ପୁରୀ,୦୨/୧୨: ୨୦୨୨ ମସିହାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡ଼ ଜମିର ପରିମାଣ ଯେତିକି ଥିଲା, ୨୦୨୫ରେ ବି ସେତିକି ଅଛି । ଏହା ଆମେ କହୁ ନାହୁଁ, ସରକାର ବିଧାନସଭାରେ ରଖିଥିବା ତଥ୍ୟରୁ ସ୍ପଷ୍ଟ ହେଉଛି ।
୨୬ ନଭେମ୍ବର ୨୦୨୨ରେ ତତ୍କାଳୀନ ଆଇନମନ୍ତ୍ରୀ ଜଗନ୍ନାଥ ସାରକା ବିଧାନସଭାରେ ତଥ୍ୟ ରଖିଥିଲେ ଯେ ରାଜ୍ୟର ୨୪ ଜିଲ୍ଲାରେ ମହାପ୍ରଭୁଙ୍କ ନାମରେ ମୋଟ ୬୦,୪୨୬.୯୪୩ ଏକର ଜମି ଚିହ୍ନଟ ହୋଇଛି । ଯେତେବେଳେ କି ୩୮,୦୬୧.୮୯୨ ଏକର ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡ ହୋଇଛି । ସେହିପରି ୬ ରାଜ୍ୟରେ ମହାପ୍ରଭୁଙ୍କ ନାମରେ ୩୯୫.୨୫୨ ଏକର ଜମି ରହିଛି ।
ଚଳିତ ବିଧାନସଭା ଅଧିବେଶନରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ଏସଂକ୍ରାନ୍ତ ଲିଖିତ ପ୍ରଶ୍ନରେ ଗୃହରେ ରଖିଥିବା ଉତ୍ତରରେ ସମାନ ତଥ୍ୟ ରଖିଛନ୍ତି । ଅର୍ଥାତ ରାଜ୍ୟରେ ମହାପ୍ରଭୁଙ୍କ ନାମରେ ମୋଟ ୬୦,୪୨୬.୯୪୩ ଏକର ଜମି ଚିହ୍ନଟ ହୋଇଛି । ଏହା ଭିତରୁ ୩୮,୦୬୧.୮୯୨ ଏକର ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡ ହୋଇଛି । ଏହାବାଦ୍ ଅନ୍ୟ ୬ ରାଜ୍ୟରେ ମହାପ୍ରଭୁଙ୍କ ନାମରେ ୩୯୫.୨୫୨ ଏକର ଜମି ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ଏହି ତଥ୍ୟରୁ ଜଣାପଡ଼ୁଛି ଯେ ଏହି ୩ ବର୍ଷ ଭିତରେ ପ୍ରଶାସନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମକୁ ଇଞ୍ଚେ ବି ଜମି ଆଣି ପାରିନାହିଁ । ମହାପ୍ରଭୁଙ୍କ ଜମିର ସୁରକ୍ଷା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ସକ୍ରିୟ ଭାବେ ରାଜସ୍ୱ ମିସ୍ କେସ୍ ଫାଇଲ୍ କରୁଛି । ବିଭିନ୍ନ ବ୍ୟକ୍ତି, ମଠ ମହନ୍ତ ପ୍ରଭୃତିଙ୍କ ମାର୍ଫତରେ ଥିବା ଜମିଗୁଡ଼ିକୁ ତନଖି କରି ତହସିଲଦାରମାନେ ଆର୍ଓଆର୍ ସଂଶୋଧନ କରୁଛନ୍ତି । ମହାପ୍ରଭୁଙ୍କ ନାମରେ ଜମି ରେକର୍ଡ ପରେ ଏଠାରେ ଥିବା ଜବରଦଖଲ ହଟାଇବା ନିମନ୍ତେ ଶ୍ରୀଜଗନ୍ନାଥ ଟେମ୍ପୁଲ ଆକ୍ଟ ୧୯୫୫ର ୧୬-ଏ(୧) ଅନୁଯାୟୀ ମାମଲା କରାଯାଉଛି । ଓଡ଼ିଶା ପ୍ରିଭେନସନ ଅଫ୍ ଲ୍ୟାଣ୍ଡ ଏନ୍କ୍ଲୋଚମେଣ୍ଟ ଆକ୍ଟ-୧୯୭୨ ଅନୁଯାୟୀ ଜବରଦଖଲ ହଟାଇବାକୁ ପଦକ୍ଷେପ ନିଆଯାଉଛି । ଏହାସତ୍ତେ୍ୱ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଚିହ୍ନଟ ଜମିକୁ ମହାପ୍ରଭୁଙ୍କ ନାମରେ ରେକର୍ଡ ହୋଇପାରୁନାହିଁ ।
ସୂଚନାଥାଉକି, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଅବଶିଷ୍ଟ ରେକର୍ଡ ହୋଇପାରିନଥିବା ଜମିକୁ ଆସନ୍ତା ୬ ମାସ ମଧ୍ୟରେ ସଂଶୋଧନ କରିବା ପାଇଁ ମୃଣାଳିନୀ ପାଢ଼ୀ ମାମଲାରେ ସୁପ୍ରିମ୍କୋର୍ଟ ଆଦେଶ ଦେଇଥିଲେ ବୋଲି ତତ୍କାଳୀନ ଆଇନମନ୍ତ୍ରୀ ମନ୍ତ୍ରୀ ଗୃହରେ ଉତ୍ତର ରଖିଥିଲେ । ଯେତେବେଳେ କି ଏହି ସମୟରେ ୨୦୨୦-୨୧ ଓ ୨୦୨୧-୨୨ରେ ୪୦.୭୯୯ ଏକର ମହାପ୍ରଭୁଙ୍କ ଜମି ବିକ୍ରି ହୋଇଯାଇଥିବା ଜଣାଇଥିଲେ । ୧୦ ହଜାର ଏକରରୁ ଅଧିକ ଜମି ତହସିଲଦାରମାନଙ୍କ ଇଜିଲାସରେ ବିଚାରଧୀନ ଥିବା ବେଳେ ଏହାର ଫଇସଲା ନେଇ ପତ୍ରାଳାପ ଚାଲିଥିବା ତତ୍କାଳୀନ ମନ୍ତ୍ରୀ ଜଣାଇଥିଲେ ।