଚା କରିବା ଓ ତାକୁ ପାସ୍ କରିବାର ଲକ୍ଷ୍ୟରେ ଅଧିବେଶନକୁ କିଛି ଦିନ ବଢାଇ ଦିଆଯାଇଥିଲା। ୧୬ ରୁ ୧୮ ଏପ୍ରିଲ ପର୍ଯ୍ୟନ୍ତ ୩ ଦିନ ଯାଏଁ ସ୍ବତନ୍ତ୍ର ଅଧିବେଶନର ବୈଠକ ଡକାଯାଇଥିଲା।
‘ନାରୀ ଶକ୍ତି’ ସମ୍ପର୍କିତ ଏହି ସମ୍ବିଧାନ ସଂଶୋଧନ ବିଲ୍ ପାସ୍ ହୋଇପାରିନି। ବିଲ୍ ଉପରେ ହୋଇଥିବା ମତ ବିଭାଜନ ବେଳେ ଏହାର ସପକ୍ଷରେ ୨୯୮ ଓ ବିରୋଧରେ ପ୨୩୦ ଟି ଭୋଟ୍ ଦିଆଯାଇଥିଲା। ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ୍ ପାସ୍ ହେବା ପାଇଁ ଦୁଇ ତୃତୀୟାଂଶ ବହୁମତ ଦରକାର ପଡିଥାଏ। ବିଲ୍ ଉପରେ ମତ ବିଭାଜନରେ ୫୨୮ ସଦସ୍ୟ ଭାଗ ନେଇଥିଲେ। ଏହି ବିଲ୍କୁ ପାସ୍ କରିବା ପାଇଁ ୩୫୨ ସଦସ୍ୟଙ୍କ ସମର୍ଥନର ଦରକାର ଥିଲା।
ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଏହି ଅଧିବେଶନର ଆରମ୍ଭରୁ ମୋଟ ୧୨ ସରକାରୀ ବିଲ୍ ଆଗତ କରାଯାଇଛି ଓ ୯ଟି ପାସ୍ କରାଯାଇଛି। ପାସ୍ ହୋଇଥିବା ଆର୍ଥିକ ବିଲ୍ରେ ଆନ୍ଧ୍ର ପ୍ରଦେଶ ପୁନଃଗଠନ ସଂଶୋଧନ ବିଲ୍ ଓ ଜନ ବିଶ୍ବାସ ସଂଶୋଧନ ବିଲ୍ ମୁଖ୍ୟ ରହିଛି। ଅନ୍ୟପକ୍ଷେ ରାଜ୍ୟସଭାରେ ଗୃହକାର୍ଯ୍ୟ ଶନିବାରଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବୀ ରହିଛି।