ରାଉରକେଲା,୧୬/୦୫: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ରାଜ୍ୟରେ ଦେଖାଦେଇଥିବା ତୈଳ ସଙ୍କଟ ପ୍ରତିକୂଳ ପ୍ରଭାବ ସାରା ପ୍ରଭାବ ଜାରି ରହିଛି । ତେଲ ମିଳିବିନି ବୋଲି ଗୁଜବ ପ୍ରଚାର ହେବା ପରେ ଗ୍ରାହକ ଛାନିଆ ହୋଇପଡ଼ିଛନ୍ତି । ଗାଡ଼ି ଟାଙ୍କି ଭର୍ତ୍ତି କରିବାକୁ ଲମ୍ବା ଧାଡ଼ି ଲଗାଉଛନ୍ତି । ଏହାକୁ ନେଇ ଅଧିକାଂଶ ପେଟ୍ରୋଲ ପମ୍ପରେ ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହୋଇଛି । ଗ୍ରାହକଙ୍କୁ ବୁଝାଇସୁଝାଇ ତେଲ ପକାଇବାକୁ ଯାଇ ନାକେଦମ୍ ହେଉଛନ୍ତି କର୍ମଚାରୀ । ଅନେକ ସ୍ଥାନରେ ଯୁକ୍ତିତର୍କ ଭଳି ସ୍ଥିତି ଉପୁଜୁଛି । ତେଲ ସଙ୍କଟ ସମୟରେ ରାଉରକେଲାର ବିଭିନ୍ନ ପେଟ୍ରୋଲ ପମ୍ପ୍ରୁ ଶୁକ୍ରବାର ଏମିତି ଚିତ୍ର ସାମ୍ନାକୁ ଆସିଛି ।
ଜଗଦାରେ ଥିବା ଫିଲିଂ ଷ୍ଟେସନ୍ ସମ୍ମୁଖରେ ଭୋର ୪ଟାରୁ ଗାଡ଼ି ଧରି ଲୋକେ ଲଗାଇଥିଲେ ଲମ୍ବା ଲାଇନ୍ ।ସକାଳ ୬ଟାରେ ପେଟ୍ରୋଲ ପମ୍ପ୍ ଖୋଲିବା କ୍ଷଣି ତେଲ ନେବାକୁ ମାଡ଼ି ଯାଇଥିଲେ ଲୋକେ । ପେଟ୍ରୋଲ ପମ୍ପରୁ ସାରନା ଛକ ଏବଂ ଆରଆଇ ଅଫିସ୍ ପର୍ଯ୍ୟନ୍ତ ଗାଡ଼ିର ଧାଡ଼ି ଲମ୍ବିଥିବା ଦେଖିବାକୁ ମିଳିଥିଲା । ଫଳରେ ଭୟଙ୍କର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା । ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ୍ କର୍ମଚାରୀ ମୁତୟନ ନ ଥିଲେ । ଫଳରେ ପିସିଆର୍ ଭ୍ୟାନ୍ କର୍ମଚାରୀ ଝାଳନାଳ ହୋଇଥିଲେ । କେଇ ଘଣ୍ଟା ମଧ୍ୟରେ ଗାଡ଼ିଚାଳକ ୧୨ ହଜାର ଲିଟର ପେଟ୍ରୋଲ ବୋହି ନେଇଥିଲେ । ଧାଡ଼ିର ଶେଷରେ ଥିବା ଲୋକେ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିଲେ ହେଁ ସେମାନଙ୍କୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା । ଶୁକ୍ରବାର ରାତି ସୁଦ୍ଧା ଝାରସୁଗୁଡ଼ା ଆଇଓସିଏଲ ଡିପୋରୁ ଟ୍ୟାଙ୍କର ଆସି ପହଞ୍ଚିବ ।
ଆହୁରି ପଢନ୍ତୁ- Panic Buying Fuel: ସୋମବାର ସୁଦ୍ଧା ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ରହିବନି ଅଭାବ; ପେଟ୍ରୋଲ ପମ୍ପ ସଂଘର ସମ୍ପାଦକ
ଶନିବାର ସ୍ଥିତି ସ୍ୱାଭାବିକ ହୋଇଯିବ ବୋଲି ଫିଲିଂ ଷ୍ଟେସନ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେହିପରି ସେକ୍ଟର-୨, କୋଣାର୍କ ସିନେମା ହଲ୍ ନିକଟସ୍ଥ ପେଟ୍ରୋଲ ପମ୍ପ୍, ସେକ୍ଟର-୧୯ ଓ ବେଦବ୍ୟାସରେ ଥିବା ପମ୍ପ୍ଗୁଡ଼ିକ ତେଲ ନ ଥିବାରୁ ବନ୍ଦ ହୋଇଯାଇଛି । କାଳେ ତେଲ ଆସିବ, ସେହି ଆଶାରେ ଲୋକେ ପମ୍ପ୍ଗୁଡ଼ିକ ସମ୍ମୁଖରେ ଅପେକ୍ଷା କରି ରହୁଛନ୍ତି । ସେକ୍ଟର-୭/୧୭ ଛକ, ଛେଣ୍ଡ ଓ ବିର୍ସା ମୁଣ୍ଡା ଛକ ଠାରେ ଥିବା ଫିଲିଂ ଷ୍ଟେସନରେ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଛି । ତେଲ ନେବାକୁ ସବୁଠି ପ୍ରତିଯୋଗିତା ହୋଇଛି । ଛେଣ୍ଡସ୍ଥିତ ପେଟ୍ରୋଲ ପମ୍ପ୍ରେ ତେଲ ସରିଯାଇଥିଲା । ମଧ୍ୟାହ୍ନ ୧୨ଟାରେ ତୈଳ ଟ୍ୟାଙ୍କର ଆସିଥିଲା । ଟ୍ୟାଙ୍କରରୁ ତେଲ ଅନ୍ଲୋଡ୍ ହେବା ପୂର୍ବରୁ ଟାଙ୍କି ସମ୍ମୁଖରେ ଲୋକେ ଲାଇନ୍ ଲଗାଇ ଠିଆ ହୋଇ ରହିଥିଲେ । ରାଉରକେଲାରେ ଥିବା ୨୩ଟି ପେଟ୍ରୋଲ ପମ୍ପ୍ ମଧ୍ୟରୁ ୪ଟିରେ ଆଦୌ ତେଲ ନ ଥିବା ବେଳେ ଗୋଟିଏରେ କେବଳ ଡିଜେଲ ରହିଛି । ବିଭିନ୍ନ ପେଟ୍ରୋଲ ପମ୍ପ୍କୁ ତାଗିଦ କରିଛି ଯୋଗାଣ ବିଭାଗ । ଜାର୍କିନ କିମ୍ବା ବୋତଲରେ ତେଲ ଦେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଶୁକ୍ରବାର ରାତି ୭ଟା ସୁଦ୍ଧା ରାଉରକେଲାରେ ପ୍ରାୟ ଦେଢ଼ ଲକ୍ଷ ଲିଟର ପେଟ୍ରୋଲ ଓ ଏକ ଲକ୍ଷ ଲିଟର ଡିଜେଲ ମହଜୁଦ୍ ରହିଛି ।