ତିହିଡି, ୨୮/୦୫ (ଅଭୟ ପତି): ବର୍ଷା ରାତିର ସୁଯୋଗ ନେଇ ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅନ୍ତର୍ଗତ କମାରିଆ ବଜାରରେ ମାତିଲେ ଚୋର। ହେଲେ ଭଣ୍ଡୁର ହୋଇଗଲା ସବୁ ପ୍ଲାନ୍‌ । ସୁନା ଦୋକାନରୁ ଚୋରି କରିବା ବେଳେ ବାଜିଲା ସାଇରନ୍‌ । ଫଳରେ ଲୁଟେରାଙ୍କ ଚୋରି ଉଦ୍ୟମ ବିଫଳ ହୋଇଗଲା । ଖବର ପାଇ ତିହିଡ଼ି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । 

ସୂଚନା ମୁତାବକ, ଗତକାଲି ବର୍ଷା ରାତିରେ ଲୁଟ୍‌ ଯୋଜନା କରି କମାରିଆ ବଜାରକୁ ଆସିଥିଲେ ଲୁଟେରା । ଜଗାବଳିଆ ଜୁଏଲାର୍ସ ନାମକ ସୁନା ଦୋକାନରୁ ଚୋରି ଉଦ୍ୟମ କରିଥିଲେ । ଦୋକାନର କବାଟ ଭାଙ୍ଗି ଭିତରକୁ ପଶିଥିଲେ । ପରେ ଦ୍ୱିତୀୟ ଗ୍ରିଲ୍‌ ଭାଙ୍ଗିଥିଲେ । ମାତ୍ର ତୃତୀୟ କବାଟ ଭାଙ୍ଗିବା ବେଳେ ସାଇରନ୍ ବାଜି ଉଠିଥିଲା । ସାଇରନ୍‌ ଶବ୍ଦ ଶୁଣି ଆଖପାଖ ଲୋକେ ଉଠି ପଡ଼ିଥିଲେ । ଫଳରେ ଲୁଟ୍‌ ଉଦ୍ୟମ ବିଫଳ ହୋଇଯାଇଥିଲା ଏବଂ ଭୟରେ ଚମ୍ପଟ୍ ମାରିଥିଲେ ଲୁଟେରା । ଏନେଇ ଖବର ପାଇବା ପରେ ତିହିଡ଼ି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।