ପୁରୀ,୧୭/୦୬: ଜ୍ୱରରେ ପୀଡ଼ିତ ଠାକୁରଙ୍କ ଅନବସରରେ ମହାପ୍ରଭୁଙ୍କ ସେବାରେ ଅଛନ୍ତି ଦଇତା  ପତି । ସୋମବାର ଅପରାହ୍ନରେ ବଡ଼ ଓଡ଼ିଆ ମଠରୁ ଫୁଲୁରୀ ତେଲ ଶ୍ରୀମନ୍ଦିରକୁ ବିଜେ ହୋଇଛି । ଶ୍ରୀଅଙ୍ଗ ଖୋଲିବା ପରେ ଠାକୁରଙ୍କୁ ଫୁଲୁରୀ ତେଲ ଲାଗି ହୋଇଛି । ଠାକୁରଙ୍କ ପାଦପଦ୍ମରେ ଫୁଲୁରୀ ତେଲ ଘଷା ହେବାରେ ଉପଶମ ଲଭିଛନ୍ତି ଦାରୁବ୍ରହ୍ମ । ପରେ ଠାକୁରଙ୍କ ଓଷ ଲାଗି ଆରମ୍ଭ ହେବ । ଝୁଣା ଗୁଣ୍ଡରେ ରାଶି ତେଲର ମିଶ୍ରଣ ହେଉଛି ଓଷ । ପରେ ଦଶମୂଳ ଔଷଧ ସେବନ କରି ଶ୍ରୀବିଗ୍ରହ ସୁସ୍ଥ ହେବେ ।   

ଅନବସରରେ ଫୁଲୁରୀ ତେଲ ଯୋଗାଇବା ଦାୟିତ୍ୱ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ପ୍ରତିଷ୍ଠିତ ବଡ଼ ଓଡ଼ିଆ ମଠର । ସୋମବାର ଶ୍ରୀମନ୍ଦିରରୁ ଡ଼ାକରା ପାଇ ବଡ଼ ଓଡ଼ିଆ ମଠ ମହନ୍ତ ଅଧିକାରୀ ବଂଶୀଧର ଦାସ ଗୋସ୍ୱାମୀ  ମଠ ପରିସରରେ ଫୁଲୁରୀ ତେଲ ପ୍ରସ୍ତୁତି ଶେଷ  କରିଥିଲେ । ସ୍ନାନପୂର୍ଣ୍ଣିମାରେ ମାଟି ତଳୁ ବାହାରିଥିବା ତେଲକୁ ଭଲଭାବେ ଛାଣି ମାଟି ପାତ୍ରରେ ରଖି କଦଳୀ ପତ୍ର ଘୋଡ଼ାଇ ଦେଇଥିଲେ । ୨ଟି ମାଟି ପାତ୍ରରେ  ରହିଥିଲା ଫୁଲୁରୀ ତେଲ । ମହନ୍ତ ଗୋସ୍ୱାମୀଙ୍କ ପ୍ରତ୍ୟକ୍ଷ  ତତ୍ତ୍ୱାବଧାନରେ ମହନ୍ତଙ୍କ ସହଯୋଗୀ ଠାକୁରଙ୍କ ତେଲ ନେଇ ଶ୍ରୀମନ୍ଦିରରେ ପହଞ୍ଚାଇଥିଲେ । ଅଣସର ପିଣ୍ଡିରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଏହି ତୈଳ ମର୍ଦ୍ଦନ କରାଯାଇଛି ।  ଶୟନ ଅବସ୍ଥାରୁ ଶ୍ରୀବିଗ୍ରହଙ୍କୁ ଉଠାଇବାକୁ ଏସବୁ  ଅନନ୍ୟ ରୀତିନୀତି । ଫୁଲୁରୀ  ତେଲ ଲାଗି ପରେ ଶ୍ରୀଜିଉ  ଧିରେ ଧିରେ ସୁସ୍ଥତା ଲାଭ କରୁଥିବା ବିଶ୍ୱାସ ରହିଛି ।