ଖଲ୍ଲିକୋଟ ,୨୪/୧୨ -ଖଲ୍ଲିକୋଟ ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ମନ୍ଦିରରୁ ହୁଣ୍ଡୀ ଭାଙ୍ଗି ଟଙ୍କା ଲୁଟ ହେବାରେ ଲାଗିଛି। ପର୍ଯ୍ୟଟନ ସ୍ଥଳୀ ନିର୍ମଳଝର ମନ୍ଦିର, ବାଣିଆର ବାବା ବାଣେଶ୍ୱର ମନ୍ଦିର ଓ ଅଖଖାଇ ଠାକୁରାଣୀ ମନ୍ଦିର, ପଥରାର ଠାକୁରାଣୀ ମନ୍ଦିରରୁ ହୁଣ୍ଡୀ ଭାଙ୍ଗି ଟଙ୍କା ଲୁଟ ପରେ ଏବେ କେଶପୁର ବାବା ଗୁପ୍ତେଶ୍ୱର ମନ୍ଦିର ରୁ ହୁଣ୍ଡୀ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି ଲୁଟେରା।ଗତ ମାସକ ମଧ୍ୟରେ ଖଲ୍ଲିକୋଟ ଅଞ୍ଚଳ ରୁ ଏହା ପଞ୍ଚମ ମନ୍ଦିର ଲୁଟ ଘଟଣା। ଏହା ପୂର୍ବରୁ ଗତ ବର୍ଷକ ତଳେ ଖଲ୍ଲିକୋଟ ବସଷ୍ଟାଣ୍ଡ ନିକଟରେ ଥିବା ବାବା ବରାଳ ବାଲୁଙ୍କେଶ୍ୱର ମନ୍ଦିର ରୁ ହୁଣ୍ଡୀ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ ଦୁର୍ବୁତ୍ତ। ତେବେ ଏ ପର୍ଯ୍ୟନ୍ତ ପୁଲିସ କୌଣସି ଗୋଟିଏ ବି ମନ୍ଦିର ଲୁଟେରା ଙ୍କୁ ଧରିବାରେ ସଫଳ ହୋଇ ପାରି ନାହିଁ। ସବୁ ମନ୍ଦିର ରୁ ହୁଣ୍ଡୀ ଭାଙ୍ଗି ଦୁର୍ବୁତ୍ତ ଟଙ୍କା ଲୁଟ କରୁଥିବା ବେଳେ ପଥରା ଠାକୁରାଣୀ ମନ୍ଦିର ରୁ ଜଣେ ପୁରୁଷ ଓ ଜଣେ ମହିଳା ପୁରା ହୁଣ୍ଡୀକୁ କାନ୍ଧରେ ବୋହି ନେଉଥିବା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଦୁଇ ଜଣ ସ୍ୱାମୀ ସ୍ତ୍ରୀ ହୋଇଥିବା ପୁଲିସ ଅନୁମାନ କରୁଛି।

ତେବେ ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ସ୍ଥିତ ଗୋପକୁଦାଠାରେ ଥିବା ଗୁପ୍ତେଶ୍ୱର ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ହୁଣ୍ଡୀ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି ଲୁଟେରା ।  ଆଜି ସକାଳ ୬ ଟା ସମୟରେ ପୂଜକ ଅନ୍ତର୍ଯ୍ୟାମୀ ରାଉଳ ମନ୍ଦିର ଖୋଲିବାକୁ ଆସିବା ବେଳେ ହୁଣ୍ଡୀ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ଏ ସମ୍ପର୍କ ରେ ମନ୍ଦିର ପୂଜକ ସ୍ଥାନୀୟ ସରପଞ୍ଚ ବିଚିତ୍ର ଜାଲିଙ୍କୁ ଜଣାଇଥିଲେ । ପରେ ଖବର ପାଇ ମନ୍ଦିର କମିଟି ସଦସ୍ୟ ପହଞ୍ଚି ଅନୁଧ୍ୟାନ କରିବା ସହ ଖଲ୍ଲିକୋଟ ଥାନାରେ ଚୋରି ସମ୍ପର୍କରେ ଏତଲା ଦେଇଥିଲେ। ଗତ ୫ ମାସ ହେଲା  ହୁଣ୍ଡୀ ଖୋଲା ଯାଇ ନଥିବା ବେଳେ ହୁଣ୍ଡୀ ରେ ପ୍ରାୟ ୭୦ ରୁ ୮୦ ହଜାର ଟଙ୍କା  ଓ କିଛି ସୁନା ଜିନିଷ ଥିବା ଅନୁମାନ କରାଯାଇଛି । ଅଭିଯୋଗ ପାଇ ଦିନ ୧୧ ଟା ସମୟରେ ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ପୁଲିସ ଟିମ ସହ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।